ପ୍ରମୂଖ ଖବର
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ

ଭୁବନେଶ୍ୱର ୨୫/୦୫: ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତ ରୂପ ନେଇଛି । ଆସନ୍ତାକାଲି(ଶନିବାର) ବାତ୍ୟା ରୂପ ନେବ । ୨୬ରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ସାଗର ଦ୍ୱୀପ ଓ ଖେପୁପରା ମଝିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରି କହିଛି, ଭୀଷଣ ବାତ୍ୟା ହେବା ପରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । ୧୩୦କିମି ପର୍ଯ୍ୟନ୍ତର ପବନର ଝଟ୍‌ସକା ଅନୁଭୂତ ହେବ । ତେବେ ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବନି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । 

ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷିବ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ । ମଝିରେ ମଝିରେ ଘଣ୍ଟା ପ୍ରତି ୬୦ କିମି ବେଗରେ ପବନ ବହିବ । ୨୬ ସକାଳଠାରୁ ବାଲେଶ୍ୱର ଓ ଭଦ୍ରକର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ସେ କହିଛନ୍ତି । ତେବେ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଓ ପବନ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ନିର୍ଦ୍ଦେଶ ଦେଇଛନ୍ତି । 

ବାତ୍ୟାର ଗତିପଥ ଓ ପ୍ରଭାବକୁ ନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶନିବାର ବାତ୍ୟା ଓ ରବିବାର ଭୀଷଣ ବାତ୍ୟା ରୂପ ନେବ । ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶର ସାଗର ଦ୍ୱୀପରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ବାତ୍ୟା ପ୍ରଭାବରେ ୨୬ରେ ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତ୍‌ସିଂହପୁର, ଯାଜପୁର ଓ କେନ୍ଦୁଝରରେ ବର୍ଷା ହେବ । ବାଲେଶ୍ୱର ଓ ସଂଲଗ୍ନ ମୟୂରଭଞ୍ଜରେ  ପବନ ବହିବା ସହିତ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । 

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ଦେଇ ଥାଇଲାଣ୍ଡ ଓ ଏହାର ପୂର୍ବକୁ ଯାଉଥିଲା । ଶୁକ୍ରବାରଠାରୁ ଏହା ଉତ୍ତର ଆଡ଼କୁ ଯାଉଛି । ବଙ୍ଗୋପସାଗରରୁ ପୂର୍ବ ଦିଗରୁ ପବନ ଆସୁଛି । ଏଥିପାଇଁ ମୌସୁମୀରେ ବଙ୍ଗୋପସାଗରୀୟ ଶାଖା ଦୁର୍ବଳ ହେବ । ଫଳରେ ରାଜ୍ୟରେ ମୌସୁମୀ ବିଳମ୍ବିତ ହେବ । ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବ । ୨୮ରୁ ରାଜ୍ୟରେ ତାତି ବଢ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ୪୪ଡିଗ୍ରୀରୁ ଅଧିକ ରହିପାରେ । ଭୁବନେଶ୍ୱରରେ ୪୨ଡିଗ୍ରୀରୁ ଅଧିକ ରହିବ । ଏବେ କେରଳରେ ବର୍ଷା ହେଉଛି । ସ୍ୱାଭାବିକ ଭାବେ ଏଠାରେ ଜୁନ୍‌ ୧ରେ ମୌସୁମୀ ଛୁଇଁଥାଏ । ଏଥର ୩୦ରେ ମୌସୁମୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ଜୁନ୍‌ ୧ରୁ ୭ ଭିତରେ କେରଳରେ ବର୍ଷା କମିଯିବ ବୋଲି ଡ. ପଶୁପାଳକ କହିଛନ୍ତି । 

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ ଅନୁସାରେ, ୨୫ ତାରିଖ ସନ୍ଧ୍ୟା ବା ରାତିରେ ବାତ୍ୟା ସୃଷ୍ଟି ହେବ । ୨୭ରେ କଲିକତାର ଦକ୍ଷିଣରେ ହଳଦିଆ ବା ସୁନ୍ଦରବନ ପାଖରେ ଏହା ଲ୍ୟାଣ୍ଡଫଲ୍‌ କରିବ । ଲ୍ୟାଣ୍ଡଫଲ ପ୍ରକ୍ରିୟା ବହୁ ବିଳମ୍ବ ହେବ ଓ ଏଥିପାଇଁ ୬ରୁ ୭ ଘଣ୍ଟା ସମୟ ଲାଗିବ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିମି ରହିବ । ବାତ୍ୟା ପ୍ରଭାବରେ ୨୫ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହେବ । ୨୬ ତାରିଖ ସକାଳୁ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷିବ । ବାଲେଶ୍ୱର ଓ ଭଦ୍ରକରେ ୬୦ରୁ ୭୦ କିମି ବେଗରେ ପବନ ବହିବ । ରାଜଧାନୀରେ ୨୦ରୁ ୩୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.