ନୂଆଦିଲ୍ଲୀ,୦୭/୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଯୋଗୁ ବାୟୁ ବିଷାକ୍ତ ହୋଇଚାଲିଛି । ସୋମବାର ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ୪୭୦ ରେକର୍ଡ କରାଯାଇଛି । ଆରକେ ପୁରମ୍ ଅଞ୍ଚଳରେ ଏକ୍ୟୁଆଇ ୪୬୬, ଆଇଟିଓରେ ୪୦୨, ପ୍ରତାପଗଡରେ ୪୭୧, ମୋତିବାଗରେ ୪୮୮, ଲାଲକିଲ୍ଲାରେ ୪୦୩ ରହିଥିଲା । ହୁମାୟୁଁ ଟମ୍ବ ଆଖପାଖରେ ଧୂଆଁର ମୋଟା ପରସ୍ତ ଦେଖିବାକୁ ମିଳିଛି । ଡବ୍ଲ୍ୟଏଚ୍ଓ ଅନୁସାରେ ୦-୫୦ ମଧ୍ୟରେ ଏକ୍ୟୁଆଇକୁ ସୁରକ୍ଷିତ ବୋଲି ଧରାଯାଏ । ସେହି ହିସାବରେ ଦେଖିଲେ ହାରାହାରି ଏକ୍ୟୁଆଇ ୨୫ ହେବା ଆବଶ୍ୟକ । ଅର୍ଥାତ୍ ବର୍ତ୍ତମାନ ଦିଲ୍ଲୀର ବାୟୁ ଡବ୍ଲ୍ୟଏଚ୍ଓର ନିର୍ଧାରିତ ସୀମାଠାରୁ ୨୦ ଗୁଣ ଅଧିକ ପ୍ରଦୂଷିତ ।
ଦିଲ୍ଲୀରେ ବାୟୁର ଗୁଣବତ୍ତା ବିପଜ୍ଜନକ ସ୍ତରରେ ପହଞ୍ଚିବା ପରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ସେଠାରେ ଯାନବାହନ ଚଳାଚଳ କ୍ଷେତ୍ରରେ ଅଡ୍-ଇଭିନ୍ ବା ଯୁଗ୍ମ-ଅଯୁଗ୍ମ ନିୟମ ପୁଣି ଲାଗୁ କରିବାକୁ ଘୋଷଣା କରିଛନ୍ତି । ତାଙ୍କ ଅନୁସାରେ, ଦୀପାବଳିର ପରଦିନଠାରୁ ଏକ ସପ୍ତାହ ଯାଏ ଅର୍ଥାତ୍ ଆଗାମୀ ୧୩-୨୦ ତାରିଖ ଯାଏ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ । ଗୋଟିଏ ଦିନ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡି ଚଳାଚଳ କରିବା ଏବଂ ପରଦିନ ଅଯୁଗ୍ମ ନମ୍ବର ଗାଡି ଚାଲିବ ।
ଅର୍ଥାତ ରାଜଧାନୀରେ ଦୈନିକ ୫୦ ପ୍ରତିଶତ ଗାଡି ଚଳାଚଳ ବନ୍ଦ ରହିବ । ସପ୍ତାହେ ଯାଏ ଏହି ନିୟମର ସମୀକ୍ଷା କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ । ବିଏସ୍-୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ ଗାଡ଼ି ବ୍ୟବହାର ଉପରେ କଟକଣା ଜାରି ରହିବ ଏବଂ କୌଣସି ପ୍ରକାର ଅଣଜରୁରି ନିର୍ମାଣ ହେବନାହିଁ । ଅଧିକାଂଶ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି । ଏହାଛଡ଼ା ଦିଲ୍ଲୀରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀକୁ ଛାଡି ଆଉ ସବୁ ଶ୍ରେଣୀର କ୍ଲାସ୍ ଆସନ୍ତା ୧୦ ତାରିଖ ଯାଏ ବନ୍ଦ କରିବାକୁ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସରକାରୀ ଏବଂ ବେସରକାରୀ ଅଫିସ୍ରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରାଇବା ସଂପର୍କରେ ନିଷ୍ପତ୍ତି ପରେ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକ ପରେ ଏହି ଘୋଷଣା ହୋଇଛି । ବୈଠକରେ ଗୋପାଳ ରାୟଙ୍କ ସମେତ, ମନ୍ତ୍ରୀ ଆତିଶି, ସୌରଭ ଭରଦ୍ୱାଜ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
ଅନ୍ୟପଟେ ଗୋପାଳ ରାୟ ମଙ୍ଗଳବାର ପ୍ରଦୂଷଣର ସ୍ତର କମିବା ନେଇ ଆଶା ପ୍ରକାଶ କରିଛନ୍ତି । କହିଛନ୍ତି ପାଣିପାଗ ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୭ରେ ରାଜଧାନୀରେ ପବନର ବେଗ ଘଣ୍ଟାପ୍ରତି ୧୨ କିମି ରହିବ । ଯଦି ପବନର ବେଗ ଘଣ୍ଟାପ୍ରତି ୧୦-୧୨ କିମିରେ ପହଞ୍ଚେ ତାହେଲେ ପ୍ରଦୂଷଣର ସ୍ତର କମିବାର ଆଶା ରହିଛି । ୮ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୮-୧୦ କିମି ରହିବ ଯାହାକି ପ୍ରଦୂଷଣ କମାଇବ ବୋଲି ସେ କହିଛନ୍ତି ।
ଦିଲ୍ଲୀ ସରକାର ପ୍ରଦୂଷଣକୁ କମ୍ କରିବା ଲାଗି ୨୦୧୬ରେ ପ୍ରଥମ ଥର ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିଥିଲେ । ଏହି ନିୟମ ଅନୁସାରେ ଯେଉଁ ଗାଡିଗୁଡିକର ନମ୍ବରପ୍ଲେଟ୍ର ଅନ୍ତିମ ସଂଖ୍ୟା ଅଯୁଗ୍ମ(୧,୩,୫,୭,୯) ହୋଇଥିବ ତାହା ଅଯୁଗ୍ମ ଦିନରେ ରାସ୍ତାରେ ଦୌଡି଼ବ । ନମ୍ବରପ୍ଲେଟ୍ର ଅନ୍ତିମ ସଂଖ୍ୟା ଯୁଗ୍ମ(୦,୨,୪,୬,୮)ହୋଇଥିଲେ ତାହା ଯୁଗ୍ମ ଦିନଗୁଡି଼କରେ ଚାଲିବ ।