କଟକ,୧୬/୦୯: ପ୍ରତି ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ଆସନ୍ତା ତିନି ମାସ ମଧ୍ୟରେ ଡିସ୍ପ୍ଲେ’ ବୋର୍ଡ ଲଗାଯିବ । ଉକ୍ତ ଡିସ୍ପ୍ଲେ ବୋର୍ଡରେ ସମ୍ପୃକ୍ତ କାର୍ଯ୍ୟାଳୟର ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ର ସମସ୍ତ ସଦସ୍ୟଙ୍କ ନାମ ଉଲ୍ଲେଖ କରାଯିବ । ଏଥିିସହ ଏକ ଟୋଲ୍ ଫ୍ରି’ ନମ୍ବର ମଧ୍ୟରେ ରହିବ ବୋଲି ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହି ଆଦେଶ କାର୍ଯ୍ୟକାରୀ ନହୁଏ ତାହେଲେ ଉଭୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ରୁଜୁ ହେବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ବିୟତ୍ପ୍ରଜ୍ଞା ତ୍ରିପାଠୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜବାବ ପରେ ହାଇକୋର୍ଟ ଏହି ନିୟମକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯାଏ ସେଥିପାଇଁ ଉଭୟ ସରକାର ପଦକ୍ଷେପ ନେବେ ବୋଲି ଆଦେଶ ଦେଇଛନ୍ତି । ଯଦି ତିନି ମାସ ମଧ୍ୟରେ ପ୍ରତି କାର୍ଯ୍ୟାଳୟରେ ଡିସ୍ପ୍ଲେ ବୋର୍ଡ ଲାଗିନଥାଏ ତାହେଲେ ଅଦାଲତ ଅବମାନନା ମାମଲା ରୁଜୁ ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାଶ୍ୱତା ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଥିଲେ ।