ପୁରୀ, ୮/୯ : ସନ୍ତୁଳିତ ଖାଦ୍ୟ, ସଠିକ ଜୀବନ ଚର୍ଯ୍ୟା ଶରୀରକୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ବକ୍ତାମାନେ। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ପୌରାଞ୍ଚଳ ମିଶନ ଶକ୍ତି ମହାସଂଘ ହଲଠାରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ବଞ୍ଚିବା ପାଇଁ ଖାଦ୍ୟ ଓ ପାନୀୟ ନିହାତି ଆବଶ୍ୟକ। କିନ୍ତୁ ସନ୍ତୁଳିତ ଓ ସମନ୍ବିତ ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଓ ଉପଯୋଗୀ ହୋଇଥାଏ ବୋଲି କହିଥିଲେ । ଏଡିଏମ ପିଏଚଓ ଡା ମନୋଜ ମହାନ୍ତି ଓ ରାଷ୍ଟ୍ରୀୟ ବାଲ ବିକାଶର ପରାମର୍ଶ ଦାତା ପ୍ରଶାନ୍ତ ପରିଜା ସଠିକ ପୋଷଣ ଅଭାବରୁ ଶିଶୁଠାରୁ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଦୁର୍ବଳ ଓ ଅବସ ହୋଇଥାନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ଅଧିକାରୀ ମନୋରଞ୍ଜନ ସାହୁ ବାଡ଼ି ବଗିଚାର ପନିପରିବା, ଶାଗ ଇତ୍ୟାଦିରେ ଥିବା ବିଭିନ୍ନ ପୁଷ୍ଟି ସମ୍ପର୍କରେ ଆଲୋଚନା କରି ଏହାକୁ ଚାଷ ପାଇଁ ବିଭିନ୍ନ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଏଥିରେ ଅଧ୍ୟକ୍ଷତା କରିବା ସହ ମା’ ଓ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯତ୍ନଶୀଳ ହେବା ସହ ଚଳିତ ମାସ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି ବୋଲି କହିଥିଲେ । ଏହି ଅବସରରେ ପ୍ରସ୍ତୁତ ଖାଦ୍ୟ ମଧ୍ୟରୁ ଶ୍ରେଷ୍ଠ ପୋଷଣ ଖାଦ୍ୟ କୁ ପୁରସ୍କୃତ କରାଯାଇଥିଲା।ପୋଷଣ ସଚେତନତା ସମ୍ପର୍କରେ ସଦର ବ୍ଲକ ତଳଜଙ୍ଗ ର ଶିଶୁ କଳାକାର ପ୍ରତିଭା ନାୟକ ଓ ସାଇ ସମ୍ପର୍ଣ୍ଣା ନାୟକ ନୃତ୍ୟ ପରିବେଷଣ କରିଥିଲେ। ପୋଷଣର ଜିଲ୍ଲା ସଂଯୋଜିକା ସଶ୍ମିତା କର୍ମକାର ଧନ୍ୟବାଦ ଅର୍ପଣ କରିଥିଲେ।