ଭୁବନେଶ୍ୱର,୦୩/୦୩: ରାଜଧାନୀରୁ ରହସ୍ୟଜନକ ଭାବେ ଜଣେ ଡାକ୍ତର ଓ ଜଣେ ଇଞ୍ଜିନିୟର ନିଖୋଜ ହୋଇଯାଇଛନ୍ତି । ଗୋଆଲିୟର ସହରର ଜଣେ ଇଞ୍ଜିନିୟର ଭୁବନେଶ୍ୱର ଆସି ନିଖୋଜ ଥିବା ବେଳେ କଟକରୁ ସ୍ପର୍ସ ହସ୍ପିଟାଲ୍ ଆସିଥିବା ଜଣେ ଡାକ୍ତର ନିଖୋଜ ଅଛନ୍ତି । ଏନେଇ ଉଭୟଙ୍କ ପରିବାର ଜିଆରପି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି ।
ଗତ ସପ୍ତାହରେ ଇଞ୍ଜିନିୟର ବିଷ୍ଣୁ ସିଂ କୌଣସି କାମରେ ଗୋଆଲିୟରରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ । ମାଷ୍ଟର କ୍ୟାଣ୍ଟିନ୍ ରେଳ ଷ୍ଟେସନ୍ରେ ପହଞ୍ଚିବା ପରେ ସେ ପରିବାର ଲୋକଙ୍କ ସହ କଥା ହୋଇଥିଲେ । କାମ ସାରି ସେ ଶୁକ୍ରବାର ଦିନ ବିମାନ ଯୋଗେ ଦିଲ୍ଳୀ ଯିବାର ଥିଲା । ହେଲେ ଧାର୍ଯ୍ୟ ସମୟରେ ବିଷ୍ଣୁ ଯାଇ ନଥିଲେ କି ତାଙ୍କ ଘର ଲୋକଙ୍କୁ ଫୋନ୍ କରି ନଥିଲେ । ଘର ଲୋକ ବିଷ୍ଣୁଙ୍କୁ ଫୋନ୍ କରିବା ପରେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିଲା । କିଛି ଖୋଜ ଖବର ନ ମିଳିବାରୁ ବିଷ୍ଣୁଙ୍କ ବଡ଼ ଭାଇ ଭୁବନେଶ୍ୱର ଜିଆରପିକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ । ଏହାପରେ ଷ୍ଟେସନ୍ରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲେ । ସେଠାରୁ ତାଙ୍କ କୌଣସି ସୁରାକ ମିଳିନାହିଁ ।
ସେପଟେ କଟକ ତୁଳସୀପୁର ବିଜୁପଟ୍ଟନାୟକ ଛକରେ ରହୁଥିବା ଡାକ୍ତର ଦେବୀ ପ୍ରସାଦ ମିଶ୍ର (୩୬) ସହିଦନଗରରେ ଥିବା ସ୍ପର୍ସ ହସ୍ପିଟାଲ୍ରେ ଚାକିରି କରିଥିଲେ । ସବୁଦିନ ଭଳି ଗତ ୨୯ ତାରିଖରେ କଟକରୁ ଭୁବନେଶ୍ୱର ଆସି ହସ୍ପିଟାଲ୍ରେ କାମ କରିଥିଲେ । ସନ୍ଧ୍ୟା ୬ଟାରେ ହସ୍ପିଟାଲ୍ରୁ ବାହାରି ଯାଇଥିଲେ । ହେଲେ ସେ ଘରେ ପହଞ୍ଚି ନଥିଲେ । ଘର ଲୋକ ବହୁ ଖୋଜାଖୋଜି କଲା ପରେ ବି ତାଙ୍କୁ ପାଇ ନଥିଲେ । ହସ୍ପିଟାଲ୍କୁ ଫୋନ୍ କରି ବୁଝିବାରୁ ସେମାନେ କହିଥିଲେ ସନ୍ଧ୍ୟାରୁ ସେ ଘରକୁ ଗଲେଣି । ତେବେ ତାଙ୍କୁ ନ ପାଇ ପରିବାର ଲୋକ ପ୍ରଥମେ ସହିଦନଗର ଓ ପରେ ଜିଆରପି ଥାନାକୁ ଯାଇଥିଲେ । ଷ୍ଟେସନ୍ରେ ଲାଗିଥିବା ସିସି କ୍ୟାମେରାରେ ଦେବୀଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା । ଏନେଇ ତାଙ୍କ ପରିବାର ଲୋକ ଜିଆରପିରେ ଅଭିଯୋଗ କରିଛନ୍ତି । ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି ପାରିବାରିକ କଳହରୁ ଡାକ୍ତର ଘର ଛାଡ଼ି କେଉଁଆଡ଼େ ପଳାଇଥିବା ଅନୁମାନ କରାଯାଉଛି । ତାଙ୍କୁ ଖୋଜିବା ପାଇଁ ପୁଲିସ୍ ଲାଗି ପଡ଼ିଛି ।