ନୂଆଦିଲ୍ଲୀ,୧୨/୧୧: ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂ ସମସ୍ୟା ଦୂର ହୋଇ ନଥିବା ଚର୍ଚ୍ଚା ଜୋର ଧରିଥିଲା । ଅଧିନାୟକ ରୋହିତ ଶର୍ମା ନିଜେ ଏହା ସ୍ୱୀକାର କରିଥିଲେ । ଆହତମୁକ୍ତ ହୋଇ ଫେରିଥିବା କେଏଲ୍ ରାହୁଲ ଓ ଶ୍ରେୟାସ ଆୟର ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ଦଳର ଚିନ୍ତା ଦୂର କରିଥିଲେ । କିନ୍ତୁ ଉଭୟ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ତଥାପି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଉଭୟଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି ।
ଦ୍ରାବିଡ଼ କହିଛନ୍ତି, ମଧ୍ୟକ୍ରମ ବ୍ୟାଟରଙ୍କ ବ୍ୟକ୍ତିଗତ ସ୍କୋରକୁ ନେଇ ସେମାନଙ୍କ ଦକ୍ଷତା ମାପିବା ଠିକ୍ ନୁହେଁ । ମଧ୍ୟକ୍ରମରେ ସେମାନଙ୍କ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ । ଏହା ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ରାହୁଲ, ଆୟର, ସୂର୍ଯ୍ୟକୁମାର ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ହେଁ ମଧ୍ୟଭାଗରେ ଉପଯୁକ୍ତ ଭାଗିଦାରୀ ଗଠନ କରି ଆସିଛନ୍ତି । ଦଳ ବିଜୟରେ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହିଛି । ତେଣୁ ସେମାନଙ୍କ ବ୍ୟକ୍ତିଗତ ସ୍କୋରକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିପାରିନାହିଁ । ଆମେ କ୍ରମାନ୍ୱୟରେ ୮ଟି ମ୍ୟାଚ୍ ଜିତିଛୁ ଏବଂ ନବମ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ଅଛୁ । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହେବା ପରେ ସେମିଫାଇନାଲ୍ ପାଇଁ ପ୍ରସ୍ତୁତି କରିବୁ।