ଭୁବନେଶ୍ଵର, ୧୭/୧୧ : କ୍ରିପ୍ଟୋ ପୁଞ୍ଜି ସ୍କାମ୍ର ମାଷ୍ଟରମାଇଣ୍ଡ ଗିରଫ। ଅଭିଯୁକ୍ତ ସନ୍ଦିପ ଚୌଧୁରୀକୁ ରାଜସ୍ଥାନ ଜୟପୁରରୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ ଭାବେ ସେ ଠକେଇ କରୁଥିଲେ। ଦେଶ ଛାଡ଼ିବା ଆଶଙ୍କାରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଥିଲା। ୧୫ ତାରିଖରେ ଦୁବାଇ ପଳାଇବା ଯୋଜନା ବେଳେ ଜୟପୁର ବିମାନବନ୍ଦରରେ ସନ୍ଦିପକୁ ଅଟକାଇଥିଲା BOI। ସୂଚନା ପାଇ ଓଡ଼ିଶା ଇଓଡବ୍ଲ୍ୟୁ ସନ୍ଦିପକୁ ଗିରଫ କରି ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି।
ସୂଚନାନୁଯାୟୀ, ସନ୍ଦିପ ଚୌଧୁରୀ କେବଳ ଓଡ଼ିଶାରେ ୮ ହଜାର ଲୋକଙ୍କୁ ଠକିଥିବା ସୂଚନା ମିଳିଛି। ଉକ୍ତ ସ୍କାମରେ ସାରା ଦେଶରେ ଅଢେଇ ଲକ୍ଷରୁ ଅଧିକ ଲୋକ ଠକେଇ ଶିକାର ହୋଇଛନ୍ତି। ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼ରେ ଅପରେଟ କରୁଥିଲା ୟେସ୍ ୱାର୍ଲ୍ଡ। ଓଡ଼ିଶା ସମେତ ୮ଟି ରାଜ୍ୟରେ ଠକେଇ କରିଛି ଏହି ସଂସ୍ଥା। ପୁରୀର ସ୍ୱାଗତ ନାୟକ EOWରେ ଠକେଇ ନେଇ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ଏହି ମାମଲାରେ ୟେସ ୱାର୍ଲ୍ଡ ଓଡ଼ିଶାର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଓ ମନୋଜ କୁମାର ପଟନାୟକକୁ ଗିରଫ କରିଥିଲା। ଗିରଫ ସନ୍ଦୀପ, ବସନ୍ତ, ମନୋଜ ଓ ସଂସ୍ଥାର ଅନ୍ୟମାନଙ୍କ ଦ୍ୱାରା ୮୫ ହଜାର ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ।