ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍

ଭୁବନେଶ୍ୱର,୦୩/୦୩: ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟି ହାତୀଙ୍କ ‘ପାଠଶାଳା’ରେ ଆସନ୍ତା ୬ ତାରିଖରୁ ପାଠପଢ଼ା ଆରମ୍ଭ ହୋଇଯିବ । ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ୬ରେ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ କୁମାର ନନ୍ଦ ଏହି ପାଠଶାଳାକୁ ଉଦ୍‌ଘାଟନ କରିବେ । ହାତୀଙ୍କୁ  ତାଲିମ ଦେବା ପାଇଁ ୪ ଓଡ଼ିଆ ମାହୁନ୍ତଙ୍କ ସମେତ  ଆସାମର ୨ ଦକ୍ଷ ଟେନର ଆସି ପହଞ୍ଚିଛନ୍ତି । ଦିନେ ଦୁଇଦିନ ଭିତରେ ଏଠାକୁ ୭ ହାତୀ ଛୁଆ ଆସିଯିବେ । ଢେଙ୍କାନାଳ କପିଳାସରେ ଥିବା କାର୍ତ୍ତିକ, ଉମା, ପଦ୍ମା,  ଶ୍ୟାମା ଓ ଶିବାଙ୍କୁ ଚନ୍ଦକା କୁମାରଖୁଣ୍ଟି ପାଠଶାଳାକୁ  ଅଣାଯାଉଛି । ସେହିପରି ନନ୍ଦନକାନନରୁ ମାମା ଓ  ଶିମିଳିପାଳ ସାଉଥ ଜେନାବିଲିରୁ ଜଗନ୍ନାଥ ଆଦି  ୭ଟି କମ୍‌ ବୟସର ହାତୀଙ୍କୁ ଆଣି ଏଠାରେ କୁମ୍‌କୀ  ପ୍ରଶିକ୍ଷଣ ଦିଆଯିବ ବୋଲି ଚନ୍ଦକା ଡିଏଫ୍‌ଓ ଶରତ  ବେହେରାଙ୍କ ଠାରୁ ସୂଚନା ମିଳିଛି ।  

ବନବିଭାଗ କରିଥିବା ଯୋଜନା ଅନୁଯାୟୀ,  କୁମ୍‌କୀ ପ୍ରଶିକ୍ଷଣ ପରେ ତାଲିମପ୍ରାପ୍ତ ହାତୀଙ୍କୁ  ଜଙ୍ଗଲ ଜଗିବାରେ ନିୟୋଜିତ କରାଯିବ । ସେମାନେ  ଜଙ୍ଗଲରୁ ଶିକାରୀ ଓ କାଠଚୋରଙ୍କୁ ତଡ଼ିବେ ।  ଏଥିସହ ପର୍ଯ୍ୟଟକଙ୍କୁ ପିଠିରେ ବସାଇ ଜଙ୍ଗଲ  ବୁଲାଇବେ । ଫଳରେ ବନବିଭାଗର ରାଜସ୍ୱ ବଢ଼ିବ ।  ଛୁଆ ହାତୀଙ୍କୁ ପ୍ରଶିକ୍ଷଣ ସହ ରାଜ୍ୟରେ ଉତ୍ପାତିଆ  ଦନ୍ତା ହାତୀଙ୍କୁ ମଧ୍ୟ ସାବାଡ୍‌ କରାଯିବ । ଉତ୍ପାତିଆ ଦନ୍ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଟ୍ରକ୍‌ରେ ଲଦି ଏଠାକୁ  ଅଣାଯିବ । ଏଠାରେ ଏନ୍‌କ୍ଲୋଜରରେ ଛଡ଼ାଯିବ ।  ପ୍ରଥମେ ସେମାନଙ୍କ ଉପରେ କଡ଼ା ନଜର  ରଖାଯିବ । ପରେ ସେମାନଙ୍କୁ ସାବାଡ୍‌ କରିବେ  ମାହୁନ୍ତ । ଏହାପରେ ସେମାନଙ୍କୁ କୁମ୍‌କୀ ପ୍ରଶିକ୍ଷଣ  ଦିଆଯିବ । ଖାଲି ଉତ୍ପାତିଆ ଦନ୍ତା ନୁହନ୍ତି, ବିଭିନ୍ନ  ଜଙ୍ଗଲରେ ଗୋଠ ବା ଦଳଛଡ଼ା ଛୁଆ ହାତୀ ଅବା  ଅସୁସ୍ଥ ହାତୀଙ୍କୁ ମଧ୍ୟ ଏଠାକୁ ଅଣାଯିବ । ଛୁଆ  ହାତୀଙ୍କୁ ମାହୁନ୍ତମାନଙ୍କ ଦ୍ୱାରା କୁମ୍‌କୀ ପ୍ରଶିକ୍ଷଣ  ଦିଆଯିବ । ଅସୁସ୍ଥ ହାତୀଙ୍କର ମଧ୍ୟ ଏଠାରେ  ଥିବା ଡାକ୍ତରମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଇପାରିବ ।  


ଏପରି ଚିନ୍ତାକରି ଜଙ୍ଗଲ ବିଭାଗ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ବାରଙ୍ଗ ଚୁଡ଼ଙ୍ଗଗଡ଼  ଠାରେ ୨୦୧୬ରେ ହାତୀଙ୍କ ପାଇଁ ପାଠଶାଳା ନିର୍ମାଣ  ଆରମ୍ଭ କରିଥିଲା । କିନ୍ତୁ ଆଖପାଖରେ ଗାଁ ଗଣ୍ଡା  ରହୁଥିବାରୁ ପରବର୍ତ୍ତୀ ସମୟରେ ଏହି ପାଠଶାଳାକୁ  କୁମାରଖୁଣ୍ଟିରେ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ।  ପ୍ରାୟ ୫୦ ହେକ୍ଟର ଜମି ବିଶିଷ୍ଟ ଏହି ପାଠଶାଳାରେ  ୫ଟି ଏନ୍‌କ୍ଲୋଜର ନିର୍ମାଣ ଶେଷ ହୋଇଛି । ୧୦  ହେକ୍ଟର ବିଶିଷ୍ଟ ଏହି ଏନ୍‌କ୍ଲୋଜରର ଚାରିପଟେ  ଟ୍ରେଞ୍ଚ୍‌ ନିର୍ମାଣ ସହ ସୋଲାର ତାରବାଡ଼ ଦିଆଯାଇଛି ।  ସେହିପରି ହାତୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆସିଥିବା  ମାହୁନ୍ତଙ୍କ ପାଇଁ ଗୃହ ଓ ହାତୀଙ୍କ ଖାଦ୍ୟ ରଖିବା ପାଇଁ  ଗୃହ ନିର୍ମାଣ ହୋଇଛି । 

ସୂଚନା ଥାଉକି, ୨୦୧୦ରୁ କୁମ୍‌କୀ ପ୍ରଶିକ୍ଷଣ  ଆରମ୍ଭ କରିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି  ଆରମ୍ଭ ହୋଇଥିଲା । ୨୦୧୧ରେ ‘ରାଜକୁମାର’,  ‘ନନ୍ଦ’, ‘ଯଶୋଦା’ ଓ ‘ଶଙ୍କର’ ହାତୀକୁ ନେଇ  ଚନ୍ଦକା ଜଙ୍ଗଳରେ ଚାଲିଲା କୁମ୍‌କୀ ପ୍ରଶିକ୍ଷଣ ।  ଏପରିକି ବ୍ରହ୍ମପୁରରୁ ଦନ୍ତାହାତୀ “ମହେନ୍ଦ୍ର’ ଓ  ମାଈ ହାତୀ “ଶୋଭା’ଙ୍କୁ ମଧ୍ୟ ମାସକ ପାଇଁ ଏଠାକୁ  ଆଣି ପ୍ରଶିକ୍ଷଣ ଦିଆଯାଇ ପୁଣି ସେମାନଙ୍କୁ ଫେରାଇ ନିଆଯାଇଥିଲା । ହେଲେ ୨୦୧୨ ନଭେମ୍ବରରେ  ପୋଷା ହାତୀ ଶଙ୍କର ମାହୁନ୍ତ ଦିଲ୍ଲୀପ ରାଭାଙ୍କୁ  କଚାଡ଼ି ମାରିବା ପରେ କୁମ୍‌କୀ ପ୍ରଶିକ୍ଷଣ ପ୍ରାୟତଃ  ବନ୍ଦ ହୋଇଯାଇଥିଲା । ପରେ ରାଜକୁମାରକୁ  ଶିମିଳିପାଳ ଫେରାଇ ନିଆ ଯାଇଥିଲା । ପୁଣି ୨  ବର୍ଷ ପରେ ନନ୍ଦ ଓ ଯଶୋଦାକୁ ପ୍ରଶିକ୍ଷଣ ଦିଆ  ଯାଉଥିବା ବେଳେ ଶଙ୍କରକୁ ବନ୍ଦୀ କରି ରଖା  ଯାଇଥିଲା । ଏହା ଭିତରେ ୨୦୧୬ରେ ନନ୍ଦ ହାତୀର  ମୃତ୍ୟୁ ଘଟିବା ପରେ କୁମ୍‌କୀ ପ୍ରଶିକ୍ଷଣ ସେବେଠାରୁ  ପ୍ରାୟତଃ ବନ୍ଦ ହୋଇ ପଡ଼ିଥିଲା । ଏବେ ରାଜ୍ୟ  ସରକାର କୁମ୍‌କୀ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇ ପୁଣି  ଆରମ୍ଭ କରିବାକୁ ଯାଉଛନ୍ତି କୁମ୍‌କୀ ପ୍ରଶିକ୍ଷଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.