ନୂଆଦିଲ୍ଲୀ,୮।୯: ଜି-୨୦ର ୧୮ ତମ ଶିଖର ସମ୍ମିଳନୀର ଆୟୋଜନ ପାଇଁ ସଜେଇ ହୋଇଛି ଦିଲ୍ଲୀ। ୯ ଓ ୧୦ ସେପ୍ଟେମ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦୁନିଆର ୨୫ ରୁ ଅଧିକ ଦେଶର ପ୍ରମୁଖ ନେତା ଓ ତାଙ୍କ ପ୍ରତିନିଧିମଣ୍ଡଳୀ ଏଥିରେ ଯୋଗ ଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଗୁରୁବାର ଓ୍ବାଶିଂଟନରୁ ବାହାରି ସାରିଛନ୍ତି। ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ନୂଆ ଦିଲ୍ଲୀରେ ପହଞ୍ଚିବେ। ଶନିବାର ‘ଜି୨୦’ ଶିଖର ସମ୍ମିଳନୀର ନୈଶ୍ୟଭୋଜି ହେବାକୁ ଯାଉଛି। ଯେଉଁଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍. ଡି. ଦେବେଗୌଡ଼ାଙ୍କୁ ନିମନ୍ତ୍ରଣ କରାଯାଇଛି।
ଏହାଛଡ଼ା, ବିରୋଧୀ ଶାସିତ ରାଜ୍ୟ ସମେତ ଏହି ନୈଶ୍ୟଭୋଜିକୁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଶୁକ୍ରବାର ବିହାରର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପାରନ୍ତି। ସେଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ନୈଶ ଭୋଜିରେ ସାମିଲ ହେବେ ‘ଜି୨୦’ ଶିଖର ସମ୍ମିଳନୀକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।