କଲମ୍ବୋ,୬।୯: ଶ୍ରୀଲଙ୍କା ଟିମ୍ର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ସଚିତ୍ରା ସେନାନାୟକଙ୍କୁ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଗିରଫ କରାଯାଇଛି। ଶ୍ରୀଲଙ୍କା ପାଇଁ ସମସ୍ତ ତିନୋଟି ଫର୍ମାଟରେ ଖେଳିଥିବା ସେନାନାୟକଙ୍କୁ ୨୦୨୦ ରେ ଲଙ୍କା ପ୍ରିମିୟର ଲିଗ୍ (LPL) ସମୟରେ ଏକ ମ୍ୟାଚ୍ ଫିକ୍ସ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ସେ ଦୁଇ ଖେଳାଳିଙ୍କୁ ମ୍ୟାଚ୍ ଫିକ୍ସିଂ କରିବାକୁ ଉତ୍ସାହିତ କରିଥିବା ଅଭିଯୋଗ ହୋଇଛି। ତିନି ସପ୍ତାହ ପୂର୍ବରୁ ସେନାନାୟକ ବିଦେଶ ଯିବାକୁ କୋର୍ଟ ମଧ୍ୟ ବାରଣ କରିଥିଲା।
କ୍ରୀଡ଼ା ମନ୍ତ୍ରଣାଳୟର ସ୍ୱତନ୍ତ୍ର ତଦନ୍ତକାରୀ ୟୁନିଟ୍ ନିକଟରେ ଆତ୍ମସମର୍ପଣ କରିବା ପରେ ସେନାନାୟକଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନାଁରେ ଅଭିଯୋଗ ରହିଛି ଯେ, ଟେଲିଫୋନ୍ ଜରିଆରେ ସେ ମ୍ୟାଚ୍ ଫିକ୍ସିଂ ପାଇଁ ଦୁଇ ଖେଳାଳିଙ୍କ ସହ ଯୋଗାଯୋଗ କରିଥିଲେ। ଗତ ମାସ ଏହି ମାମଲାରେ କଲମ୍ବୋ ମୁଖ୍ୟ ମାଜିଷ୍ଟ୍ରେଟ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବାରୁ ସେନାୟାକଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଥିଲା।
ମ୍ୟାଚ୍ ଫିକ୍ସିଂକୁ ନେଇ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ସେନାନାୟକ ଖଣ୍ଡନ କରିଛନ୍ତି। ସେ ୨୦୧୨ ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହାପରେ ସେ ଶ୍ରୀଲଙ୍କା ପାଇଁ ୪୯ ଓ୍ବାନଡେ ମ୍ୟାଚ୍ରେ ୫୩ ଓ୍ବିକେଟ ନେବାରେ ସଫଳ ହୋଇଥିଲେ। ସେଭଳି ସେନାନାୟକ ୨୪ଟି ଟି-୨୦ ମ୍ୟାଚ୍ରେ ଖେଳି ୨୫ ଓ୍ବିକେଟ ନେଇଥିଲେ ଓ ସେ ଶ୍ରୀଲଙ୍କା ପକ୍ଷରୁ ଗୋଟିଏ ଟେଷ୍ଟ ମ୍ୟାଚ୍ରେ ଖେଳିବାର ସୁଯୋଗ ମଧ୍ୟ ମିଳିଛି।