କାଶୀପୁର - କାଶୀପୁର ବ୍ଲକ ଡଙ୍ଗାସିଲ ଠାରେ ଫାରମର୍ସ ପ୍ରଡୁସର ଅର୍ଗାଜେସନ ଲିମିଟେଡ଼ କମ୍ପାନୀ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କମ୍ପାନୀ କୋର୍ଡିନେଟର ପ୍ରମୋଦ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଅଗ୍ରଗାମୀ ସଂସ୍ଥା ନିର୍ଦେଶକ ଅଚ୍ୟୁତ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ।
ଡଙ୍ଗାସିଲ ଠାରେ ହଳଦୀ, କ୍ଷୁଦ୍ର ଦାନା ଯୁକ୍ତ କାଙ୍ଗୁ, ସୁଆଁ ଭଳିଶସ୍ୟର ପ୍ରୋସେସିଙ୍ଗ ୟୁନିଟ ସ୍ଥାପନ, ଖାଦ୍ୟ ଦ୍ରବ୍ୟର ବିକ୍ରି ବଟା ଏବଂ ଚାଷୀମାନେ ସେୟାର କିଣିବା ନେଇ ଆଲୋଚନା ହୋଇଥିଲା। ରାସାୟନିକ ସାର ବିନା ଉତ୍ପାଦିତ ଖାଦ୍ୟ ଶସ୍ୟ, ପନିପରିବାର ଚାହିଦା ବଢ଼ୁଥିବାରୁ ଚାଷୀମାନେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହାସହ ଏଫପିଓ ଲିମିଟେଡ଼ କମ୍ପାନୀ ଚାଷୀଙ୍କ ଠାରୁ ଉଚିତ ମୂଲ୍ୟରେ ଖାଦ୍ୟ ଦ୍ରବ୍ୟ କିଣିବା ସହ , ଏହାର ବିକ୍ରିର ଲାଭାଂଶକୁ ସେୟାର ହୋଲଡ଼ର ଚାଷୀଙ୍କୁ ପ୍ରଦାନ କରାଯିବାକୁ କୁହାଯାଇଥିଲା।
କୁଚେଇପଦର, କୋଡ଼ି ପାରି ଏବଂ ଡଙ୍ଗାସିଲ ପଞ୍ଚାୟତର ତିନି ଶହପାଞ୍ଚ ଜଣ ଚାଷୀ ଏଥିରେ ଅନୁବନ୍ଧିତ ଥିବା ବେଳେ, ଦେଢ଼ଶହ ଟଙ୍କାରୁ ଆରମ୍ଭ କରି ଏକ ହଜାର ଟଙ୍କା ପର୍ଯ୍ୟନ୍ତ ସେୟାର କିଣିବା ପାଇଁ ବ୍ୟବସ୍ଥା ରହିଛି। ସେୟାର କିଣା ବାବଦରେ ଦୁଇ ଲକ୍ଷରୁ ଅଧିକ ସଂଗ୍ରହ କରାଯାଇଛି। ଏହାର ପରିଚାଳନା ପାଇଁ ଦଶ ଜଣିଆ ବୋର୍ଡ କମିଟି ଗଠନ କରାଯାଇଥିବା ବେଳେ ସଦନ ମାଝୀ, କମ୍ବୁ ମାଝୀ ପ୍ରମୁଖ ଉପଦେଷ୍ଟା ଭାବେ ରହିଛନ୍ତି। ସେହିପରି ଏହାର ପରିଚାଳନା ନେଇ ସିଇଓ ଏବଂ ଆକାଉଣ୍ଟାଣ୍ଟ ନିଯୁକ୍ତି ନେଇ ଆଲୋଚନା କରାଯାଇଥିଲା । ଅଗ୍ରଗାମୀ ସଂସ୍ଥାର ଅନୀଲ ନାୟକ ସହିତ ଅନ୍ୟ ମାନେ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ ।