ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ମେଟ୍ରୋକୁ ଗ୍ରୀନ୍‌ ସିଗନାଲ, ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୁଳିଆ, ଖର୍ଚ୍ଚ ହେବ ୬୨୫୬ କୋଟି

ଭୁବନେଶ୍ୱର, ୧୫/୧୧ : ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ନିଅଁ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପକୁ କ୍ୟାବିନେଟ ଦେଇଛି ଅନୁମୋଦନ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ବସିଥିଲା କ୍ୟାବିନେଟ । ୧୧ଟି ବିଭାଗର ୧୨ଟି ପ୍ରସ୍ତାବରେ ବାଜିଥିଲା ମୋହର । ଏସବୁ ପ୍ରସ୍ତାବ ଭିତରେ ମେଟ୍ରୋ ରେଳ ପ୍ରକଳ୍ପକୁ ବି ଅନୁମୋଦନ ମିଳିଛି । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ହେବ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ ୪ ବର୍ଷରେ । ଅର୍ଥାତ୍‌ ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ କାମ ଚାଲିବ । 

୨୦୨୮ ମାର୍ଚ୍ଚ ଶେଷ ସୁଦ୍ଧା କାମ ସରିବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ କନସଲଟାଣ୍ଟ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ୱାବଧାନରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ନିର୍ମାଣ ହେବ । କନସଲଟାଣ୍ଟ ଫି ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ଦେୟ ୩୨୬ କୋଟି ୫୬ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ନିର୍ମାଣ ଖର୍ଚ୍ଚ ସହ ଏହାକୁ ମିଶାଇଲେ ମୋଟ ୬୨୫୫ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟ ହେବ । ପ୍ରଥମ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପରେ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ରେଳ ପଥ ନିର୍ମାଣ ହେବ । 

କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବବିହାର ଛକ, ପଟିଆ ଛକ ସମେତ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ । ସମ୍ପୂର୍ଣ୍ଣ ମେଟ୍ରୋ ପ୍ରକଳ୍ପ ଏଲିଭେଟେଡ୍‌ କରିଡରରେ ପୂରା ଉପରେ ଉପରେ ଯିବ । ଅତ୍ୟାଧୁନିକ ରେଳ କୋଚ୍‌ ବ୍ୟବହାର ହେବ ଏହି ଯୋଜନାରେ । ଟିକଟ ଓ ସିଗ୍‌ନାଲ୍‌ ବ୍ୟବସ୍ଥା ହାଇଟେକ୍‌ ରହିବ । ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀ ସହରର ଗମନାଗମନ ବ୍ୟବସ୍ଥାକୁ ନାଗରିକମାନଙ୍କ ପାଇଁ ସହଜ, ସରଳ ଓ ସୁଗମ କରିବା ପାଇଁ ମେଟ୍ରୋ ରେଳ ଯୋଜନା କରାଯାଇଛି । ରାଜଧାନୀ ଅଞ୍ଚଳର ଭିତ୍ତିଭୂମି ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଗତ ଏପ୍ରିଲ ପହିଲାରେ ୫-ଟି ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ମୋହର ପରେ ଏହି ପ୍ରକଳ୍ପ ଆଉ ପାଦେ ଆଗକୁ ବଢ଼ିଛି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.