ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହୀରାକୁଦ ଡଙ୍ଗାବୁଡ଼ିକୁ ପୂରିଛି ୧୦ ବର୍ଷ, ଏବେ ବି ରହସ୍ୟରେ ରହିଗଲା ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ

ସମ୍ବଲପୁର,୧୦/୦୨: ୨୦୧୪ ମସିହା  ଠିକ୍‌ ଆଜିର ଦିନରେ ହୀରାକୁଦ ଜଳଭଣ୍ଡାରରେ  ଘଟିଥିଲା ଅଭାବନୀୟ ଘଟଣା । ଜଳଭଣ୍ଡାରର ଅକାତ ପାଣିରେ ଜଳସମାଧି ନେଇଥିଲା  ଅନେକ ନିଷ୍ପାପ ଶିଶୁ ଓ ମହିଳାଙ୍କ ସମେତ  ୩୧ଟି ମୂଲ୍ୟବାନ ଜୀବନ । ସାରା ଦେଶକୁ  ଏହି ଘଟଣା ସ୍ତବ୍ଧ କରି ଦେଇଥିଲା । ଏପରିକି  ଘଟଣାସ୍ଥଳକୁ ତତ୍କାଳୀନ ୟୁପିଏ ସରକାରର କ୍ଷମତାଶାଳୀ ସାଂସଦ ରାହୁଲ ଗାନ୍ଧୀଙ୍କୁ ବି ଘଟଣାସ୍ଥଳକୁ ଆସିବାକୁ ପଡିଥିଲା । ତେବେ,  ଏହି ସମ୍ବେଦନଶୀଳ ଘଟଣାକୁ ଆଜି ଏକ  ଦଶନ୍ଧି ପୂରିଛି । ହେଲେ ବର୍ତ୍ତମାନ ସୁଦ୍ଧା  ମୃତକଙ୍କ ପରିବାରରେ ଖୁସି ଫେରିନାହିଁ ।  ଏଭଳି ସ୍ଥିତିରେ ଏହାର କାରଣ ଏବଂ  ନିରାକରଣ ପାଇଁ ଆର୍‌ଡିସିଙ୍କ ଦ୍ୱାରା ହୋଇଥିବା  ତଦନ୍ତର ରିପୋର୍ଟ ବି ଗତ ୧୦ ବର୍ଷ ମଧ୍ୟରେ  ରହସ୍ୟରେ ରହି ଯାଇଛି । ଫଳରେ ଏହାକୁ  ନେଇ ଆଜିର ଦିନରେ ମୃତକଙ୍କ ପରିବାରରେ  ଏବେ ବି ଅସନ୍ତୋଷ ପ୍ରତିଫଳିତ ହେଉଛି । 

୨୦୧୪ ମସିହା ଫେବ୍ରୁଆରୀ  ୯ ତାରିଖ । ଅପରାହ୍ନ ପ୍ରାୟ ୪ଟା ।  ହଠାତ୍‌ ଖବର ଆସିଲା ଯେ ହୀରାକୁଦ  ଜଳଭଣ୍ଡାରରେ ଯାତ୍ରୀବାହୀ ଡଙ୍ଗା ବୁଡି  ଯାଇଛି । ଚାହୁଁ ଚାହୁଁ ସହର ଉପକଣ୍ଠ  ଜମାଦାରପାଲି ନିକଟସ୍ଥ ସୋନୁଟିକ୍ରା  ଘାଟକୁ ଲୋକଙ୍କ ସୁଅ ଛୁଟିଥିଲା । ପ୍ରାୟ  ୫ଟା ବେଳକୁ ୪୦ରୁ ଉଦ୍ଧ୍ୱର୍ ଯାତ୍ରୀଙ୍କୁ ନେଇ  ଫେରିଥିଲା ପ୍ରଥମ ଉଦ୍ଧାରକାରୀ ଡଙ୍ଗା ।  ପରେ ପରେ ସମସ୍ତ ଜୀବିତ ଯାତ୍ରୀ ବି  ସୁରକ୍ଷିତ ଫେରିଥିଲେ । ହେଲେ ଏହାପରେ  ଦୀର୍ଘ ୭୨ ଘଣ୍ଟାରୁ ଉଦ୍ଧ୍ୱର୍ ଧରି ଚାଲିଥିବା ସର୍ଚ୍ଚ  ଅପରେସନ୍‌ରେ ଗୋଟିଏ ପରେ ଗୋଟିଏ  କରି ୩୧ଟି ମୃତଦେହ କୋଳକୁ ଧରି  ଫେରିଥିଲେ ଓଡ୍ରାଫ୍ଟ ଦଳ । ଏଥିରେ ଛୋଟ  ଛୋଟ ଶିଶୁ ଏବଂ ଅନେକ ମହିଳାଙ୍କ ସମେତ  ୩୧ ଜଣ ସଳିଲ ସମାଧି ନେଇଥିଲେ ।  ସମ୍ବଲପୁର ସହରର ରାଜଘାଟରେ ଦୀର୍ଘ ୩  ଦିନ ଧରି ଅବିରତ ଜଳିଥିଲା ଜୁଇ । ଏପରିକି  ଗୋଟିଏ ଜୁଇରେ ଏକାଠି ବାପା, ମାଙ୍କ  ସମେତ ଏକମାତ୍ର ପୁଅର ଚିତା ଜଳିବାର  ହୃଦୟ ଫଟା ଦୃଶ୍ୟ ବି ସମ୍ବଲପୁରକୁ  ଦେଖିବାକୁ ପଡିଥିଲା । ସାରା ଦେଶ ଏହି  ଘଟଣାରେ ସ୍ତବ୍ଧ ପାଲଟି ଯାଇଥିଲା । 

ସମ୍ବଲପୁର ସହରର ଲାୟନ୍ସ  କ୍ଲବର ସଦସ୍ୟ ମାନେ ସପରିବାର  ଜମାଦାରପାଲିର ସୋନୁଟିକ୍ରା ଘାଟରୁ  ଝାରସୁଗୁଡା ଜିଲ୍ଲାର ତିଲିଆ ଘାଟକୁ  ବଣଭୋଜି କରିବାକୁ ଯାଇଥିଲେ । ସେଠାରୁ  ବଣଭୋଜି ପରେ ପ୍ରାୟ ୧୧୫ ଜଣ ଗୋଟିଏ  ମୋଟର ବୋଟ୍‌ରେ ଫେରିବା ବେଳେ ଏହି  ଦୁର୍ଘଟଣା ଘଟିଥିଲା । ତେବେ, ଘଟଣା  ପରେ ରାଜ୍ୟ ସରକାର ଏହାର କାରଣ,  ଦୋଷୀକୁ ଠାବ କରିବା ସହ ସ୍ଥାୟୀ ପ୍ରତିକାର ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ଆର୍‌ଡିସି  ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।  ତତ୍କାଳୀନ ଆର୍‌ଡିସି ଡ. ପ୍ରମୋଦ ମେହେର୍ଦ୍ଦା  ପ୍ରାୟ ୩ ମାସ ମଧ୍ୟରେ ଏହାର ତଦନ୍ତ  କରି ତାଙ୍କ ରିପୋର୍ଟ ବି ରାଜ୍ୟ ସରକାରଙ୍କୁ  ପ୍ରଦାନ କରିଥିଲେ । ଏଥିରେ ସମସ୍ତ ପକ୍ଷ  ସମେତ ବିଭିନ୍ନ ବର୍ଗର ଲୋକଙ୍କ ଶୁଣାଣି  କରି ଡ. ମେହେର୍ଦ୍ଦା ତାଙ୍କ ରିପୋର୍ଟ ପ୍ରସ୍ତୁତ  କରିଥିଲେ । 

ହେଲେ ଆଜକୁ ୧୦ ବର୍ଷ  ବିତିଯାଇଥିଲେ ମଧ୍ୟ ଉକ୍ତ ରିପୋର୍ଟକୁ  ରାଜ୍ୟ ସରକାର ଚାପି ରଖିଛନ୍ତି । ଆଜି ସୁଦ୍ଧା  ତାହା ସାର୍ବଜନୀନ ହୋଇପାରିନାହିଁ । ଫଳରେ  ଏହି ରିପୋର୍ଟରେ ଥିବା ସୁପାରିଶ ବି ଫାଇଲ  ତଳେ ଚାପି ହୋଇଯାଇଛି । ଏହି ଘଟଣା  ପରେ ପରେ ରେଙ୍ଗାଲିର ସପ୍ନେରେ ପୋଲ  ନିର୍ମାଣ ଦ୍ୱାରା ଜମାଦାରପାଲିରୁ ଆର ପଟକୁ  ଚଳାଚଳ କରୁଥିବା ସମସ୍ତ ଫେରି ଘାଟ ବନ୍ଦ  ହୋଇଯାଇଛି । ହେଲେ ଝାରସୁଗୁଡା ଏବଂ  ବରଗଡ ମଧ୍ୟରେ ବର୍ତ୍ତମାନ ମଧ୍ୟ ଅନେକ  ଫେରିଘାଟ କାର୍ଯ୍ୟକ୍ଷମ ରହିଛି । ଆଉ ଲୋକେ  ବିପଦଜନକ ଯାତ୍ରା କରୁଛନ୍ତି । ଏହାବାଦ୍‌  ସମସ୍ତ ମତ୍ସ୍ୟଜୀବୀ ଡଙ୍ଗା ବି ବିନା ସୁରକ୍ଷାରେ  ଚଳାଚଳ କରୁଥିବା କଥା ସମସ୍ତଙ୍କୁ ଜଣା । 

ଯଦ୍ବାରା ହୀରାକୁଦ  ଜଳଭଣ୍ଡାରରେ ଏହି ୧୦ ବର୍ଷ ମଧ୍ୟରେ  ଏକାଧିକ ଥର ଛୋଟ ବଡ ଡଙ୍ଗା ବୁଡି  ଘଟଣା ସାମ୍ନାକୁ ଆସି ଅନେକ ପ୍ରାଣହାନୀ  ହେଲାଣି । ଏପରିକି ସେହି ଡଙ୍ଗାବୁଡିର  ମାତ୍ର ୪ ମାସ ମଧ୍ୟରେ ଜୁନ୍‌ ୧ ତାରିଖରେ  ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡିବାରୁ ଝାରସୁଗୁଡା ଏବଂ ବରଗଡ  ଜିଲ୍ଲାର ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ  ଏହି ୧୦ ବର୍ଷ ମଧ୍ୟରେ କେବଳ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଏକାଧିକ ଘଟଣାରେ  ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।  ଏହାବାଦ୍‌ ଉପକୂଳ ଓଡିଶାରେ ମଧ୍ୟ  ଅନୁରୂପ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । 

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ  ମଧ୍ୟ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟର  ପ୍ରାସଙ୍ଗିକତା ରହିଛି । ଯଦିଓ ବର୍ତ୍ତମାନ  ସୁଦ୍ଧା ଉକ୍ତ ଘଟଣାର ପ୍ରକୃତ ଦୋଷୀକୁ  ଠାବ କରାଯାଇପାରିନାହିଁ ତଥାପି ଏହାର  ନିରାକରଣ ତଥା ସ୍ଥାୟୀ ପ୍ରତିକାର ପାଇଁ  ଦିଆଯାଇଥିବା ସୁପାରିଶକୁ କାର୍ଯ୍ୟକରୀ କରିବା ଅପରିହାର୍ଯ୍ୟ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.