ମୁମ୍ବାଇ,୧୫/୧୧: ଭାରତରେ ଖେଳାଯାଉଥିବା ଆଇସିସି ଦିନିିକିଆ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟ ମଧ୍ୟର କଡ଼ା ମୁକାବିଲା ହେବ। ନ୍ୟୁଜିଲ୍ୟାଣ୍ଡର ଚ୍ୟାଲେଞ୍ଜର ମୁକାବିଲା କରିବା ଭାରତ ପାଇଁ ସହଜ ହେବ ନାହିଁ। ଲିଗ୍ ପର୍ଯ୍ୟାୟରେ ଲଗାତାର ୯ ଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସେମିଫାଇନାଲରେ ଅଗ୍ରଣୀ ରହିଛି। ନ୍ୟୁଜିଲ୍ୟାଣ୍ଡ ଦଳ ଏକ ଭଲ ଆରମ୍ଭ କରିଥିଲା। କିନ୍ତୁ ଭାରତ, ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଭଳି ଦଳ ବିପକ୍ଷରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ରଚିନ୍ ରବିନ୍ଦ୍ରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ କିୱି ଦଳ କ୍ରମାଗତ ପଞ୍ଚମ ଥର ସେମିଫାଇନାଲରେ ପ୍ରବେଶ କରିଛି।
ବିଶ୍ୱକପରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ଚମତ୍କାର ରହିଆସିଛି। ରୋହିତ ଶର୍ମା ୯ ଟି ମ୍ୟାଚ ମଧ୍ୟରୁ ୭ ଟିରେ ଭଲ ଆରମ୍ଭ କରିଥିଲେ। ବିରାଟ କୋହଲି ମଧ୍ୟ ଭଲ ଫର୍ମରେ ଅଛନ୍ତି ଏବଂ ୯ ଇନିଂସ ମଧ୍ୟରୁ ୭ ରେ ୫୦ ରୁ ଅଧିକ ସ୍କୋର କରିଛନ୍ତି। ଦଳ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର ମିଡିଲ ଅର୍ଡର ପ୍ରଦର୍ଶନ। ଆୟର ବିଶ୍ୱକପରେ ୪୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଗତ ତିନି ଇନିଂସରେ ଆୟର୍ ୭୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ନେଦରଲ୍ୟାଣ୍ଡ ସହ ଖେଳାଯାଇଥିବା ମ୍ୟାଚରେ ୬୨ ଟି ବଲରେ ଶତକ ହାସଲ କରି କେ.ଏଲ୍ ରାହୁଲ ଦର୍ଶାଇଛନ୍ତି ଯେ ଯଦିଓ ବ୍ୟାଟିଂ କରିବାର ଅନେକ ସୁଯୋଗ ପାଇନାହାଁନ୍ତି, ସେ ଆବଶ୍ୟକ ସମୟରେ ସ୍କୋର କରିବାରେ କୌଣସି ସୁଯୋଗ ଛାଡିବେ ନାହିଁ।
ଭାରତ ପାଇଁ ଏହାର ବୋଲରମାନେ ବିଶ୍ୱକପରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜସପ୍ରୀତ ବୁମ୍ରା ଏପର୍ଯ୍ୟନ୍ତ ୧୭ ଟି ୱିକେଟ୍ ନେଇଛନ୍ତି। ବୁମରାଙ୍କ ପ୍ଲସ୍ ପଏଣ୍ଟ ମଧ୍ୟ ହେଉଛି ଯେ ସେ ଏପରି ଜଣେ ବୋଲର ଯିଏ ବିଶ୍ୱକପରେ ସର୍ବାଧିକ ଡଟ୍ ବଲ୍ ବୋଲିଂ କରିଥିଲେ। ମହମ୍ମଦ ଶାମି କେବଳ ୫ ଟି ମ୍ୟାଚରେ ୧୬ ଟି ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ ଜାଡେଜା ଏବଂ କୁଲଦୀପଙ୍କ ସ୍ପିନ୍ ବୁଝିବା କାହା ପାଇଁ ସହଜ ନୁହେଁ।
ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂରେ ଅନେକ ବଡ଼ ନାଁ ନାହିଁ। ଏହା ସତ୍ତ୍ବେ କନୱେ ଏବଂ ରଚିନ୍ ଯେକୌଣସି ଦଳର ବୋଲରଙ୍କୁ ଟାର୍ଗେଟ କରିବାର କ୍ଷମତା ରଖିଛନ୍ତି। କନଓ୍ବେଙ୍କ ପ୍ରତ୍ୟାବର୍ତ୍ତନ ସହିତ ବ୍ୟାଟିଂ ଅର୍ଡର ମଧ୍ୟ ମଜବୁତ ହୋଇଛି। ନ୍ୟୁଜିଲ୍ୟାଣ୍ଡରେ ବୋଲ୍ଟ ଏବଂ ସାଣ୍ଟନର୍ ଅଛନ୍ତି ଯେଉଁମାନେ ଅତୀତରେ ଟିମ୍ ଇଣ୍ଡିଆକୁ ବହୁତ ଅଡ଼ୁଆ ପକାଇଥିଲେ। ଏହି ଖେଳାଳିଙ୍କ ଆଧାରରେ ନ୍ୟୁଜିଲ୍ୟାଣ୍ଡ ଦଳ ପୁଣି ଥରେ ସେମିଫାଇନାଲରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିବାକୁ ଚେଷ୍ଟା କରିବ।
ଟିମ୍ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶ:
ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ
ନ୍ୟୁଜିଲାଣ୍ଡର ଚୁଡ଼ାନ୍ତ ଏକାଦଶ:
ଡିଭୋନ୍ କନୱେ, ରଚିନ୍ ରବିନ୍ଦ୍ର, କେନ୍ ୱିଲିୟମସନ୍ (ଅଧିନାୟକ), ଡାରିଲ୍ ମିଚେଲ, ଟମ୍ ଲେଥମ୍ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ମାର୍କ ଚେପମ୍ୟାନ, ମିଚେଲ ସାଣ୍ଟନର୍, ଟିମ୍ ସାଉଥୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ