ନୂଆଦିଲ୍ଲୀ,୧୪/୦୯: ଦିନିକିଆ ବିଶ୍ୱକପ୍ ପାଖେଇ ଆସୁଥିବାବେଳେ ଏହା ପୂର୍ବରୁ ଆହତ ସମସ୍ୟା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ସଫଳ ଅସ୍ତ୍ରୋପଚାର ପରେ ଫିଟ୍ ହୋଇ ଫେରିଥିବା ଶ୍ରେୟାସ ଆୟର ପୁନର୍ବାର ଆହତ ହୋଇଛନ୍ତି । ଗତ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ସେ ଖେଳିନଥିଲେ । ବାଂଲାଦେଶ ବିପକ୍ଷ ମ୍ୟାଚ୍ ଓ ଫାଇନାଲ୍ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି । ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରାଯିବ । ଏହା ପୂର୍ବରୁ ଆୟର ଫିଟ୍ ହେବା ଜରୁରି । କାରଣ ଏହାପରେ ବିଶ୍ୱକପ୍ ।
ଆୟର ବିଶ୍ୱକପ୍ ଦଳରେ ସ୍ଥାନ ହାସଲ କରିଛନ୍ତି । ମାତ୍ର ଅଷ୍ଟ୍ରେଲିଆ ସିରିଜ ବେଳକୁ ଫିଟ୍ ହୋଇ ନପାରିଲେ ବିଶ୍ୱକପ୍ ପୂର୍ବରୁ ଉପଯୁକ୍ତ ଅଭ୍ୟାସ ସମୟ ପାଇବେ ନାହିଁ । ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ଗୁରୁବାର ଅଭ୍ୟାସ କରିବ । ଏହା ପୂର୍ବରୁ ଆୟର ଫିଟ୍ ହୋଇ ଅଭ୍ୟାସ କରିବେ ବୋଲି ଆଶା କରାଯାଉଛି । ଏସିଆ କପ୍ ଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆ ସିରିଜ ପାଇଁ ଦଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ଆୟରଙ୍କ ଅନୁପସ୍ଥିତିରେ ଇଶାନ କିଷନ ଏକାଦଶରେ ସ୍ଥାନ ପାଇଛନ୍ତି । କେଏଲ ରାହୁଲ ୱିକେଟ କିପିଙ୍ଗ୍ କରୁଛନ୍ତି । ତେଣୁ ଆୟରଙ୍କ ଅନୁପସ୍ଥିତିରେ କିଷନ ପ୍ରଥମ ପସନ୍ଦ ଖେଳାଳି ହେବେ । ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ନାହିଁ ।