ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ଜୀବନ ଦୌଡ଼ରେ ଏବେ ଢ଼େର ଆଗରେ...

ପୁରୀ,୦୩/୧୨(ରାଜଶ୍ରୀ ସାହୁ): ଭିନ୍ନକ୍ଷମ ଅକ୍ଷମ  ନୁହେଁ । ଦୃଢ଼ ଇଚ୍ଛା ଶକ୍ତି ବଳରେ ପଙ୍ଗୁ ମଧ୍ୟ ଗିରି  ଲଂଘିପାରେ । ଏହି ଧାଡ଼ିକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଜୟନ୍ତୀ  ବେହେରା (୨୩) ଏବଂ କଣାସର ପୁନୀଲ କୁମାର  ମାନସିଂହ (୪୦) । ଶାରୀରିକ ଅକ୍ଷମତା ସତ୍ତେ୍ୱ  ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଭୟ ନାଁ କରିଛନ୍ତି ।  ସମାଜର ଟାହିଟାପରା ତାଙ୍କ ରାସ୍ତାରେ କଣ୍ଟା ସାଜିନି ।  ଦେହର କିଛି ଅଂଶ ସିନା ଦୁର୍ବଳ ହୋଇଯାଇଛି ।  ହେଲେ ମନର ଟାଣପଣିଆ ସେମାନଙ୍କୁ ରୋକିନି ।  ପଛରୁ ଟାଣିନି । ସବୁ ନକାରାତ୍ମକତାକୁ ପଛରେ ପକାଇ  ଜୀବନ ଦୌଡ଼ରେ ସେମାନେ ଏବେ ଢେର ଆଗରେ ।   

ସାକ୍ଷୀଗୋପାଳ ମୂଳଅଳସାର ଜୟନ୍ତୀ ଜନ୍ମର  ୧ ବର୍ଷ ପରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ।  ଚୁଲିରେ ପଡ଼ିଯିବା କାରଣରୁ ତାଙ୍କ ବାମ ହାତ  ଜଳିଯାଇଥିଲା । ୪୫ ପ୍ରତିଶତ ଅକ୍ଷମତା ସତ୍ତେ୍ୱ  ସେ ନିଜକୁ କେବେ ଭିନ୍ନ ଭାବିନାହାନ୍ତି । ସ୍କୁଲରେ  ପଢ଼ିବା ଦିନରୁ ତାଙ୍କ ସାଥୀରେ ପଢୁଥିବା ଅନ୍ୟ  ପିଲାମାନଙ୍କୁ ଦୌଡ଼ରେ ପଛରେ ପକାଇ ସବୁବେଳେ  ସେ ଶ୍ରେଷ୍ଠସ୍ଥାନ ଅଧିକାର କରୁଥିଲେ । ସ୍କୁଲରୁ ପଢ଼ିବା  ବେଳଠୁ ଏବେ ପର୍ଯ୍ୟନ୍ତ ଜୟନ୍ତୀଙ୍କ ବିଜୟଧାରା ବଜାୟ  ରହିଛି । ମାତ୍ର ୨୩ ବର୍ଷ ବୟସରେ ସେ ୧୫ଟି  ଅନ୍ତର୍ଜାତୀୟ ଏବଂ ୧୮ଟି ଜାତୀୟ ପଦକ ହାସଲ  କରିସାରିଲେଣି । ଏଥିମଧ୍ୟରୁ ଅନ୍ତର୍ଜାତୀୟସ୍ତରରେ  ୬ଟି ସ୍ୱର୍ଣ୍ଣ ପଦକ ଏବଂ ଜାତୀୟସ୍ତରରେ ୧୮ଟି ସ୍ୱର୍ଣ୍ଣ  ପଦକ ରହିଛି । ୨୦୧୭ରେ ବିଶ୍ୱ ପାରାଆଥ୍‌ଲେଟିକ୍ସ  ଚାମ୍ପିୟନସିପ୍‌ରେ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ  ଏବଂ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ  ହାସଲ କରି ସେ ଅନ୍ତର୍ଜାତୀୟ କ୍ରୀଡ଼ାରେ ପାଦ  ଥାପିଥିଲେ । 

୨୦୨୨ରେ ଆଇଡବ୍ଲ୍ୟୁଏଏସ୍‌ ୱାର୍ଲ୍ଡ  ଗେମ୍ସରେ ଅଂଶଗ୍ରହଣ କରି ସେ ୨ଟି ସ୍ୱର୍ଣ୍ଣ ଏବଂ  ଗୋଟିଏ ରୌପ୍ୟ ହାସଲ କରିଛନ୍ତି । ଜୟନ୍ତୀଙ୍କ  ଜନ୍ମ ଏକ ଗରିବ ପରିବାରରେ ହୋଇଥିଲା । ୩  ଭାଇ ଭଉଣୀଙ୍କ ମଧ୍ୟରେ ଜୟନ୍ତୀ ସାନ । ବାପା ମୂଲ  ଲାଗୁଥିବା ବେଳେ ମା’ ଥିଲେ ଗୃହିଣୀ । ଯାବତୀୟ  ଅଭାବ ଅନଟନ ମଧ୍ୟରେ କଟିଥିଲା ତାଙ୍କର ଶୈଶବ ।  ହେଲେ ଜୟନ୍ତୀଙ୍କ ସଫଳତା ପରେ ତାଙ୍କୁ ରାଜ୍ୟ  ସରକାର ଓଏମ୍‌ସିରେ ନିଯୁକ୍ତି ଦେବା ସହ ବିଭିନ୍ନ  ସମୟରେ ଆର୍ଥିକ ସହାୟତା ଦେଇଛନ୍ତି । ଏଣୁ ତାଙ୍କ  ପରିବାର ସ୍ଥିତି ଏବେ ସୁଧୁରିସାରିଛି । ଜୟନ୍ତୀଙ୍କ  ବାପା ଆଉ ମୂଲ ଲାଗୁନାହାନ୍ତି । ପୂର୍ବରୁ ଜୟନ୍ତୀ  ସାଧାରଣ ପିଲାଙ୍କ ସହ କ୍ରୀଡ଼ାଭ୍ୟାସ କରୁଥିଲେ ।  ହେଲେ ଏକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ  ଜୟନ୍ତୀଙ୍କ ପ୍ରତିଭାକୁ ଚିହ୍ନି କୋଚ୍‌ ବିଷ୍ଣୁପ୍ରସାଦ ମିଶ୍ର  ତାଙ୍କୁ ସାକ୍ଷୀଗୋପାଳର ଗୁରୁକୁଳ ଆଥ୍‌ଲେଟିକ୍‌ ଟ୍ରେନିଂ  ସେଣ୍ଟରରେ ଭର୍ତ୍ତି କରିଥିଲେ । ସେଠାରେ ସେ ତାଙ୍କୁ  ନିଃଶୁଳ୍କରେ ଶିକ୍ଷା ଦେଇଥିଲେ । ଏଣୁ ଜୟନ୍ତୀ ନିଜ  ସଫଳତାର ଶ୍ରେୟ ବାପା, ମା ଏବଂ ଗୁରୁଙ୍କୁ ଦେଇଛନ୍ତି ।   

ଜୟନ୍ତୀଙ୍କ ଭଳି କଣାସ ବ୍ଲକ ଖରଖରଡ଼ାର  ପୁନୀଲ କୁମାର ମାନସିଂହ ମଧ୍ୟ ଅଚଳ ଗୋଡ଼ରେ  ଦୌଡ଼ ଧୁରନ୍ଧର । ନ୍ୟାସନାଲ ପାରାଆଥ୍‌ଲେଟିକ୍ସରେ  ୧୦୦, ୨୦୦ ଏବଂ ୪୦୦ ମିଟର ଦୌଡ଼ରେ ପୁନୀଲ  ୭ ଥର ପଦକ ବିଜେତା ହୋଇପାରିଛନ୍ତି । କେବଳ  ସେତିକି ନୁହେଁ ପୁନୀଲ ଓଡ଼ିଶା ଦିବ୍ୟାଙ୍ଗ ଟିମ୍‌କୁ  ପ୍ରତିନିଧିତ୍ୱ କରି ୨ଥର ଜାତୀୟ ଚାମ୍ପିୟନ ଏବଂ  ୪ ଥର ରନର୍ସଅପ୍‌ ଭାବେ ଟ୍ରଫି ହାସଲ କରିଛନ୍ତି ।  ଜନ୍ମର ୭ରୁ ୮ ବର୍ଷ ପରେ ପୁନୀଲ ଗୋଟିଏ ଗୋଡ଼  ଅଚଳ ହୋଇଯାଇଥିଲା । ୫୦ ପ୍ରତିଶତ ଅକ୍ଷମତା  ସତ୍ତେ୍ୱ ଦୌଡ଼କୁଦରେ ଆଗ୍ରହ ଏବଂ ନିୟମିତ ଅଭ୍ୟାସ  ଯୋଗୁ ସେ ଏହି ସଫଳତା ହାସଲ କରିପାରିଛନ୍ତି ।   

ଜୟନ୍ତୀ ହୁଅନ୍ତୁ କି ପୁନୀଲ, ସାଧାରଣ  କ୍ରୀଡ଼ାବିତ୍‌ଙ୍କ ସହ ଖେଳି ସେମାନେ ଆଗକୁ  ଆସିଛନ୍ତି । ଯଦି ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଭିତ୍ତିଭୂମି ସୃଷ୍ଟି ହୁଅନ୍ତା ଏବଂ ଆରମ୍ଭରୁ ଦିବ୍ୟାଙ୍ଗ ଖେଳାଳିଙ୍କ  ସହ ପ୍ରତିଯୋଗିତା କରିବାର ସୁଯୋଗ ମିଳନ୍ତା  ତେବେ ଆହୁରି ଆଗୁଆ ସଫଳତା ମିଳିପାରିଥାନ୍ତା  ବୋଲି ଉଭୟ କହିଛନ୍ତି । ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚର  ଆବାହକ ସିଦ୍ଧାର୍ଥ ରାୟ କହିଛନ୍ତି, ପୁରୀ ଜିଲ୍ଲା ପାରା  ସ୍ପୋର୍ଟସ୍‌ର ଅନ୍ତୁଡ଼ିଶାଳ । କିନ୍ତୁ ଜିଲ୍ଲାସ୍ତରରେ ଦିବ୍ୟାଙ୍ଗ  ଖେଳାଳିଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବିଦ୍ୟାଳୟ  କିମ୍ବା କଲେଜ ସ୍ତରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର କ୍ରୀଡ଼ା  ପ୍ରତିଯୋଗିତା ମଧ୍ୟ ହେଉନାହିଁ । ଅନ୍ୟ ଖେଳ ଭଳି  ପାରା ସ୍ପୋର୍ଟସ୍‌କୁ ମାନ୍ୟତା ମଧ୍ୟ ମିଳୁନି । ଏଣୁ ଏବେ ବି  ଅନେକ ପ୍ରତିଭା ଲୋକଲୋଚନକୁ ଆସିପାରୁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.