ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ସୁପ୍ରିମକୋର୍ଟରେ ହେମନ୍ତ ସୋରେନ୍‌ଙ୍କ ମାମଲାର ଶୁଣାଣି, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ୍

ରାଞ୍ଚି,୦୨/୦୨: ଝାଡଖଣ୍ଡରେ ଗତ  ଦୁଇଦିନ ଧରି ଚାଲିଥିବା ରାଜନୈତିକ  ହାଇଡ୍ରାମାରେ  ନୂଆମୋଡ ନେଇଛି ।  ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ବୁଧବାର ୮ ଘଣ୍ଟା ଧରି ଜେରା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବିଳମ୍ବିତ ରାତିରେ ଗିରଫ କରିଥିଲା  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଗୁରୁବାର ତାଙ୍କୁ  ପିଏମଏଲଏ କୋର୍ଟରେ ହାଜର କରିଥିଲା  ଏଜେନ୍ସି । ଏହି ମାମଲାରେ ପ୍ରାୟ ଦେଢ଼ ଘଣ୍ଟା ଧରି ଶୁଣାଣି ହୋଇଥିବାବେଳେ ଇଡି  ପକ୍ଷରୁ ୧୦ ଦିନ ଲାଗି ହେମନ୍ତଙ୍କୁ ରିମାଣ୍ଡରେ  ପଠାଇବାକୁ ଦାବି କରାଯାଇଥିଲା । କୋର୍ଟ କିନ୍ତୁ  ଏ ସଂପର୍କରେ ରାୟକୁ ସଂରକ୍ଷିତ ରଖିବା  ସହ ତାଙ୍କୁ ଦିନକ ପାଇଁ ଜେଲ୍‌ ପଠାଇଛନ୍ତି ।  ଫଳରେ ତାଙ୍କୁ ରାଞ୍ଚିର ହୋଟୱାର ଜେଲ୍‌କୁ ନିଆଯାଇଛି । ଶୁକ୍ରବାର ଇଡି  ରିମାଣ୍ଡ ସଂପର୍କରେ ରାୟ ଶୁଣାଇବେ କୋର୍ଟ । ଏହି ପରିପ୍ରେକ୍ଷୀରେ ହୋଟୱାର  ଜେଲ୍‌ର ସୁରକ୍ଷାକୁ କଡାକଡି କରାଯାଇଛି ।  

ସେହିପରି ହେମନ୍ତଙ୍କ ପକ୍ଷରୁ ଇଡି  ବିରୋଧରେ ଦାଖଲ ହୋଇଥିବା ଆବେଦନର  ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା । ହାଇକୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି ଲାଗି କୌଣସି ଜରୁରି ସ୍ଥିତି ଦେଖୁନଥିବା  କହିଛନ୍ତି । ସେଥିଯୋଗୁ ଶୁକ୍ରବାର  ମାମଲାର ଶୁଣାଣି ହେବ । ବରିଷ୍ଠ ଓକିଲ  କପିଲ ଶିବଲ ମଧ୍ୟ ହେମନ୍ତଙ୍କ ଗିରଫଦାରୀକୁ  ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ  ଆବେଦନ ଦାଖଲ କରିଥିଲେ। ଶୁକ୍ରବାର ସେହି ଆବେଦନ ସଂପର୍କରେ ବି ଶୁଣାଣି  ହୋଇପାରେ । ସୁପ୍ରିମକୋର୍ଟର ଏକ ୩  ଜଣିଆ ଖଣ୍ଡପୀଠ ତାର ଶୁଣାଣି କରିବେ ।  

ଅନ୍ୟପକ୍ଷରେ କ୍ଷମତାସୀନ ମହାମେଣ୍ଟ  (ଜେଏମଏମ୍‌, କଂଗ୍ରେସ, ଆରଜେଡି)ର  ବିଧାୟକ ଦଳ ନେତା ଚମ୍ପଇ ସୋରେନ୍‌  ଶୁକ୍ରବାର ରାଜ୍ୟରେ  ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ସରକାର  ଗଠନ କରିବା ଲାଗି ଆମନ୍ତ୍ରଣ କରିଛନ୍ତି।  ଆସନ୍ତା ୧୦ ଦିନ ଭିତରେ ବିଧାନସଭାରେ  ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଚମ୍ପଇଙ୍କୁ  କୁହାଯାଇଛି । ଏହା ପୂର୍ବରୁ ଚମ୍ପଇ ଅନ୍ୟ ୪  ଜଣ ବିଧାୟକଙ୍କ ସହ ଗୁରୁବାର ରାଜ୍ୟପାଳଙ୍କୁ  ସାକ୍ଷାତ କରିବା ସହ ସରକାର ଗଠନ  କରିବା ଲାଗି ଦାବି ଜଣାଇଥିଲେ । ଏଥିସହ ସେ ୪୩ ଜଣ ବିଧାୟକଙ୍କ ସମର୍ଥନ ପତ୍ର  ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।  

ପରେ ଗଣମାଧ୍ୟମକୁ ସେ କହିଥିଲେ  ରାଜ୍ୟରେ ବିଗତ କିଛି ଘଣ୍ଟା ହେଲା ସରକାର  ନାହିଁ । ତେଣୁ ଏକ ଅସମଞ୍ଜସ୍ୟ ପରିସ୍ଥିତି  ସୃଷ୍ଟି ହୋଇଛି । ଆମେ ଗତକାଲି ସରକାର  ଗଠନ ଲାଗି ଦାବି ଉପସ୍ଥାପନ କରିଥିଲୁ ।  ସେହି ପ୍ରକ୍ରିୟାକୁ ଜଲ୍‌ଦି କରିବା ଲାଗି ଆଜି ରାଜ୍ୟପାଳଙ୍କୁ ଅନୁରୋଧ କରିଛୁ । ରାଜ୍ୟପାଳ  ମଧ୍ୟ ତାକୁ ଶୀଘ୍ର ସାରିବାକୁ ପ୍ରତିଶ୍ରୁତି  ଦେଇଛନ୍ତି । ତାଙ୍କ ନିକଟରେ ୪୩ ଜଣ  ବିଧାୟକଙ୍କ ସମର୍ଥନ ରହିଥିବା ସହ ସେ  ଏକ ସ୍ଥିର ସରକାର ଦେବାକୁ ସକ୍ଷମ ବୋଲି  ଦର୍ଶାଇଥିଲେ । ରାଜ୍ୟରେ ମହାମେଣ୍ଟ ଖୁବ୍‌  ଦୃଢ଼ ଥିବା ଚମ୍ପଇ ଦାବି କରିଥିଲେ । ଝାଡଖଣ୍ଡ  କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁର କହିଥିଲେ  ଯେ ଆମ ନିକଟରେ ସରକାର ଗଠନ ଲାଗି  ଆବଶ୍ୟକୀୟ ସଂଖ୍ୟା ରହିଛି । ସମସ୍ତ ୪୩  ବିଧାୟକ ଏକାଠି ରହିଛୁ । 

ରାଜ୍ୟପାଳ ଆମକୁ  ସରକାର ଗଠନ ଲାଗି ନିମନ୍ତ୍ରଣ ନ କରିବା  ଯାଏ ଆମେ ତାଙ୍କୁ ସାକ୍ଷାତ କରିଚାଲିଥିବୁ ।  ସେପଟେ ସରକାର ଗଠନ ଲାଗି ରାଜ୍ୟପାଳ  ସମୟ ବିଳମ୍ବ କରୁଥିବାରୁ କଂଗ୍ରେସ  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏଥିନେଇ  ବିଜେପିକୁ ଟାର୍ଗେଟ୍‌ କରିଥିଲେ । ଖଡ୍‌ଗେ କହିଥିଲେ ୮୧ ସଦସ୍ୟବିଶିଷ୍ଟ ରାଜ୍ୟ  ବିଧାନସଭାରେ ବହୁମତର ସଂଖ୍ୟା ହେଉଛି  ୪୧ । ତେବେ ଆବଶ୍ୟକୀୟ ସଂଖ୍ୟକ  ବିଧାୟକ ଥିବା ସତ୍ତେ୍ୱ ଚମ୍ପଇ ସୋରେନ୍‌ଙ୍କୁ  ସରକାର ଗଠନ ଲାଗି ନିମନ୍ତ୍ରଣ ନ ଦେବା  ସ୍ପଷ୍ଟ ଭାବେ ସମ୍ବିଧାନର ଅବମାନନା ଏବଂ  ଜନମତର ଅପମାନ।

ସୂଚନାଥାଉକି,  ବୁଧବାର ଜମି ଦୁର୍ନୀତି ମାମଲାରେ  ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ୍‌  ରାଜଭବନ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ  ଇସ୍ତଫା ଦେଇଥିଲେ । ଏହାପରେ ଦଳର  ବରିଷ୍ଠ ନେତା ଚମ୍ପଇ ସୋରେନ୍‌ ମହାମେଣ୍ଟର  ବିଧାୟକ ଦଳର ନେତା ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.