ବଲାଙ୍ଗିର,୧୪/୦୯: ‘ମହାନଦୀର ମହାସିର’ ଓଡ଼ିଶାର ଷ୍ଟେଟ ଫିସ୍ ବା ରାଜ୍ୟ ମାନ୍ୟତାପ୍ରାପ୍ତ ମାଛ । କିନ୍ତୁ ଚିହ୍ନଟ ହେବାର ୭୦ ବର୍ଷ ପର୍ଯ୍ୟନ୍ତ ଏହାକୁ ଓଡ଼ିଶାର ମାଛ ଭାବେ ମାନ୍ୟତା ମିଳିପାରି ନଥିଲା । ଯଦିଓ ୨୦୧୩ରେ ଓଡ଼ିଶା ସରକାର ଏହାକୁ ରାଜ୍ୟ ମାନ୍ୟତାପ୍ରାପ୍ତ ମାଛ ବା ଷ୍ଟେଟ ଫିସ ଘୋଷଣା କରିଥିଲେ, କିନ୍ତୁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ତାହା ସ୍ୱୀକୃତ ହୋଇନଥିଲା । ଏହାକୁ ବିହାରର ମୋସାଲ(ଟର ମୋସାଲ ମହାନଦୀକସ)ମାଛ ଭାବେ ଗଣନା କରାଯାଉଥିଲା । ଅରୁଣାଚଳ ପ୍ରଦେଶର ଇଟାନଗରରେ ଅବସ୍ଥାପିତ ବଲାଙ୍ଗିରର ପ୍ରାଣୀ ବିଜ୍ଞାନୀ ତଥା ପ୍ରଫେସର ଡ. ପ୍ରଶାନ୍ତ ନନ୍ଦ ଓ ତାଙ୍କ ସହଯୋଗୀ ଡ. ଜୟରାଜ ଆଣ୍ଟୋନୀ ଜନସନ, ଡ. ଭାବନା ପନ୍ଥ , ଡ. ସ୍ନେହା ଶିବାନୀମାନେ, ବିଷ୍ଣୁପ୍ରିୟା କୋଲିପକାମ ପ୍ରମୁଖ ଗତ ୨୦୨୦ରୁ ଏହା ଉପରେ ମିଳିତ ଭାବେ ଗବେଷଣା କରି ଇଣ୍ଟରନ୍ୟାସନାଲ କୋଡ୍ ଫର୍ ଜୁଲୋଜିକାଲ ନେମାନକ୍ଲେଚର(ଆଇସିଜେଡଏନ) ନିୟାମକ ଅନୁସାରେ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । ଯାହାକି ଆମେରିକାର ପ୍ଲସ ୱାନ ଜର୍ଣ୍ଣାଲରେ ପ୍ରକାଶିତ ହେବାପରେ ମହାସିରକୁ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତି ପାଇଁ ପଥ ପରିଷ୍କାର ହୋଇଛି । ଏହାଦ୍ୱାରା ୭୦ ବର୍ଷ ପରେ ପରିଚୟ ପାଇଥିବା ମହାସିର ମାଛର ସଂରକ୍ଷଣ ଓ ଗବେଷଣା ତଥା ବଂଶ ବିସ୍ତାର ନେଇ ନୂଆ ଆଶା ସଂଚାର ହୋଇଛି ।
ସୂଚନାଯୋଗ୍ୟ ଯେ ୧୯୫୩ ମସିହାରେ କେରଳର ଜଣେ ଗବେଷକ ଏ. ଡେଭିଡ ଏହାକୁ ପ୍ରଥମେ ମହାନଦୀ ଅବବାହିକାରେ ଚିହ୍ନଟ କରିଥିଲେ । କିନ୍ତୁ ଡେଭିଡଙ୍କ ଗବେଷଣା ବିହାର ରାଜ୍ୟ ଉପରେ ଆଧାରିତ ଥିବାରୁ ସେ ଏହାକୁ ଟର ମୋସାଲ ମହାନଦୀକସ ମାଛ ଭାବେ ନାମିତ କରିଥିଲେ । ମହାସିର ଓଡ଼ିଶାର ମାଛ ହେଲେ ହେଁ ଏହାକୁ ବିହାରର ମୋସାଲ ଭାବେ ବିବେଚନା କରାଯାଉଥିଲା । ଗତ ୨୦୦୬ ମସିହାରେ ଭାରତବର୍ଷର ସ୍ଥାନୀୟ ମାଛ ଗୁଡ଼ିକର ସଂରକ୍ଷଣ ପାଇଁ ବିଧିବଦ୍ଧ ଭାବେ ପ୍ରସ୍ତାବ ପାରିତ ହୋଇଥିଲା । ଭାରତର ୧୬ଟି ରାଜ୍ୟ ନିଜ ନିଜର ରାଜ୍ୟର ମାଛ ନାମ ଘୋଷଣା କରିଥିଲେ । ସେତେବେଳେ ଓଡ଼ିଶା ମହାନଦୀକସ ମହାସିର ବା ମହାନଦୀର ମହାସିରକୁ ରାଜ୍ୟ ମାଛର ମାନ୍ୟତା ଦେଇଥିଲା । କିନ୍ତୁ ୨୦୧୯ ମସିହାରେ ଆଡ୍ରିଆନ ପି. ପିନ୍ଦର, ଜେ ରବର୍ଟ ବ୍ରିଟନ, ନୀଲେଶ ଡାହାକର ଓ ରାଜୀବ ରାଘବନଙ୍କ ସମେତ ୧୪ଜଣ ଗବେଷକ ମିଳିତ ଭାବେ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । ଉକ୍ତ ସନ୍ଦର୍ଭରେ ମୋସାଲ (ମୂଳତଃ ମହାସିର)କୁ ଟର ପୁଟିଟୋରା ବା ହିମାଳୟ ପାର୍ବତ୍ୟାଞ୍ଚଳର ମାଛ ବୋଲି ଅଭିହିତ କରିଥିଲେ । ଫଳରେ ଓଡ଼ିଶାର ମତ୍ସ୍ୟସମ୍ପଦ ଓ ମତ୍ସ୍ୟ ବିବିିଧତା ଉପରେ ଗବେଷଣା କରୁଥିବା ଡ. ନନ୍ଦ ତାହାକୁ ନେଇ ଆପତ୍ତି ଉଠାଇଥିଲେ ।
୨୦୨୦ ମସିହାରେ କୋଭିଡ୍ ଯୋଗୁ ସମଗ୍ର ଭାରତବର୍ଷରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଲା । ସେହି ସୁଯୋଗରେ ଡ. ନନ୍ଦ ଓଡ଼ିଶା ଫେରି ମହାନଦୀ ଅବବାହିକାରେ ଥିବା ମାଛ ଗୁଡ଼ିକ ଉପରେ ଅଧିକ ଗବେଷଣା କରିଥିଲେ । ସେଥିପାଇଁ ସମ୍ବଲପୁର, ହୀରାକୁଦ, ବୌଦ୍ଧ, ସୋନପୁର, ହୁମା ଆଦି ସ୍ଥାନକୁ ଯାଇ ମହାନଦୀ ଅବବାହିକାରୁ ମାଛ ସଂଗ୍ରହ କରିବା ସହ ସେମାନଙ୍କ ଉପରେ ଗବେଷଣା ଆରମ୍ଭ କଲେ । ଏପରିକି ଦେବଗଡ଼ର କୋଇଲିଘୋଘରରେ ଥିବା ମାଛ ପ୍ରଜାତି ମଧ୍ୟ ସଂଗ୍ରହ କରିଥିଲେ । ନିଜ ଘରେ ପ୍ରାରମ୍ଭିକ ଗବେଷଣା ପରେ ସେ ଯାହା ତଥ୍ୟ ପାଇଥିଲେ ତଦନୁସାରେ, ପୁଟିଟୋରା ଓ ମୋସାଲ ଉଭୟ ମାଛର ଶରୀର ଗଠନ ଭିନ୍ନ ରହିଥିବା ଦେଖିବାକୁ ପାଇଥିଲେ । ଦୀର୍ଘଦିନର ଅଧ୍ୟୟନ ଓ ଗବେଷଣା ପରେ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସହାୟତା ମାଗିଥିଲେ । ସେଠାରେ ମହାସିର ମାଛ(ମହାନଦୀକସ ମହାସିର)ର ଡିଏନଏ ପରୀକ୍ଷଣ କରାଯାଇଥିଲା ।
ସେଠିକାର ଅନ୍ୟତମ ଗବେଷକ ଡ. ଜେ. ଜନଜନ, ଡିଏନଏ ପରୀକ୍ଷା କରିଥିବା ଡ. ପନ୍ଥ , ଡ. ଶିବାନୀମାନେ ଓ ଡ. କୋଲିପକାମଙ୍କ ସହିତ ମିଶି ଡ. ନନ୍ଦ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଉକ୍ତ ରିପୋର୍ଟ ଗତକାଲି ଆମେରିକାର ପ୍ଲସ୍ ୱାନ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ଏନେଇ ଆସନ୍ତା ସପ୍ତାହକ ମଧ୍ୟରେ ଟରପୁଟିଟୋରା ନାମ ପରିବର୍ତ୍ତନ ହେବ । ଏହାଦ୍ୱାରା ମହାନଦୀର ମହାସିର ସ୍ୱତନ୍ତ୍ର ପରିଚୟ ପାଇବ ବୋଲି ଡ. ନନ୍ଦ କହିଛନ୍ତି ।