ଭୁବନେଶ୍ଵର, ୧୮/୧୧ : ଶୁକ୍ରବାର ଅପରାହ୍ଣରେ ଭରତପୁର ଟ୍ରାଫିକ ଛକରେ କାର୍ଯ୍ୟରତ ଟ୍ରାଫିକ ପୋଲିସକୁ ମାଡ଼ ମାରିବା ଘଟଣା। ଅଭିଯୁକ୍ତ ରବୀନ୍ଦ୍ର ଦାସକୁ ଗିରଫ କଲା ଭରତପୁର ଥାନା ପୋଲିସ। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୩୪୧, ୩୨୩, ୩୨୪, ୩୨୬, ୨୯୪, ୩୩୨, ୫୦୬ରେ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଷ୍ଟୁଡିଓ ଛକରେ ଆଜି ଅପରାହ୍ଣରେ ଟ୍ରାଫିକ୍ କନଷ୍ଟେବଳ ରଞ୍ଜନ କୁମାର ବେହେରା ଡ୍ୟୁଟିରେ ଥିଲେ । ଏହି ସମୟରେ ଯୁବକ ଜଣଙ୍କ ସେଠାରେ ପହଞ୍ଚି ରାସ୍ତା ମଝିରେ ଉତ୍ପାତ କରିଥିଲା । ଗାଡ଼ିମଟର ଆଗକୁ ପଳାଇଯିବା ସହ ସେମାନଙ୍କୁ ଅଟକାଇଥିଲା । ଡ୍ୟୁଟିରେ ଥିବା କନ୍ଷ୍ଟେବଳ ରଞ୍ଜନ ଯୁବକ ଜଣକୁ ରାସ୍ତାରୁ ହଟିବା ପାଇଁ କହିଥିଲେ ମଧ୍ୟ ସେ ଶୁଣିନଥିଲା । ରଞ୍ଜନ ତାକୁ ଧରି ରାସ୍ତା କଡ଼କୁ ଭିଡ଼ି ଆଣିବା ପାଇଁ ଉଦ୍ୟମ କରିବା ବେଳେ ସେ ତାଙ୍କୁ ଠେଲାପେଲା କରିବା ସହ ତାଙ୍କୁ କହୁଣିରେ ଚାପି ଆଖିକୁ କାମୁଡ଼ି ଦେଇଥିଲା। ଏହି ସମୟରେ ଲୋକମାନେ ଯୁବକ ଜଣକୁ କାବୁ କରିଥିଲେ । ରଞ୍ଜନଙ୍କ ଆଖିପତା ଖଣ୍ଡିଆ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଭରତପୁର ଥାନା ପୁଲିସ ପହଞ୍ଚି ରଞ୍ଜନଙ୍କୁ ହସ୍ପିଟାଲ ପଠାଇବା ସହ ଯୁବକ ଜଣକୁ ଉଠାଇ ନେଇ ଥାନାରେ ଅଟକ ରଖିଛି । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।