ମୁମ୍ବାଇ ୧୮/୧୧: ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଶ୍ୱେତା ଶାରଦା । ଚଣ୍ଡିଗଡ଼ ଜନ୍ମିତ ଏହି ମଡେଲ ମିସ୍ ଡିଭା ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ଆସନ୍ତା ୧୯ ତାରିଖରେ ଏଲ ସାଲଭାଡୋରରେ ଅନୁଷ୍ଠିତ ହେବାକୁ ଯାଉଥିବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବେ ।
ଗତ ବର୍ଷ ମୁମ୍ବାଇଠାରେ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ହୋଇଥିବା କଡ଼ା ପ୍ରତିଯୋଗିତାରେ ଭାଗ ନେଇ ଶ୍ୱେତା ସମ୍ମାନାସ୍ପଦ ମିସ୍ ଡିଭା ୟୁନିଭର୍ସ ଟାଇଟଲ ହାସଲ କରିଥିଲେ । ପୂର୍ବ ବର୍ଷର ଏହି ଟାଇଟଲ୍ ବିଜୟିନୀ ଦିବିତା ରାଏଙ୍କ ହାତରୁ ସେ ମୁକୁଟ ପିନ୍ଧିଥିଲେ। ମିସ୍ ଡିଭା ହେଉଛି ଫେମିନା ମିସ୍ ଇଣ୍ଡିଆ ଗ୍ରୁପ୍ର ଅଂଶ । ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା ପାଇଁ ଭାରତୀୟ ପ୍ରତିନିଧିଙ୍କୁ ଚୟନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଶ୍ୱେତା କହିଛନ୍ତି, ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଭାରତର ପ୍ରତ୍ୟେକ ଝିଅ ଏହି ମୁକୁଟ ହାସଲ କରିବାକୁ ସ୍ୱପ୍ନ ଦେଖନ୍ତି ।
ଅନ୍ତର୍ଜାତୀୟ ମଞ୍ଚରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିବା ଜୀବନର ଏକ ବଡ଼ ଉପଲବ୍ଧି । ଏହି ସୁଯୋଗ ପାଇଥିବାରୁ ମୁଁ ଭାଗ୍ୟଶାଳୀ ଓ କୃତଜ୍ଞ ମନେକରୁଛି । ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଦେଶକୁ ଆଣିବା ପାଇଁ ମୁଁ ମୋର ଶ୍ରେଷ୍ଠ ଦେବି ।’ ମଡେଲିଂରେ କ୍ୟାରିଅର୍ କରିବା ପାଇଁ ଶ୍ୱେତା ୧୬ ବର୍ଷ ବୟସରେ ମା’ଙ୍କ ସହ ମୁମ୍ବାଇ ଆସିଥିଲେ । ଇନ୍ଦିରା ଗାନ୍ଧି ନ୍ୟାସନାଲ ଓପନ୍ ୟୁନିଭର୍ସିଟିରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।
ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ମିସ୍ ଡିଭା ପ୍ରତିଯୋଗିତାରେ ସେ ମିସ୍ ଡିଭା-୨୦୨୩ ଟାଇଟଲ ଜିତିଥିଲେ । ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, ‘ଡ୍ୟାନ୍ସ ଦିୱାନେ’ ଓ ‘ଡ୍ୟାନ୍ସ ପ୍ଲସ୍’ ଭଳି ଅନେକ ରିୟଲିଟି ଶୋ’ରେ ସେ ନଜର ଆସିଥିଲେ । ‘ଝଲକ୍ ଦିଖ୍ଲା ଜା’ରେ ସେ କୋରିଓଗ୍ରାଫର୍ ମଧ୍ୟ ଥିଲେ ।