ମୁମ୍ବାଇ ୧୧/୧୨: ଡ୍ୟାନ୍ସର ତଥା ଅଭିନେତ୍ରୀ ମୁକ୍ତି ମୋହନ ରବିବାର ପ୍ରେମିକ କୁନାଲ ଠାକୁରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କୁନାଲ ଜଣେ ଅଭିନେତା ହୋଇଥିବାବେଳେ ନିକଟରେ ତାଙ୍କୁ ରଣବୀର କପୁରଙ୍କ ‘ଆନିମଲ୍’ରେ ଦେଖିବାକୁ ମିଳିଥିଲା । ଦମ୍ପତି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।
ଏହି ଶୁଭ ଅବସରରେ ମୁକ୍ତି ମୋହନ ଏକ ଧଳା ଓ ଲାଲ୍ ରଙ୍ଗର ଲେହଙ୍ଗା ପିନ୍ଧି ଅତ୍ୟନ୍ତ ଲାସ୍ୟମୟୀ ଲାଗୁଥିଲେ । କୁନାଲଙ୍କୁ ଧଳା, ଲାଲ୍ ରଙ୍ଗର ଶେରୱାନିରେ ଦେଖିବାକୁ ମିଳିଥିଲା । ଅନେକ ସେଲିବ୍ରିଟି ସେମାନଙ୍କୁ ବିବାହ ଅବସରରେ ଶୁଭକାମନା ଜଣାଇଛନ୍ତି । ମୁକ୍ତି ମୋହନ ଡ୍ୟାନ୍ସ ରିଆଲିଟି ଶୋ ‘ଜରା ନଚ୍କେ ଦିଖା-୨’ରେ ଭାଗ ନେଇ ବିଜୟୀ ହୋଇଥିଲେ । ‘କମେଡି ସର୍କସ୍ କା ଜାଦୁ’ରେ ମଧ୍ୟ ସେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ । ଏହାଛଡା କିଛି ବଲିଉଡ୍ ଫିଲ୍ମରେ ବି ତାଙ୍କ ଅଭିନୟ ଦକ୍ଷତା ଦେଖିବାକୁ ମିଳିଛି ।
ମୁକ୍ତି ହେଉଛନ୍ତି ନୀତି ମୋହନ ଏବଂ ଶକ୍ତି ମୋହନଙ୍କ ଭଉଣୀ । ସେମାନଙ୍କ ମଧ୍ୟରୁ ନୀତି ମୋହନ ଜଣେ ଗାୟିକା ଭାବେ ସୁନାମ ଅର୍ଜନ କରିଥିବାବେଳେ ଶକ୍ତି ମୋହନ ଜଣେ ଡ୍ୟାନ୍ସର ଓ କୋରିଓଗ୍ରାଫର । ଅନ୍ୟପଟେ କୁନାଲ ଠାକୁର ଜଣେ ଅଭିନେତା ଏବଂ ମଡେଲ । ‘ଆନିମଲ୍’ ଫିଲ୍ମ ପୂର୍ବରୁ ତାଙ୍କୁ ‘କବିର ସିଂହ’ରେ ଏକ ସହାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ଏହାଛଡା ଟିଭି ଶୋ ‘କସୌଟି ଜିନ୍ଦଗୀ କି’ରେ ମଧ୍ୟ ସେ ନଜର ଆସିଥିଲେ ।