ପୁରୀ,୦୩/୦୩: ମୋ ପରିବାରରେ କେହି ନାହାନ୍ତି । ମୁଁ ଅତି ସାଧାରଣ ଜୀବନଯାପନ କରେ । ନେଦର୍ଲାଣ୍ଡସ୍ରେ ବିଭିନ୍ନ ପୁରାତନ ଜିନିଷ ବ୍ୟବସାୟ କରେ । ସେଥିରୁ ଯାହା ରୋଜଗାର କରେ ସେଥିରେ ପେଟ ପୋଷେ । ବଳକା ଅର୍ଥରେ ବିଦେଶ ଭ୍ରମଣ କରେ । ଅତି ସରଳ ବିଶ୍ୱାସୀ । ସହଜରେ ସମସ୍ତଙ୍କୁ ଗ୍ରହଣ କରିଦିଏ । ଯେଉଁଥିପାଇଁ ଆଜି ଏଭଳି ଦୁଃଖ ଭୋଗିବାକୁ ପଡ଼ିଲା । ଟ୍ୟାକ୍ସି ଚାଳକ ମୋତେ ଫସାଇ ଦେଲା । ପୁରୀରେ ଲୁଟ୍ର ଶିକାର ନେଦର୍ଲାଣ୍ଡ୍ରର ପର୍ଯ୍ୟଟକ ଆନ୍ଥୋନୀ ଭ୍ୟାନ୍ ଆର୍କେଲ୍ କୋହଭରା କଣ୍ଠରେ ଏହା କହିଛନ୍ତି ।
ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨୯ ଯାଏଁ ଦୀର୍ଘ ୫୧ ଦିନର କଷ୍ଟ ଓ ତାଙ୍କ ସହ ଘଟିଥିବା ଅଘଟଣ ସମ୍ପର୍କରେ ଆନ୍ଥୋନୀ ଗୋଟି ଗୋଟି କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକଙ୍କ ସମ୍ମୁଖରେ ବଖାଣିଛନ୍ତି । ସେ କହିଛନ୍ତି, ଜାନୁଆରୀ ୯ ରାତିରେ ପୁରୀରେ ପହଞ୍ଚିଥିଲେ । ପୁରୀ-କୋଣାର୍କ ବେଳାମାର୍ଗ ପାଶ୍ୱର୍ ପେଣ୍ଠକଟା ମେରାଇନ୍ ଥାନା ଅଧୀନ ତୋଷାଳୀ ସ୍ୟାଣ୍ଡ୍ ହୋଟେଲ୍ରେ ରହିଥିଲେ । ସେଠାରୁ ଏକ ଟ୍ୟାକ୍ସି ଭଡ଼ା କରି ଚାନ୍ଦବାଲି ଯାଇଥିଲେ । ବାଟରେ ପରିସ୍ରା କରିବାକୁ ଓହ୍ଲାଇଥିବାବେଳେ ସମସ୍ତ ଟଙ୍କା ଲୁଟ୍ କରିଥିଲା ଟ୍ୟାକ୍ସି ଚାଳକ । ପରବର୍ତ୍ତୀ ସମୟରେ ବିଭିନ୍ନ ବାହାନା ଦେଖାଇଥିଲା । ନିଜେ ଟଙ୍କା ଲୁଚାଇ ଲୁଟେରା ନେଇଗଲା ବୋଲି କହିଥିଲା । ଏହାପରେ ଭୁବନେଶ୍ୱରରେ ୨ ଦିନ ରଖିଲା । ସେଠାରୁ ଆଣି ପୁରୀ ବଳିଆପଣ୍ଡାରେ ୧୧ଦିନ ବନ୍ଦ କୋଠରିରେ ରଖିଥିଲା । ପଦାକୁ ବାହାରିଲେ ହାତୀ ମାରିଦେବ ବୋଲି କହିଥିଲା ।
ମୁମ୍ବାଇ ପୁଲିସ ଲୁଟେରାକୁ ଧରିଛି, ତୁମେ ସେଠାକୁ ଯାଅ କହି ଟ୍ୟାକ୍ସି ଚାଳକ ଜଣକ ଟ୍ରେନ୍ରେ ବସାଇ ଦେଇଥିଲା । ଏହି ସମୟରେ ଟ୍ୟାକ୍ସି ଚାଳକ ପୁଣି ଲୁଟ୍ କରିବାକୁ ଚକ୍ରାନ୍ତ କରିଥିଲା । କହିଥିଲା, ଯିବାବେଳେ ଟ୍ରେନ୍ରେ ଜିନିଷ ଚୋରି ହୋଇଯିବ । ତେଣୁ ଆଉ ଯାହା କିଛି ଅଛି ମୋ ପାଖରେ ରଖିକି ଯାଅ । ମୁମ୍ବାଇରୁ ଫେରିଲେ ତୁମ ଜିନିଷ ନେଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହାତ ଘଣ୍ଟା, ହୀରା ମୁଦି, କ୍ୟାମେରା ଓ ଅନ୍ୟାନ୍ୟ ଜିନିଷ ସବୁ ଛାଡ଼ି କେବଳ ଭିସା ଓ ପାସ୍ପୋର୍ଟ ପାଖରେ ରଖିଥିଲି । ମୁମ୍ବାଇ କହି ଦିଲ୍ଲୀ ଟ୍ରେନ୍ରେ ମୋତେ ବସାଇଥିଲା ଟ୍ୟାକ୍ସି ଚାଳକ । ଦିଲ୍ଲୀରେ ପହଞ୍ଚି ପୁଣି ଠକାମିର ଶିକାର ହୋଇଥିବା ଜାଣିବା ପରେ ପୁରୀ ଫେରିଥିଲି । ହେଲେ ଟ୍ୟାକ୍ସି ଚାଳକ ରହୁଥିବା ଘର ତାଲା ପଡ଼ିଥିଲା । ସମସ୍ତ ଜିନିଷ ଲୁଟ୍ ହୋଇଗଲା ବୋଲି ଜାଣିବାକୁ ପାଇଥିଲି । ଏହାପରେ ଆଇନ୍ର ଆଶ୍ରୟ ନେଲି । ରହୁଥିବା ଅଞ୍ଚଳ ଟାଉନ୍ ଥାନା ସୀମା ହୋଇଥିବାରୁ ଏହି ଥାନା ପୁଲିସ ମାମଲା ରୁଜୁ କରିଥିଲା ।
ପରେ ନୀଳାଦ୍ରି ନିଳୟରେ ରହିଥିଲି । ଟାଉନ୍ ଥାନାରେ ଲୁଟ୍ ସମ୍ପର୍କରେ ମାମଲା ରୁଜୁ ହୋଇଥିବାବେଳେ ଲୁଟେରା ଜଣକ ଫେରାର୍ ହୋଇଯାଇଥିଲା । ଲୁଟେରା ଚଳାଉଥିବା ଟ୍ୟାକ୍ସି ପୁଲିସ ଜବତ କରିଥିବାବେଳେ ତଦନ୍ତ ଆଗେଇ ନଥିଲା । ଲୁଟ୍ ହୋଇଥିବା ଟଙ୍କା ଓ ଜିନିଷ ଫେରି ନପାଇ ଚିନ୍ତାରେ ଥିଲି । ପାଖରେ ଭିସା ଓ ପାସ୍ପୋର୍ଟ ଥିଲେ ବି ଟଙ୍କା ନଥିବାରୁ କେମିତି ନିଜ ଦେଶ ଫେରିବି ସେଥିପାଇଁ ଅସ୍ଥିର ହୋଇ ପଡ଼ିଥିଲି । ପୁରୀର ଉମିଦ ଫାଉଣ୍ଡେସନ ସମ୍ପାଦକ ତଥା ଯୁବ ସମାଜସେବୀ ଡାନିଆଲ ନାୟକ ମୋତେ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ବି କିଛି ପଦକ୍ଷେପ ନିଆଯାଇ ନଥିଲା ।
ଶେଷରେ ଗତ ୨୯ ତାରିଖରେ ଡାନିଏଲ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ସାମ୍ନାକୁ ଆଣିଥିଲେ । ଏହାପରେ ତାଙ୍କୁ ନୀଳାଦ୍ରି ନିଳୟରୁ ଉଦ୍ଧାର କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବ୍ୟବସ୍ଥାରେ ଆନ୍ଥୋନୀଙ୍କୁ ଆଶ୍ରୟ ଦିଆଯିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯାଇଛି । ଚିକିତ୍ସା ସହ ଖାଦ୍ୟପେୟ ଓ ରହଣି ସ୍ଥଳ ଉନ୍ନତମାନର ବୋଲି ସେ କହିଛନ୍ତି ।
ଆସନ୍ତା ୧୫ ତାରିଖ ଭୋର୍ ୩ଟା ୫୦ରେ ନାଗପୁରରୁ ନେଦର୍ଲାଣ୍ଡସ୍କୁ ଫ୍ଲାଇଟ୍ ଥିବା ସେ କହିଛନ୍ତି । ତେଣୁ ତାଙ୍କୁ ପୂର୍ବରୁ ନାଗପୁରରେ ନେଇ ରଖିବାକୁ ପ୍ରଶାସନ ବ୍ୟବସ୍ଥା କରୁଥିଲା । କିନ୍ତୁ ଏଥିରେ ନାରାଜ୍ ହୋଇଥିଲେ ଆନ୍ଥୋନୀ । ସେ ପୁରୀରେ ରହି ୧୪ ତାରିଖ ରାତିରେ ନାଗପୁରରେ ପହଞ୍ଚିବାକୁ ନିବେଦନ କରିଥିଲେ । ତେଣୁ ପୁରୀ ଜିଲ୍ଲା ପ୍ରଶାସନ ସେହିଦିନ ଯାଏଁ ରହଣି ବ୍ୟବସ୍ଥା କରାଇଛି । ୧୪ ତାରିଖ ରାତିରେ ନାଗପୁରରେ ପହଞ୍ଚିବା ପରେ ଭୋର୍ରୁ ନେଦର୍ଲାଣ୍ଡସ୍ ଫେରିଯିବେ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି । ସେପଟେ ଲୁଟ୍ ମାମଲାର ତଦନ୍ତ ଜାରି ରହିଥିବାବେଳେ ଏହି ସମୟ ମଧ୍ୟରେ ଲୁଟେରା ଯଦି ଧରାପଡ଼ିଯାଏ, ତେବେ ଆନ୍ଥୋନୀଙ୍କ ଜିନିଷ ଜବତ କରାଯାଇ ତାଙ୍କୁ ହସ୍ତାନ୍ତର କରାଯିବ । ଯଦି ଫେରିବା ପୂର୍ବରୁ ଲୁଟେରା କିମ୍ବା ଲୁଟ୍ ଜିନିଷ ନମିଳେ ତେବେ ପରବର୍ତ୍ତୀ ସମୟରେ ଏହାକୁ ଫେରାଇବାର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆନ୍ଥୋନୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର ସଂଗ୍ରହ କରିଛି ପ୍ରଶାସନ ।