ବେଙ୍ଗାଲୁରୁ,୦୯/୧୧: ଚଳିତ ବିଶ୍ୱକପ୍ରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ରହିଛି । ଗତ ବିଶ୍ୱକପ୍ର ରନର୍ସ ଅପ୍ ନ୍ୟୁଜିଲାଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି। ଉଭୟ ଦଳର ଏହା ଶେଷ ଲିଗ୍ ମ୍ୟାଚ୍। ଶ୍ରୀଲଙ୍କା ସେମି ଦୌଡ଼ରୁ ବାଦ ପଡ଼ି ସାରିଛି । ମାତ୍ର ଏହି ମ୍ୟାଚ୍ ନ୍ୟୁଜିଲାଣ୍ଡର ଭାଗ୍ୟ ନିର୍ଦ୍ଧାରଣ କରିବ । କ୍ରମାଗତ ୪ଟି ପରାଜୟକୁ ଭୁଲି ନ୍ୟୁଜିଲାଣ୍ଡ କେବଳ ବିଜୟ ପାଇଁ ପ୍ରୟାସ କରିବ ।
ନ୍ୟୁଜିଲାଣ୍ଡ ପ୍ରଥମ ୪ଟି ମ୍ୟାଚ୍ରେ ଦମ୍ଦାର ବିଜୟ ହାସଲ କରିବା ପରେ ପରବର୍ତ୍ତୀ ୪ଟି ମ୍ୟାଚ୍ରେ ଲୟ ହରାଇ ପରାଜିତ ହୋଇଛି । ଆହତ ସମସ୍ୟା ଲାଗି ରହିଥିବାବେଳେ ଭାଗ୍ୟ ମଧ୍ୟ ଦଳର ସାଥ୍ ଦେଇ ନାହିଁ । କେନ ୱିଲିୟମସନଙ୍କ ଠାରୁ ଆରମ୍ଭ କରି ଲୋକି ଫର୍ଗୁସନଙ୍କ ପର୍ଯ୍ୟନ୍ତ ଦଳର ଏକାଧିକ ଖେଳାଳି ଆହତ ହୋଇଛନ୍ତି । ପାକିସ୍ତାନ ବିପକ୍ଷରେ ୪୦୧ ରନ ସଂଗ୍ରହ କରିବା ସତ୍ତେ୍ୱ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା । ବର୍ଷା ଯୋଗୁ ଡକ୍ ୱର୍ଥ ଲୁଇସ ନିୟମରେ ପାକିସ୍ତାନ ବିଜେତା ଘୋଷିତ ହୋଇଥିଲା ।
ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ଉନ୍ନତ ରହିଛି । ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ଶେଷ ୨୦ଟି ଦିନିକିଆରୁ ନ୍ୟୁଜିଲାଣ୍ଡ ୧୬ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା । ଗୁରୁବାର ରଚିନ ରବିନ୍ଦ୍ରଙ୍କ ଉପରେ ନଜର ରହିବ । ସେ ଇତି ମଧ୍ୟରେ ୩ଟି ଶତକ ସହ ୫୨୩ ରନ୍ ସଂଗ୍ରହ କରିସାରିଛନ୍ତି । ବେଙ୍ଗାଲୁରୁରେ ଜନ୍ମିତ ରଚିନଙ୍କ ବ୍ୟାଟ୍ରୁ ଗୁରୁବାର ବଡ଼ ଇନିଂସ ଆଶା କରାଯାଉଛି । ନ୍ୟୁଜିଲାଣ୍ଡ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ । ମାଟ ହେନରୀଙ୍କ ସ୍ଥାନରେ ଦଳକୁ ଆସିଥିବା କେଲି ଜାମିସନ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି ।
ବାଂଲାଦେଶ ବିପକ୍ଷ ବିବାଦୀୟ ମୁକାବିଲାରେ ପରାଜୟ ପରେ ଶ୍ରୀଲଙ୍କା ମନୋବଳ ହରାଇ ସାରିଛି । ସ୍ୱଦେଶ ଫେରିବା ପୂର୍ବରୁ ଏକ ବିଜୟ ସହ ସମ୍ମାନ ବଞ୍ଚାଇବାକୁ ଦଳ ପ୍ରୟାସ କରିବ । ଗୁରୁବାର ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ଚରିଥ ଆଶାଲଙ୍କାଙ୍କ ଉପରେ ନଜର ରହିବ । ସେ ବାଂଲାଦେଶ ବିପକ୍ଷରେ ଶତକ ଅର୍ଜନ କରିଥିଲେ।
ବେଙ୍ଗାଲୁରୁ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ନ୍ୟୁଜିଲାଣ୍ଡ ଗତ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୪୦୧ ରନ୍ ସଂଗ୍ରହ କରିଥିଲା । ଗୁରୁବାର ମଧ୍ୟ ବଡ଼ ସ୍କୋର ସମ୍ଭାବନା ରହିଛି । ଶ୍ରୀଲଙ୍କା ମଧ୍ୟ ଏହି ଗ୍ରାଉଣ୍ଡ୍ରେ ଇଂଲଣ୍ଡକୁ ହରାଇଥିଲା ।
-: ସମ୍ଭାବ୍ୟ ଦଳ :-
ନ୍ୟୁଜିଲାଣ୍ଡ: ଡେଭନ କନୱେ, ରଚିନ ରବିନ୍ଦ୍ର, କେନ ୱିଲିୟମସନ(ଅଧିନାୟକ), ଡାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର, ଆଇସ ସୋଧି/କେଲି ଜାମିସନ, ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ ।
ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ପେରେରା, କୁଶଲ ମେଣ୍ଡିସ୍(ଅଧିନାୟକ), ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜୟ ଡି ସିଲଭା, ମହୀଶ ତୀକ୍ଷଣା, କାସୁନ ରଜିଥା, ଦୁଷ୍ମନ୍ତ ଚାମୀରା, ଦିଲସାନ ମଦୁଶଙ୍କା ।