ସମ୍ବଲପୁର, ୨୬/୦୧: ରାତି ପାହିଲେ ଲୋକାର୍ପଣ ହେବ ଐତିହାସିକ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପଣ ସମ୍ପନ୍ନ ହେବ । ଏହି ମର୍ମରେ ଆସନ୍ତା ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ହୋମଯଜ୍ଞ ଅନୁଷ୍ଠିତ ହେବ । ହେଲେ ଶୁକ୍ରବାର ଏହାର ଅଧିବାସ କାର୍ଯ୍ୟକ୍ରମ ରଖାଯାଇଛି । ଏଥିପାଇଁ ବିଶାଳ ଭବ୍ୟ କଳସ ଯାତ୍ରା ଆୟୋଜନ ହୋଇଛି । ମହାନଦୀ ଘାଟରୁ ୧୧ ଶହ ମହିଳା ପୂର୍ଣ୍ଣ କଳସ ନେଇ ଯଜ୍ଞ ମଣ୍ଡପରେ ପହଞ୍ଚିବେ । ମାରୱାଡ଼ି ପଡ଼ାରୁ ସାନସଡ଼କ ଦେଇ ସମଲେଶ୍ୱରୀ ମନ୍ଦିରକୁ କଳସ ଯାତ୍ରା ପହଞ୍ଚିବା ପରେ ଅଧିବାସୀ ରୀତିନୀତି ଅନୁଷ୍ଠିତ ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ଚାଲିଥିବା ହୋମଯଜ୍ଞ ଓ ଚଣ୍ଡୀପାଠରେ ସାମିଲ ହେବେ । ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଉଦ୍ଘାଟନର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସ (ପୂର୍ବର ଟୁଇଟର)ରେ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି । ସମ୍ବଲପୁରୀ/କୋସଲି ଭାଷାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ମାଁ ସମ୍ଲେଇର୍ ଆଶୀର୍ବାଦ୍ରୁ ସମଲେଇ ପୀଠ୍ ନୂଆ ରୂପ୍ ପାଇଛେ । ଜାନୁୟାରୀ ୨୭ରେ ସମ୍ଲେଇ ପ୍ରକଳ୍ପ ଲୋକାର୍ପଣ୍ ହେବାକେ ଯାଉଛେ । ଆସୁନ୍ ସଭେ ମିଶିକି ଉସତ୍ ମନେଇ କାର୍ଯ୍ୟକମ୍ରେ ସାମିଲ ହେମାଁ ।’
ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହୋମଯଜ୍ଞ ହେବା ସ୍ଥଳୀକୁ ଆକର୍ଷଣୀୟ ଭାବେ ସଜା ହୋଇଛି । ଏହି ପ୍ରକଳ୍ପ ଅବସରରେ ହେବାକୁ ଥିବା ହୋମଯଜ୍ଞ ଓ ଚଣ୍ଡୀପାଠ ଆସନ୍ତା ୨୭ରୁ ୩୧ ତାରିଖ ଯାଏ ଚାଲିବ । ଏଥିରେ ମୁଖ୍ୟ ମଣ୍ଡପ ବ୍ୟତୀତ ମନ୍ଦିରର ଚାରୋଟି ଦ୍ୱାରରେ ଯଜ୍ଞ ମଣ୍ଡପ ନିର୍ମାଣ କାମ ଶେଷ ହୋଇଛି । ଉକ୍ତ ୫ଟି ମଣ୍ଡପରେ ସମସ୍ତ କଳସ ସ୍ଥାପନ କରାଯିବ । ଏହା ଛଡ଼ା ଅଧିବାସ ହୋଇ ୨୭ ତାରିଖ ସକାଳ ସାଢ଼େ ୮ଟାରୁ ହୋମଯଜ୍ଞ ଏବଂ ଚଣ୍ଡୀପାଠ ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଲୋକାର୍ପଣ ପାଇଁ ଲଗ୍ନ ନିରୂପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଏଥିରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୨୭ ତାରିଖରେ ସାମୟିକ ଭାବେ ଭକ୍ତଙ୍କ ପାଇଁ ମନ୍ଦିର ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ୩୦ ଜିଲ୍ଲା ସମେତ ଛତିଶଗଡ଼ର ମୋଟ୍ ୧୦୮ଟି ଦେବୀପୀଠକୁ ନିମନ୍ତ୍ରଣ କରାଯାଇଛି । ସେହି ମନ୍ଦିର କମିଟିର ପ୍ରତିନିଧିଙ୍କୁ ଯଜ୍ଞ ମଣ୍ଡପରେ ଉପସ୍ଥିତ ରହିବା ବ୍ୟବସ୍ଥା କରାଯାଇଛି । ସେହିପରି ଏହି ଯଜ୍ଞ କର୍ମରେ ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାର ୩୦ ପଣ୍ଡିତ ସାମିଲ ହେବେ । ଆଉ ସ୍ଥାୟୀ ଭାବେ ମନ୍ଦିର ଅପରପାଶ୍ୱର୍ ମହାନଦୀ ଘାଟରେ ହେବାକୁ ଥିବା ମହାନଦୀ ଆଳତି ବି ୨୭ ତାରିଖ ସନ୍ଧ୍ୟାରେ ଆରମ୍ଭ ହେବ । ଏହି ଆଳତି ପାଇଁ ସମଲେଇ ପ୍ରକଳ୍ପ ଅଧୀନରେ ୩୫୦ ମିଟର ଲମ୍ବର ୨ଟି ବିଶାଳ ପ୍ଲାଟଫର୍ମ ନିର୍ମାଣ କରାଯାଇଛି । ଏଥିରେ ଉକ୍ତଦିନ ୧୪ ଜଣ ସ୍ଥାନୀୟ ପଣ୍ଡିତଙ୍କ ସମେତ ଛତିଶଗଡ଼ର ଚନ୍ଦ୍ରହାସିନୀ ପୀଠର ୭ ପଣ୍ଡିତ ଆଳତିରେ ମନ୍ତ୍ରପାଠ କରିବେ ।
ସମଲେଇ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ସାମିଲ କରିବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚେଷ୍ଟା କରାଯାଉଛି । ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର ପ୍ରତି ଘରୁ ସିନ୍ଦୂର ଓ ଚୁନ୍ରୀ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଯାହାକି ପର୍ଯ୍ୟାୟକ୍ରମେ ମା’ଙ୍କ ମନ୍ଦିରରେ ପହଞ୍ଚିବ । ମା’ଙ୍କ ମନ୍ଦିର ଓ ଏହାର ପରିସର ମାତ୍ର ୪.୪୨ ଏକରରେ ସୀମିତ ଥିଲା । ହେଲେ ବର୍ତ୍ତମାନ ଏହି ପ୍ରକଳ୍ପ ଦ୍ୱାରା ଏହାର କଳେବର ୪୦ ଏକରକୁ ବୃଦ୍ଧି ପାଇଛି ।