ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ

Published By : Prameya | February 26, 2024 8:32 AM

ଭୁବନେଶ୍ୱର,୨୬/୦୨: ଗଞ୍ଜେଇ  ମାଫିଆଙ୍କ ନୂଆ ଚାଲ୍‌ । ବଜାରକୁ ଛାଡ଼ିଛନ୍ତି ଗଞ୍ଜେଇ ଚକୋଲେଟ୍‌ । ଯାହାକି ଏବେ ହାଇଦ୍ରାବାଦ ପୁଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଓଡ଼ିଶାରୁ ଯାଉଥିବା ଶହ ଶହ ଦାଦନ ଶ୍ରମିକ ଏହି ଗଞ୍ଜେଇ ଚକୋଲେଟ୍‌ ହାଇଦ୍ରାବାଦ ନେଇ  ବେପାର କରୁଥିବା ତେଲଙ୍ଗାନାର ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି । 

ହାଇଦ୍ରାବାଦର ବାଲାନଗର ଅଞ୍ଚଳରେ ପୁଲିସ ଜନୈକ ଓଡ଼ିଆ ଅନନ୍ତ କୁମାର ବାରିକକୁ ଗିରଫ କରି ତାଙ୍କ ନିକଟରୁ ୧୪୦ଟି ଗଞ୍ଜେଇ ଚକୋଲେଟ୍‌ ଜବତ କରିଛି । ସୌମ୍ୟ ରଞ୍ଜନ ମଲ୍ଲିକ ନାମକ ଅନ୍ୟ ଜଣେ ବ୍ୟକ୍ତିଠାରୁ ୪ କିଲୋ ଚକୋଲେଟ୍‌ ଜବତ କରାଯାଇଛି । ନାନାକ୍ରାମଗୁଡ଼ା ଅଞ୍ଚଳରେ ହିଲାଲୁଦ୍ଦିନ  ମଜୁମଦାର ନାମକ ପାନ ଦୋକାନୀଠାରୁ  ମଧ୍ୟ ଏଭଳି ଚକୋଲେଟ୍‌ ଜବତ  ହୋଇଛି । ଲକ୍ଷ୍ନୌର ଜଣେ ବ୍ୟକ୍ତିଠାରୁ  ସେ କୋରିଅର ମାଧ୍ୟମରେ ୫୬୦ଟି  ଗଞ୍ଜେଇ ଚକୋଲେଟ୍‌ (୨.୬ କିଲୋ)  ମଗାଇ ବିକୁଥିବା ସ୍ୱୀକାର କରିଛନ୍ତି । ସେ ୫ ଟଙ୍କା ଦରରେ ଏହା କିଣିଥିବା ବେଳେ  ୨୦/୩୦ ଟଙ୍କା ଦରରେ ବିକୁଛି । ବିପିନ  ନାମକ ଜଣେ ଓଡ଼ିଆଙ୍କଠାରୁ ସେ ଲକ୍ଷ୍ନୌର ବେପାରୀଙ୍କ ଠିକଣା ଯୋଗାଡ଼ କରିଥିଲା । 

ପୁଲିସ କହିଛି ଅନନ୍ତ ଓ ସୌମ୍ୟ  ଭଳି ଶହ ଶହ ଦାଦନ ଏବେ ଓଡ଼ିଶାରୁ  ଯିବାବେଳେ ଗଞ୍ଜେଇ ଚକୋଲେଟ ନେଇ  ଯାଉଛନ୍ତି । ସେମାନେ ସେଠାରୁ ଅଣଓଡ଼ିଆ  ଦାଦନ ଓ କଲେଜ/ସ୍କୁଲ ପିଲାଙ୍କୁ ପ୍ରଥମେ  ମାଗଣାରେ ଏହି ଚକୋଲେଟ୍‌ ବାଣ୍ଟୁଛନ୍ତି ।  ଏହା ଖାଇବା ସେମାନଙ୍କ ଅଭ୍ୟାସରେ  ପରିଣତ ହୋଇଯିବା ପରେ ପ୍ରତି  ଚକୋଲେଟ୍‌କୁ ୨୦ ଟଙ୍କା ଦରରେ ବିକ୍ରି  କରୁଛନ୍ତି । ଏହି ଚକୋଲେଟ୍‌ର ଓଜନ  ୫ ଗ୍ରାମ ଏବଂ ଏଥିରେ ୧୬% ଗଞ୍ଜେଇ  ଭାଗ ରହୁଛି । ଚକୋଲେଟକୁ ରଙ୍ଗୀନ  ଜରିରେ ଗୁଡ଼ାଇ ଆକର୍ଷଣୀୟ କରାଯାଉଛି । 

ଏଭଳି ଚକୋଲେଟ୍‌ ବେପାର କରୁଥିବା  ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ  କୋରାପୁଟ ଓ ପାଖଆଖ ଜିଲ୍ଲାରୁ ଚାଲାଣ  ହେଉଥିବା ଗଞ୍ଜେଇକୁ ନେଇ ବାଲେଶ୍ୱର  ଜିଲ୍ଲାର କୌଣସି ସ୍ଥାନରେ ଏଭଳି  ଚକୋଲେଟ୍‌ ପ୍ରସ୍ତୁତ ହେଉଛି । ଏପରିକି  କେତେକ ବେପାରୀ ଓଡ଼ିଶାରୁ ଗଞ୍ଜେଇ  ନେଇ ଲକ୍ଷ୍ନୌରେ ଚକୋଲେଟ ପ୍ରସ୍ତୁତ  କରି ଭିନ୍ନ ଭିନ୍ନ ରାଜ୍ୟକୁ ଚାଲାଣ କରୁଛନ୍ତି । 

ହାଇଦ୍ରାବାଦର ଅନେକ ଅଞ୍ଚଳରେ  ଗଞ୍ଜେଇ ଚକୋଲେଟ୍‌ କାରବାର  ବଢ଼ିବାରେ ଲାଗିଛି । ଏହା ଖାଇବାର  କେଇ ମିନିଟ ମଧ୍ୟରେ ବ୍ୟକ୍ତି ଅର୍ଦ୍ଧ ନିଶାଗ୍ରସ୍ତ  ହୋଇଯାଉଛି । କଲେଜ ଛାତ୍ରଛାତ୍ରୀଙ୍କ  ମଧ୍ୟରେ ଏହା ‘ଚାରମିନାର ଗୋଲ୍ଡ ମୁନାକ୍କା’  ବ୍ରାଣ୍ଡରେ ବିକ୍ରି ହେଉଛି । ସେହିପରି ଟିକେ  ବଡ଼ ଆକାରର ଚକୋଲେଟ୍‌ ‘ମସ୍‌ଥି  ମୁନାକ୍କା’ ବ୍ରାଣ୍ଡରେ ବିକ୍ରି କରାଯାଉଛି ।  ଏଥିରେ ରୋକ୍‌ ଲଗାଇବାକୁ ସ୍ପେଶାଲ  ଟିମ୍‌ ଗଠନ କରି ବିଭିନ୍ନ ବସ୍ତିରେ ଚଢ଼ାଉ  କରିବାକୁ ପୁଲିସର ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ  ଦେଇଛନ୍ତି । ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ  ସଚେତନ କରିବାକୁ ସ୍କୁଲ ଓ କଲେଜ  କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।  

ଗତ କେଇଦିନ ମଧ୍ୟରେ ଭିନ୍ନ ଭିନ୍ନ  ସ୍ଥାନରେ ଚଢ଼ାଉ କରି ପୁଲିସ ଓଡ଼ିଆ ଦାଦନ  ଶ୍ରମିକଙ୍କ ନିକଟରୁ ୪୧.୫ କିଲୋ ଗଞ୍ଜେଇ  ଚକୋଲେଟ ଜବତ କରିଛି । କୋକାପେଟ  ଅଞ୍ଚଳରୁ ଗିରଫ ହୋଇଥିବା ବାଲେଶ୍ୱରର  ଜଣେ ବ୍ୟକ୍ତି ନିକଟରୁ ୩.୬ କିଲୋ ଏବଂ  ରାମନାଥପୁରରେ ଗିରଫ ହୋଇଥିବା ଅନ୍ୟ  ଜଣେ ବ୍ୟକ୍ତି ନିକଟରୁ ୩୫.୨ କିଲୋ  ଗଞ୍ଜେଇ ଚକୋଲେଟ ଜବତ ହୋଇଛି ।  ସେହିପରି ହାଫିଜପେଟ ଅଞ୍ଚଳରେ ଗିରଫ  ହୋଇଥିବା ଉତ୍ତର ପ୍ରଦେଶର ଦୁଇ ଜଣ  ବ୍ୟକ୍ତି ମୁକେଶ ଓ ଗାନ୍ତା ମାନୁଠାରୁ ୨.୭  କିଲୋ ଚକୋଲେଟ ଜବତ କରାଯାଇଛି ।  ଏହା ପୂର୍ବରୁ ଏକ ସ୍କୁଲ ସମ୍ମୁଖରୁ ୩  ଜଣ ଓଡ଼ିଆଙ୍କୁ ଏହି ଚକୋଲେଟ୍‌ ବିକିବା  ଅପରାଧରେ ଗିରଫ କରାଯାଇଥିଲା । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.