ଇସ୍ଲାମାବାଦ,୦୯/୦୨: ବିଭିନ୍ନ ସ୍ଥାନରେ ହିଂସା, ଆତଙ୍କବାଦୀ ଆକ୍ରମଣ ଭିତରେ ପାକିସ୍ତାନରେ ନ୍ୟାସନାଲ ଆସେମ୍ବ୍ଲି ଏବଂ ପ୍ରଦେଶ ନିର୍ବାଚନ ଗୁରୁବାର ଶେଷ ହୋଇଛି । ପାକ୍ ଜନତା ନୂଆ ଆଶାରେ ମତଦାନ କରିଛନ୍ତି । ପୂର୍ବାହ୍ନ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ସନ୍ଧ୍ୟା ୬ଟାରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ବିଭିନ୍ନ ଆସନରେ ଫଳାଫଳ ଜଣାପଡ଼ିଥିଲେ ହେଁ ଔପଚାରିକ ଭାବେ ତାହା ଘୋଷଣା କରାଯାଇନାହିଁ । ଶୁକ୍ରବାର ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରାଯାଇପାରେ । ନ୍ୟାସନାଲ ଆସେମ୍ବ୍ଲିରେ ମୋଟ ୩୩୬ ଆସନ ରହିଛି । ସେଥିମଧ୍ୟରୁ ଗୁରୁବାର ୨୬୫ ଆସନରେ ନିର୍ବାଚନ ହୋଇଛି । ବଳକା ସିଟ୍ ସଂରକ୍ଷିତ ରହିଛି । ଆର୍ଥିକ ଦୁରାବସ୍ଥା ସତ୍ତେ୍ୱ ଦେଶରେ ଗତ ୪ ନିର୍ବାଚନ ତୁଳନାରେ ଚଳିତ ଥର ସର୍ବାଧିକ ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ନିର୍ବାଚନ ପୂର୍ବରୁ ପାକିସ୍ତାନରେ ବିଭିନ୍ନ ସ୍ଥାନରେ ହିଂସା, ଆତଙ୍କବାଦୀ ଆକ୍ରମଣ ଜାରିଥିଲା ବେଳେ ନିର୍ବାଚନ ଦିନ ମଧ୍ୟ ଆକ୍ରମଣ ହୋଇଛି। ଦେଶରେ ଭୋଟିଂ ଚାଲିଥିବାବେଳେ ଖାଇବର ପଖତୁନ୍ଖ୍ୱା(କେପି) ର ଡେରା ଇସ୍ମାଇଲ ଖାନ ଜିଲ୍ଲାରେ ଆତଙ୍କୀ ଆକ୍ରମଣ ହୋଇଛି । ଏଥିରେ ୪ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ସେହିପରି ବଲୁଚିସ୍ତାନରେ ମଧ୍ୟ ଆକ୍ରମଣ ଯୋଗୁ ଆଉ ୨ ପୁଲିସ କର୍ମୀ ନିହତ ହୋଇଛନ୍ତି । ୨ ଶିଶୁଙ୍କ ଜୀବନ ଯାଇଥିବା ମଧ୍ୟ ଜଣାଯାଇଛି । ବଲୁଚିସ୍ତାନର ଏକ ବୁଥ୍ରୁ ସ୍ଥାନୀୟ ଏସ୍ଏଚ୍ଓ ୯୦୦ ଭୋଟ ଉଠାଇନେଇଯାଇ ଥିବା ଅଭିଯୋଗ ହୋଇଛି । ସେହିପରି ଖାଇବର ପଖ୍ତୁନ୍ଖ୍ୱାର ସ୍ୱାବି ଅଞ୍ଚଳରେ ଲୋକେ ମହିଳାଙ୍କୁ ମତଦାନ କରିବାକୁ ଦେଇ ନ ଥିବା ଖବର ସାମ୍ନାକୁ ଆସିଛି । କରାଚିର ୨ ପୋଲିଂ ଷ୍ଟେଶନରେ କେତେଜଣ ବନ୍ଧୁକଧାରୀ ଜବରଦସ୍ତି ପଶି ସେଠାରେ ଥିବା ବାଲ୍ଟ ବାକ୍ସ ଭାଙ୍ଗି ଫେରାର ହୋଇଯାଇଥିଲେ । କେତେକ ବୁଥ୍ରେ ମୁଖାଧାରୀ ପଶି ସେଠାରୁ ଶତାଧିକ ବାଲଟ ପେପର ନେଇ ଯାଇଛନ୍ତି । ବଳକା ବୁଥ୍ଗୁଡ଼ିକରେ ଗଣତି ଜାରିଥିଲା । ତେବେ ଭୋଟ ଗଣତିବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଇଣ୍ଟରନେଟ, ମୋବାଇଲ ଫୋନ ସେବା ବନ୍ଦ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲେ ହେଁ ଡିଜିଟାଲ ରାଇଟ୍ସ ଗ୍ରୁପ୍ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା ।
ପାକିସ୍ତାନ ପିପୁଲ୍ସ ପାର୍ଟିର ବିଲାୱଲ ଭୁଟ୍ଟୋ-ଜର୍ଦାରି ଲାହୋର, ଲରକାନା ଏବଂ କମ୍ବର ଏହି ୩ ଆସନରେ ଆଗୁଆ ଅଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସ୍ଲିମ୍ ଲିଗ୍ର ନୱାଜ ଶରିଫ୍ ଏନ୍ଏ-୧୩୦ ଆସନରୁ ଆଗୁଆ ରହିଛନ୍ତି । ପେଶାୱରର ଅଧିକାଂଶ ଆସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପିଟିଆଇ ଦଳର ପ୍ରାର୍ଥୀ ଆଗରେ ଅଛନ୍ତି । ତେବେ ପାକିସ୍ତାନ ନିର୍ବାଚନରେ ସେନା ସମର୍ଥନରେ ଶରିଫ୍ ପୁଣି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।