ମ୍ୟାଡ୍ରିଡ୍: ସ୍ପେନ୍ରେ ଆତଙ୍କବାଦ ବିସ୍ତାର କରୁଥିବା ଅଭିଯୋଗରେ ୧୪ ଜଣ ପାକିସ୍ତାନୀ ବଂଶୋଦ୍ଭବଙ୍କୁ ଗିରଫ କରିଛି ପୋଲିସ । ଏମାନେ ସ୍ପେନ୍ରେ ଜିହାଦୀ ନେଟଓ୍ବର୍କ ସହ ଜଡ଼ିତ ଥିବା ଜଣାପଡ଼ିଛି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ପରେ ସ୍ପେନ୍ରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ସମଗ୍ର ଦେଶରେ ଆଲର୍ଟ ଜାରି ହୋଇଥିବା ବେଳେ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରୁଛି । ତେବେ ଧରାପଡ଼ିଥିବା ୧୪ ପାକିସ୍ତାନୀ ସ୍ପେନରେ ଅନଲାଇନ୍ରେ ଜିହାଦୀ ମେସେଜ୍ ଏବଂ ଘୃଣା ପ୍ରସାର କରୁଥିଲେ । ସେହିଭଳି ଗତ ମାସରେ ୪ ଜଣଙ୍କୁ ପୋଲିସ ଗିରଫ କରିଥିଲେ ।
ସ୍ପେନ୍ର ଜଣେ ବରିଷ୍ଠ ସାମ୍ବାଦିକ ଡେଭିଡ୍ ଏଥରଟନ୍ ଟ୍ବିଟ କରି କହିଛନ୍ତି ଯେ, ଏହି ୧୪ ଜଣ ପାକିସ୍ତାନର ଏକ ଇସ୍ଲାମ ଚରମପନ୍ଥୀ ରାଜେନୖତିକ ଦଳ ତେହରିକ ଏ-ଲବ୍ୟାକ୍ ପାକିସ୍ତାନ (ଟିଏଲପି)ସହ ସଂପର୍କିତ । ଟିଏଲପି ୨୦୧୫ରେ ସ୍ଥାପିତ ଏକ ଧାର୍ମିକ-ରାଜନୈତିକ ସଂଗଠନ ହୋଇଥିବା ବେଳେ ନିଜକୁ ପ୍ରଫେଟ ମହମ୍ମଦଙ୍କ ମର୍ଯ୍ୟାଦା ରକ୍ଷାକାରୀ ବୋଲି ଘୋଷଣା କରିଆସିଛି । ସ୍ପେନ୍ର ଏକ ଖବର କାଗଜ ଅନୁସାରେ, ଗିରଫ କରାଯାଇଥବା ପାକିସ୍ତାନୀଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଥିଲା । ଏହି ଜିହାଦୀମାନଙ୍କୁ ଆତଙ୍କବାଦ ବିସ୍ତାର ଅଭିଯୋଗରେ ଗିରଫ କରାଯାଇଛି ବୋଲି କୋର୍ଟରେ କହିଥିଲା ପୋଲିସ । ଏମାନେ କାଟାଲୋନିଆ, ଭାଲେନ୍ସିଆ, ଗୁଇପୁଜିଆ, ଭିଟୋରିଆ, ଲୋକରୋନୋ ଏବଂ ଲିଏଡାରେ ରହୁଥିବା ନେଇ କୋର୍ଟଙ୍କୁ ସୂଚତି କରାଯାଇଛି ।
ଅନ୍ୟପଟେ ପାକିସ୍ତାନରେ ପରିଚାଳିତ ଆତଙ୍କବାଦୀ ସଂଗଠନ ସମଗ୍ର ବିଶ୍ବରେ ପରିଚିତ । ଏହି ସବୁ ସଂଗଠନକୁ ବିଭିନ୍ନ ଦେଶ ବ୍ୟାନ ମଧ୍ୟ କରିଛନ୍ତି । ୨୦୧୯ ମେ’ ମାସରେ ଜାତିସଂଘ ପକ୍ଷରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ ମହମ୍ମଦକୁ ବ୍ୟାନ କରାଯିବା ସହ ଏହାର ମୁଖ୍ୟ ମସୁଦ ଅଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା ହୋଇଥିଲା । ଏହା ପରେ ସବୁଠୁ ଅଧିକ ବ୍ୟାନ କରାଯାଇଥିବା ଲୋକଙ୍କ ତାଲିକାରେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଥିବା କଥା ସାମ୍ନାକୁ ଆସିଥିଲା। ଜାତିସଂଘ ପକ୍ଷରୁ ପାକିସ୍ତାନର ମୋଟ ୧୪୬ ଜଣଙ୍କ ଉପରେ ବ୍ୟାନ ଲାଗିଥିଲା ।
ବିଦେଶରେ ଆତଙ୍କବାଦ ବିସ୍ତାର କରୁଥିବା ଅଭିଯୋଗ ବ୍ୟତୀତ ଅନ୍ୟାନ୍ୟ କାରଣ ପାଇଁ ମଧ୍ୟ ପାକିସ୍ତାନୀ ଗିରଫ ହେଉଛନ୍ତି । ନିକଟରେ ଭିକ ମାଗିବାକୁ ଯାଇଥିବା ପାକିସ୍ତାନୀ ଭିକାରୀଙ୍କୁ ଗିରଫ କରାଯାଇଛି । ସାଉଦି ଆରବରେ ଜଣେ ନାବାଳକ ଏବଂ ୧୧ ମହିଳାଙ୍କ ସମେତ ୧୬ ଜଣଙ୍କୁ ଗିରଫ କରଯାଇଥିଲା । ତୀର୍ଥଯାତ୍ରୀଙ୍କ ଭିସାରେ ଏମାନେ ବିଦେଶ ଯାଉଥିବା ବେଳେ ସେଠାରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ନେଇ ଅନେକ ଥର ରିପୋର୍ଟ ସାମ୍ନାକୁ ଆସିଛି।