ପାରାଦୀପ,୦୨/୦୨: ପାରାଦୀପ ବନ୍ଦର ଦୁଇଟି ବିରଳ ରେକର୍ଡ କରିଛି । ଗୋଟିଏ ପଟେ ଗତ ଜାନୁଆରୀ ମାସରେ ବନ୍ଦରରେ ସର୍ବାଧିକ ସଂଖ୍ୟକ ଜାହାଜରେ ପଣ୍ୟ ପରିଚାଳନା ହୋଇଥିବାର ରେକର୍ଡ ହୋଇଥିବା ବେଳେ ଅନ୍ୟପଟରେ ଗୋଟିଏ ମାସରେ ୧୪ ମିଲିଅନ୍ ମେଟ୍ରିକ୍ ଟନ୍(ଏମ୍ଏମ୍ଟି)ପଣ୍ୟ କାରବାର କରି ସବୁ ରେକର୍ଡକୁ ପଛରେ ପକାଇଛି ପାରାଦୀପ ବନ୍ଦର । ପୂର୍ବରୁ ଗୋଟିଏ ମାସରେ ଡିସେମ୍ବର ୨୦୨୩ରେ ୬୩୯ଟି ଜାହାଜ ଚଳାଚଳ କରିବାର ରେକର୍ଡ ରହିଥିବା ବେଳେ ଜାନୁଆରୀରେ ଏହି ସଂଖ୍ୟା ୭୩୮ରେ ପହଞ୍ଚିଛି ଯାହାକି ବନ୍ଦରର ଏକ ସର୍ବକାଳୀନ ରେକର୍ଡ ହୋଇଛି ।
ଗୋଟିଏ ମାସରେ ପଣ୍ୟ କାରବାର କ୍ଷେତ୍ରରେ ଗତ ମାର୍ଚ୍ଚ ୨୦୨୩ରେ ୧୩.୫ ମିଲିଅନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାରର ରେକର୍ଡ ରହିଥିବା ବେଳେ ଜାନୁଆରୀ ମାସରେ ୧୪.୩୨ ମିଲିଅନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଦେଶର ସବୁ ବୃହତ୍ ବନ୍ଦରର ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛି । ଏନେଇ ଆଜି ବନ୍ଦରର ପ୍ରଶାସନିକ ଭବନରେ କେକ୍ କାଟି କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବନ୍ଦର ଅଧ୍ୟକ୍ଷ ପିଏଲ୍ ହରନାଦ । ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପଣ୍ୟ କାରବାରକୁ ୧୪୫ ଏମ୍ଏମ୍ଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହା ୧୧୯.୮୫ ଏମ୍ଏମ୍ଟିକୁ ଛୁଇଁଛି ଯାହାକି ପୂର୍ବବର୍ଷ ଜାନୁଆରି ଶେଷ ସୁଦ୍ଧା ୧୦୯.୨୮ ଏମ୍ଏମ୍ଟି ରହିଥିଲା । ବନ୍ଦରର ଏଭଳି ସଫଳତା ଲାଗି ବନ୍ଦର ଅଧ୍ୟକ୍ଷ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବନ୍ଦର ସହ ଜଡ଼ିତ ଥିବା ଶିଳ୍ପ ସଂସ୍ଥା, ବିଭିନ୍ନ ଷ୍ଟେକ୍ ହୋଲଡର୍, କର୍ମଚାରୀ ଓ ଶ୍ରମିକଙ୍କୁ କୃତଜ୍ଞତା ଜଣାଇଛନ୍ତି ।