ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପ୍ରମେୟ ଓ ନ୍ୟୁଜ-୭ର ‘କୃଷକ ରତ୍ନ ସମ୍ମାନ’ ଉତ୍ସବ, ୩୦ ସଫଳ ଚାଷୀଙ୍କୁ "କୃଷକ ରତ୍ନ ସମ୍ମାନ'ରେ ସମ୍ମାନିତ

Published By : Prameya | February 11, 2024 10:37 AM

ଭୁବନେଶ୍ୱର,୧୧/୦୨: ପାହାଡ଼ି ଇଲାକାରେ କିଏ ଥାଇଲାଣ୍ଡ ବରକୋଳି ଚାଷ କରୁଛନ୍ତି,  ଆଉ କିଏ ବୟସର ଅପରାହ୍ନରେ ମାଟିରୁ ସୁନା ଫଳାଉଛନ୍ତି । ୭୦ ବର୍ଷ ବୟସ୍କ ସଞ୍ଜୁ କହଁରରୁ  ନେଇ ପଙ୍କଜଙ୍କ ପର୍ଯ୍ୟନ୍ତ, ରାଜ୍ୟର କୋଣ  ଅନୁକୋଣର ଏ ମାଟିର ମଣିଷ ସଫଳ ଚାଷୀଙ୍କୁ ଗୋଟିଏ ଛାତ ତଳେ ଏକାଠି କରିଥିଲା ପ୍ରମେୟ  ଓ ନ୍ୟୁଜ୍‌ ୭ ପରିବାର । ଅନ୍ନତାତାଙ୍କୁ କୃଷକ ରତ୍ନ  ସମ୍ମାନ-୨୦୨୩ରେ ସମ୍ମାନିତ କରିଥିଲା ।  

ରାଜ୍ୟର ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ସଫଳ  ଓ ପ୍ରେରଣାଦାୟୀ ଚାଷୀଙ୍କୁ ଖୋଜି ଆଜି କୃଷକ  ରତ୍ନ ପ୍ରଦାନ କରିଛି ପ୍ରମେୟ ଓ ନ୍ୟୁଜ୍‌-୭ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ  ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି କୃଷି ବିଭାଗ ପ୍ରମୁଖ ସଚିବ ଡ.ଅରବିନ୍ଦ  କୁମାର ପାଢ଼ୀ ଯୋଗ ଦେଇ କୃଷି କ୍ଷେତ୍ରର ପ୍ରମୁଖ  ଆହ୍ୱାନ ଓ ସମସ୍ୟାକୁ ଉପସ୍ଥାପନ କରିଥିଲେ । ଚାଷୀଙ୍କ ବତାଇଥିଲେ ରାଜ୍ୟ ସରକାରଙ୍କ କୃଷି  କାର୍ଯ୍ୟକ୍ରମର ବିଭିନ୍ନ ଯୋଜନା ବାବଦରେ ।  

ଡ. ପାଢ଼ୀ କହିଲେ, ବର୍ତ୍ତମାନ କୃଷି ପାଇଁ  ସବୁଠୁ ବଡ଼ ଆହ୍ୱାନ ଜଳବାୟୁ ପରିବର୍ତ୍ତନ । ଏହାକୁ  ମୁକାବିଲା କରି କୃଷି ଉତ୍ପାଦନ ବୃଦ୍ଧି କରିବାକୁ ହେବ । ରାଜ୍ୟ ସରକାର ଏ ନେଇ ପଦକ୍ଷେପ  ନେଇଛନ୍ତି । ଏହି ଅବସରରେ ଶିକ୍ଷିତ ଯୁବବର୍ଗଙ୍କ  ଉଦ୍ଦେଶ୍ୟରେ ଡ. ପାଢ଼ୀ କହିଲେ, ପାଠ ପଢ଼ିବା  ପରେ ଛାତ୍ରଛାତ୍ରୀମାନେ ହଳ କରିପାରିବେ ନାହିଁ ।  ମାତ୍ର ପ୍ରୟାସ କଲେ କୃଷି ଉଦ୍ୟୋଗୀ ହୋଇପାରିବେ । ଓୟୁଏଟି ଏବଂ ସୋଆ କୃଷି ମହାବିଦ୍ୟାଳୟର  ପ୍ରଫେସର ଓ ବୈଜ୍ଞାନିକଙ୍କ ଦ୍ୱାରା ଗଠିତ ୫ ଜଣିଆ  ଜୁରି କମିଟି ସଫଳ ଚାଷୀଙ୍କ ଆବେଦନକୁ ଚୟନ  କରିଥିଲା । ପ୍ରାୟ ୧ ହଜାର ଆବେଦନ ପହଞ୍ଚିଥିଲା  ସାରା ରାଜ୍ୟରୁ । ସମର୍ଦ୍ଧନା ସମୟରେ ବେଶ୍‌  ଉତ୍ସାହିତ ଲାଗୁଥିଲେ ପ୍ରତ୍ୟେକ ଚାଷୀ । କେତେକ  ଚାଷୀ ନିଜ ପତ୍ନୀଙ୍କ ସହ ମଞ୍ଚକୁ ଆସିଥିଲେ ସମ୍ମାନ  ଗ୍ରହଣ ପାଇଁ । ବାର୍ତ୍ତା ଦେଇଥିଲେ, ଏ ସଫଳତା  ପଛରେ ପତ୍ନୀ ଓ ପରିବାରର ସମର୍ଥନ, ସହଯୋଗ  ଓ ଭାଗିଦାରୀ ରହିଛି ।  

ଡ. ପାଢ଼ୀ ଚାଷୀମାନଙ୍କ ଉଦ୍ଦେଶ୍ୟରେ କହିଲେ,  କୃଷିରେ ବୈଷୟିକ ଜ୍ଞାନ କୌଶଳ ବଢ଼ାଇବାକୁ  ହେବ । ଏଥିପାଇଁ ଡିଜିଟାଲ୍‌ ଏଗ୍ରିକଲଚର୍‌କୁ ବୃଦ୍ଧି କରିବାକୁ ପଡ଼ିବ । ରାଜ୍ୟରେ ଏବେ  ମାତ୍ର ୩୦% ଚାଷୀ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି । ଏହାକୁ  ଆହୁରି ବୃଦ୍ଧି କରିବାକୁ ପଡ଼ିବ । କୃଷି ବିଭାଗ ଏମିତି  ଟେକ୍ନୋଲୋଜି ବ୍ୟବହାର କରୁଛି, ଚାଷୀ ବିଭାଗକୁ ରୋଗ  ପୋକ ସମ୍ପର୍କିତ ଫଟୋ ପଠାଇବାର ୨ଘଣ୍ଟା ମଧ୍ୟରେ  ସମାଧାନ ହେଉଛି ।  ଡ. ପାଢ଼ୀ କହିଲେ, କୃଷି ଯନ୍ତ୍ରପାତି ବ୍ୟବହାରରେ  ଓଡ଼ିଶା ଆଗୁଆ ରାଜ୍ୟ । ଦେଶରେ ସବୁଠୁ ଅଧିକ ଟ୍ରାକ୍ଟର  ଓଡ଼ିଶାରେ ବିକ୍ରି ହୋଇଛି । ଗତବର୍ଷ ଆମେ ୧୫ଶହ କୋଟି  ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି କରିଛୁ । ରାଜ୍ୟ ସରକାର  ଚାଷୀଙ୍କୁ ଏ ବାବଦରେ ୫ ଶହ କୋଟିର ସବ୍‌ସିଡି  ଦେଇଛନ୍ତି ।  

ସେ କହିଲେ, ୨୦୦୦ ମସିହାବେଳକୁ କୃଷି ବିଭାଗର  ଅନୁଦାନ ମାତ୍ର ୧୧୩୫ କୋଟି ଥିଲା । ଏବେ ରାଜ୍ୟରେ କୃଷି  ପାଇଁ ୨୮ହଜାର ୯୪୪କୋଟିର ବ୍ୟୟବରାଦ ରହିଛି । ଏ  ରାଜ୍ୟ ସରକାରଙ୍କ କୃଷି ପ୍ରତି ଥିବା ପ୍ରତିବଦ୍ଧତାକୁ ସୂଚାଉଛି ।  ଅନୁଦାନ ନୁହେଁ, ଖାଦ୍ୟଶସ୍ୟ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି ।  ୨୦୨୨-୨୩ରେ ରେକର୍ଡ ସଂଖ୍ୟକ ୧୩.୦୭ ମିଲିୟନ ଟନ୍‌  ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ୨୦୦୦-୨୦୦୧ବେଳେ  ଉତ୍ପାଦିତ ହେଉଥିଲା ୫.୫୩ ମିଲିୟନ୍‌ ଟନ୍‌ । ଖାଦ୍ୟଶସ୍ୟ  ଉତ୍ପାଦନ ପାଖାପାଖି ୩ଗୁଣା ବୃଦ୍ଧି ପାଇଛି । ପରିବା ଉତ୍ପାଦନ  ମଧ୍ୟ ୯୮ ଲକ୍ଷ ଟନ୍‌କୁ ବୃଦ୍ଧି ପାଇଛି । ଏହି ବିକାଶ କେବଳ  କୃଷି ଅଧିକାରୀଙ୍କ ପାଇଁ ହୋଇନି । ଏଥିରେ ସିଂହ ଭାଗ  ଅବଦାନ କୃଷକଙ୍କର ରହିଛି । କୃଷି ରତ୍ନ ସମ୍ମାନ ଜରିଆରେ  ସମଗ୍ର ଚାଷୀକୂଳଙ୍କୁ ତା’ର ଶ୍ରେୟ ଦିଆଯାଉଛି । କୌଣସି  ବେସରକାରୀ ସଂସ୍ଥା କୃଷକଙ୍କୁ ସମ୍ବର୍ଦ୍ଧିତ କରିବା ବିରଳ ।  ଏଥିପାଇଁ ସୋଆ, ପ୍ରମେୟ ଓ ନ୍ୟୁଜ୍‌-୭ ଗ୍ରୁପକୁ ଧନ୍ୟବାଦ ।  

ସମ୍ମାନିତ ଅତିଥି ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ  (ପିପିଏଲ୍‌)ର ମୁଖ୍ୟ ବିତ୍ତ ଅଧିକାରୀ ବିଜୟ କୁମାର ବିଶ୍ୱାଳ  କହିଲେ, ଦେଶର ବିକାଶ ଧାରାରେ କୃଷକ ହେଉଛନ୍ତି  ମେରୁଦଣ୍ଡ । କୃଷକଙ୍କୁ ସମ୍ମାନ ଜଣାଇବା ଓ ଯୁବପିଢ଼ୀଙ୍କୁ  ଏ କ୍ଷେତ୍ରରେ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଏ ଦିଗରେ କୃଷକ ରତ୍ନ ସମ୍ମାନ ଏକ ବଳିଷ୍ଠ ପଦକ୍ଷେପ ।  ପିପିଏଲ୍‌ ମଧ୍ୟ କୃଷକଙ୍କ ଉନ୍ନତି ଦିଗରେ ନିରନ୍ତର କାମ  କରୁଛି । କୃଷି କ୍ଷେତ୍ରରେ ବିଭିନ୍ନ ଆହ୍ୱାନକୁ ସାମ୍ନା କରିବା  ପାଇଁ ସରକାରଙ୍କ ସହ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ  ବେସରକାରୀ ଅନୁଷ୍ଠାନ ସହ ଆମେ ସହଭାଗିତାରେ  ସାମିଲ ହୋଇଛୁ । ନିକଟରେ ପିପିଏଲ୍‌ ଦକ୍ଷିଣ ଭାରତ  ଭିତ୍ତିକ ସାର କମ୍ପାନି ମାଙ୍ଗାଲୋର କେମିକାଲ ଆଣ୍ଡ୍‌  ଫର୍ଟିଲାଇଜର୍‌କୁ ଅଧିଗ୍ରହଣ କରିଛି । ପୂର୍ବରୁ ଗୋଆ ଭିତ୍ତିକ  ଜୁଆରୀ ଆଗ୍ରୋ କେମିକାଲ୍ସକୁ ଅଧିଗ୍ରହଣ କରାଯାଇଥିଲା ।  ଏହାଦ୍ୱାରା ପିପିଏଲ୍‌ ଦେଶର ସର୍ବବୃହତ ଘରୋଇ କ୍ଷେତ୍ର  ସାର ଉତ୍ପାଦନକାରୀ କମ୍ପାନି ଭାବେ ଉଭା ହୋଇଛି । ଏବେ  ପିପିଏଲ୍‌ ମୋଟ ୩.୭ ନିୟୁତ ଟନ୍‌ର ସାର ଉତ୍ପାଦନ କ୍ଷମତା  ହାସଲ କରିଛି । ସିଏସ୍‌ଆର୍‌ରେ ପ୍ରଧାନମନ୍ତ୍ରୀ ଘୋଷଣା  କରିଥିବା ଡ୍ରୋନ ଯୋଜନାରେ କୃଷକଙ୍କୁ ସାମିଲ କରିବା  ସହ ମୃତ୍ତିକା ପରୀକ୍ଷା ଦିଗରେ ସାମାଜିକ ଅନୁଷ୍ଠାନ ସହ  ମିଳିତ ହୋଇ କାମ କରୁଛି ବୋଲି ଶ୍ରୀ ବିଶ୍ୱାଳ କହିଥିଲେ ।  

କାର୍ଯ୍ୟକ୍ରମରେ ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌  ଲିମିଟେଡ୍‌ ସିଇଓ ସୁନୀଲ ଦାସ ସ୍ୱାଗତ ଭାଷଣ ଦେଇଥିଲେ ।  ପ୍ରମେୟ ଓ ନ୍ୟୁଜ୍‌-୭ର ସେଲ୍ସ ଓ ମାର୍କେଟିଂ ନିର୍ଦ୍ଦେଶକ  ହିମାଂଶୁ ହୋତା କୃଷକ ରତ୍ନ ସମ୍ମାନ ସମ୍ପର୍କରେ ବିସ୍ତୃତ  ସୂଚନା ଦେଇଥିଲେ । ସୋଆ କୃଷି ମହାବିଦ୍ୟାଳୟ ଡିନ୍‌  ପ୍ରଫେସର ସନ୍ତୋଷ କୁମାର ରାଉତ ମହାବିଦ୍ୟାଳୟରେ  ପ୍ରଦାନ କରାଯାଉଥିବା ପାଠ୍ୟକ୍ରମ ସମ୍ପର୍କରେ ସୂଚନା  ପ୍ରଦାନ କରିଥିଲେ । ନ୍ୟୁଜ୍‌-୭ର କାର୍ଯ୍ୟନିର୍ବାହୀ ସମ୍ପାଦକ  ଦେବନାରାୟଣ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।  କାର୍ଯ୍ୟକ୍ରମରେ ପ୍ରମେୟ ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ  ମିଶ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର,  ଚିଫ୍‌ ନ୍ୟୁଜ୍‌ କୋର୍ଡିନେଟର ସୁଦୀପ ରାଉତ, ପ୍ରସାରଣ  ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ, ସେଲ୍ସ ଡିଜିଏମ୍‌ ଏସଏଫ୍‌  ଅଲ୍ଲି, ସିଦ୍ଧାର୍ଥ ରାୟ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ  ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥି(ପପୁ ପମପମ୍‌) ଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଷୀଙ୍କୁ ଧୁମ୍‌ ହସାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.