ସୂଚନାନୁଯାୟୀ, ଗତ ରାତିରେ ପ୍ରବଳ ବର୍ଷାରେ ଉକ୍ତ ନାଳରେ ହଠାତ୍ ପାଣି ମାଡ଼ି ଆସିଥିଲା। ଆଜି ସକାଳ ପ୍ରାୟ ୬ଟାରେ ମନମୁଣ୍ଡା ଥାନା ଯୋଗିନ୍ଦ୍ରପୁର ପଞ୍ଚାୟତ ରାବିଡି ଗ୍ରାମର ପ୍ରଦୀପ କର୍ମୀ (୩୬) ବାଇକ୍ ଯୋଗେ ଶଳା ଗୁଢ଼ିଆଲି ଗ୍ରାମର ଭକ୍ତ ପାତ୍ର (୧୭ ବର୍ଷ) ଙ୍କୁ ତାଙ୍କ ଘର ଗୁଢ଼ିଆଲି ଗ୍ରାମକୁ ଛାଡ଼ିବାକୁ ଯାଉଥିଲା। ଉକ୍ତ ନାଳରେ ନିର୍ମିତ କଂକ୍ରିଟ ରପଟା ଉପରେ ପ୍ରଖର ଭାବେ ପାଣି ବହୁଥିବାରୁ ଶଳା-ଭିଣୋଇ ଭାସି ଯାଇଥିଲା। ବାଇକ୍ ଚାଳକ ପ୍ରଦୀପ କୌଣସି ମତେ ପହଁରି କୂଳରେ ଲାଗିଯାଇଥିଲା। କିନ୍ତୁ ତାଙ୍କ ଶଳା ନିଖୋଜ ହୋଇଯାଇଥିଲା ଓ ବାଇକ ଭାସିଯାଇଥିଲା । ନିଖୋଜ ଭକ୍ତର ସନ୍ଧାନ ନ ପାଇବାରୁ ଥାନା ଓ ଦମକଳ ଫୋନ୍ ନଂ ଜାଣି ନଥିବାରୁ ପ୍ରଦୀପ ଥାନାକୁ ଜଣାଇବାକୁ ପ୍ରାୟ ୨୦ କିମି ଦୂର ମନମୁଣ୍ଡାକୁ ଆସିଥିଲା। ଭକ୍ତ କୂଳରେ ଲାଗି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଖବର ପାଇ ପ୍ରଦୀପ ଆଉ ଥାନାକୁ ନଯାଇ ଫେରି ଯାଇଥିଲା ।
ସୂଚନାମତେ, ନିଖୋଜ ଭକ୍ତ ପ୍ରଖର ସ୍ରୋତରେ ପହଁରି ପ୍ରାୟ ୫୦୦ ମିଟର ତଳ ଶାନ୍ତିପାଲି ଘାଟରେ ଲାଗି ଯାଇଥିଲା। ସ୍ଥାନୀୟ ବାସିନ୍ଦା ତାକୁ ଉଦ୍ଧାର କରି ଖବର ଦେଇଥିଲେ। ଉଦ୍ଧାର ହୋଇଥିବା ବାଳକ ସୁସ୍ଥ ଥିବା ଜାଣିବାକୁ ମିଳିଛି। ପାଣି କମି ଯିବାରୁ ଅଧା ବାଲିରେ ପୋତି ହୋଇଯାଇଥିବା ବାଇକ ମଧ୍ୟ ଉଦ୍ଧାର କରାଯାଇଛି। ପ୍ରଖର ପାଣିକୁ ହେୟ ଜ୍ଞାନ କରିବା ଓ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥିବା ଜାଣିବାକୁ ମିଳିଛି। ସେହିପରି ଏକ ବଡ ଦୁର୍ଘଟଣାରୁ ଦୁଇ ଶଳା - ଭିଣୋଇ ରକ୍ଷା ପାଇ ଯାଇଛନ୍ତି।