ମସ୍କୋ/ଟିବିଲିସି,୦୯/୧୧: ୟୁକ୍ରେନ୍ ପରେ ଜର୍ଜିଆ ସହିତ ରୁଷ୍ର ସମ୍ପର୍କ ପୁଣି ବିଗିଡ଼ିବା ଆରମ୍ଭ କରିଛି । ଏହାଯୋଗୁ ଉଭୟ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ବିବାଦୀୟ ନିୟନ୍ତ୍ରଣରେଖା (ଏଲ୍ଓସି) ଅଞ୍ଚଳରେ ରୁଷ୍ର ସୈନ୍ୟମାନେ ଜର୍ଜିଆର ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିବା ପରେ ବିବାଦ ଉପୁଜିଛି । ୨୦୦୮ ପରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି ।
ରୁଷୀ ସେନାର ଏଭଳି ହରକତ ପରେ ଜର୍ଜିଆ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଇରାକ୍ଲି ଗାରିବାସ୍ଭିଲି କହିଛନ୍ତି, ରୁଷ୍ର ଏହା ସବୁଠାରୁ ବଡ଼ ଧର୍ତ୍ତବ୍ୟ ଅପରାଧ । ଆମ ନାଗରିକଙ୍କୁ ସେମାନେ ବେଆଇନ ଭାବେ ଅଟକ ରଖିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ତାଙ୍କୁ ହତ୍ୟା କରିଥିଲେ । ତାଙ୍କର କୌଣସି ଅପରାଧ ନ ଥିଲା । ଏଭଳି ଘଟଣା ଏଲ୍ଓସିକୁ ଅଶାନ୍ତ କରିଦେବା ଆଶଙ୍କା ରହିଛି । ରୁଷ୍କୁ ଏହାର କୁପରିଣତି ଭୋଗିବାକୁ ପଡ଼ିବ । ଏଭଳି ସ୍ଥିତିରେ ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଏହି ଘଟଣାର ମୂଲ୍ୟାୟନ କରି ପ୍ରତିକ୍ରିୟା ଦେବା ପାଇଁ ଆହ୍ୱାନ ଦେଉଛୁ ।
ଜର୍ଜିଆ ରାଷ୍ଟ୍ରପତି ସାଲୋମେ ଜୁରାବିଶ୍ଭିଲି ମଧ୍ୟ ରୁଷୀ ସୈନ୍ୟଙ୍କ ଏଭଳି ହରକତକୁ ଗଭୀର ନିନ୍ଦା କରିଛନ୍ତି । କହିଛନ୍ତି, ଅନ୍ତର୍ଜାତୀୟ ସମୁଦାୟ ଏହି ଘଟଣାକୁ ନିନ୍ଦା କରିବା ଆବଶ୍ୟକ । ରୁଷ୍ ଏକଚାଟିଆ ଭାବେ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଚାଲିଛି । ଏହାକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି । ତେବେ ଏହି ଘଟଣା ପରେ ରୁଷ୍ ଓ ଜର୍ଜିଆ ମଧ୍ୟରେ ଏଣିକି ସବୁବେଳେ ବିବାଦ ଉପୁଜିବା ନେଇ ଆଶଙ୍କା କରାଯାଉଛି । ଉଲ୍ଲେଖଯୋଗ୍ୟ, ଜର୍ଜିଆ ଏକଦା ସୋଭିଏତ୍ ରିପବ୍ଲିକ୍ର ଅଂଶ ଥିଲା । ରୁଷୀ ସେନା ୧୯୯୨ରେ ସାଉଥ୍ ଓସେଟିଆ ଏବଂ ଆବ୍ଖାଜିଆସ୍ଥିତ ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ହୋଇଥିଲା । ଯେବେ କି ଏହି ଦୁଇଟି ଅଞ୍ଚଳ ଜର୍ଜିଆର ବୋଲି ଅଧିକାଂଶ ରାଷ୍ଟ୍ର ବିବେଚନା କରିଥାନ୍ତି । ୧୯୯୦ ଦଶକରେ ସୋଭିଏତ ସଙ୍ଘ ଭାଙ୍ଗିବା ପରେ ରୁଷ୍ ଓ ଜର୍ଜିଆ ମଧ୍ୟରେ ସାଙ୍ଘାତିକ ବିବାଦ ଉପୁଜିଥିଲା । ପରିଣତି ସ୍ୱରୂପ ୨୦୦୮ରେ ଉଭୟଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ଯୁଦ୍ଧ ହୋଇଥିଲା । ଏହି ସମୟରେ ରୁଷୀ ସେନା ସୀମା ଡେଇଁ ଜର୍ଜିଆରେ ପଶି ବିଭିନ୍ନ ଗ୍ରାମରେ ଗୁଳିଗୋଳା ମାଡ଼ କରିଥିଲା । ଜବାବ ସ୍ୱରୂପ ଜର୍ଜିଆ ମଧ୍ୟ ରୁଷ୍ ଉପରେ ତୋପ ଦ୍ୱାରା ହମ୍ଲା କରିଥିଲା । ଯୁଦ୍ଧ ପରେ ଉକ୍ତ ବିବାଦୀୟ ଅଞ୍ଚଳଗୁଡ଼ିକୁ ସ୍ୱାଧୀନ କ୍ଷେତ୍ର ବିବେଚନା କରିଥିଲା ରୁଷ୍ ଏବଂ ସେଠାରେ ନିଜ ସାମରିକ ଘାଟି ସ୍ଥାପନ କରିଥିଲା । ଜର୍ଜିଆ ଏହାକୁ ତୀବ୍ର ବିରୋଧ କରିଥିଲା । ଅନ୍ତର୍ଜାତୀୟ ଆଇନ ଓ ମାନବାଧିକାର ନିୟମ ଉଲ୍ଲଂଘନ ହୋଇଥିବା ଏହା ଦର୍ଶାଇଥିଲା ।
ଜର୍ଜିଆର ଅଭିଯୋଗ ଜାରି ରହିବା ପରେ ମାମଲା ୨୦୨୧ରେ ୟୁରୋପୀୟ ମାନବାଧିକାର ଅଦାଲତରେ ପହଞ୍ଚିଥିଲା । ଏଥିରେ ରୁଷ୍କୁ ଦାୟୀ କରାଯାଇଥିଲା । ବିବାଦୀୟ ଅଞ୍ଚଳରେ ରୁଷ୍ ପରୋକ୍ଷରେ ଆଧିପତ୍ୟ ବିସ୍ତାର କରି ଲୋକଙ୍କୁ ନିର୍ଯାତନା ଦେଉଥିବା କୁହାଯାଇଥିଲା । କିଛିବର୍ଷ ପରେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ଭଳି ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଉକ୍ତ ଅଞ୍ଚଳଗୁଡ଼ିକୁ ଜର୍ଜିଆକୁ ଫେରାଇବା ପାଇଁ ରୁଷ୍କୁ କହିଥିଲେ । ରୁଷ୍ ବାରମ୍ବାର ଜର୍ଜିଆ କ୍ଷେତ୍ରାଧିକାରରେ ସମରାଭ୍ୟାସ କରୁଥିବା ସେମାନେ ଅଭିଯୋଗ କରିଥିଲେ । ରୁଷ୍ ବେଆଇନ ଭାବେ ଲୋକଙ୍କୁ ଅଟକ ରଖିବା ସହ ଅବିରତ ଭାବେ ଜର୍ଜିଆର ସାଂସ୍କୃତିକ ଐତିହ୍ୟଗୁଡ଼ିକୁ କ୍ଷତି ପହଞ୍ଚାଉଥିବା ସେମାନେ ଅଭିଯୋଗ କରିଥିଲେ ।