ପ୍ରମୂଖ ଖବର

ଗୋଠପାଟଣାରେ ମହିଳା ଦୋକାନୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌: ସାମାନ୍ୟ ଘୁଗୁନି ପାଇଁ ଛୁରି ଭୁସି ହତ୍ୟା କରିଥିଲା ମିଥୁନ

ଭୁବନେଶ୍ୱର/ଚନ୍ଦକା,୦୨/୧୧: ଚନ୍ଦକା  ଥାନା ଗୋଠପାଟଣା ଟ୍ରିପଲ ଆଇଟି ଛକରେ ମହିଳା ଦୋକାନୀଙ୍କୁ ଛୁରି ଭୁସି ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ କରିଛି କମିଶନରେଟ୍‌ ପୁଲିସ । ହତ୍ୟା ଅଭିଯୁକ୍ତକୁ ଚନ୍ଦକା ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ତାଙ୍କ ନାମ ମିଥୁନ ଜେନା(୩୦) । ଘର ଚନ୍ଦକା ଥାନା ଘଙ୍ଗାପାଟଣା ତଳସାହିରେ । ହତ୍ୟାରେ ବ୍ୟବହୃତ ଛୁରିକୁ ପୁଲିସ ଜବତ କରିଛି । ମହିଳା  ଦୋକାନୀ ସସ୍ମିତା ଘୁଗୁନି ଦେବାକୁ ମନା କରିଦେବାରୁ ମିଥୁନ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଛୁରୀ ଭୁସି  ହତ୍ୟା କରିଥିବା ପୁଲିସ ଆଗରେ କହିଛି। 

ଜଣା ପଡ଼ିଲା କେମିତି 

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ପୁଲିସ  କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା  ଦେଇଛନ୍ତି, ଗତ ନଭେମ୍ବର ୬ତାରିଖ ରାତି  ୮ଟାରେ ଗୋଠପାଟଣା ଟ୍ରିପଲ ଆଇଟି ଛକରେ  ସସ୍ମିତା ବେହେରା ନାମ୍ନୀ ମହିଳା ଦୋକାନୀଙ୍କୁ କେହି ଦୁର୍ବୃତ୍ତ ଛୁରି ଭୁସି ପଳାଇଥିଲା । ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ସ୍ଥାନୀୟ ଲୋକେ ଏକ  ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ  ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତର ମୃତ ଘୋଷଣା  କରିଥିଲେ । ଖବରପାଇ ଚନ୍ଦକା ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ  ସସ୍ମିତାଙ୍କ ଭାଇ ବିପିନ ବେହେରାଙ୍କ ଅଭିଯୋଗ  ଆଧାରରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । ପରଦିନ ସକାଳେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ  ତଦନ୍ତ ଆରମ୍ଭ କରିଥିଲା । ତେବେ କିଏ ଓ କାହିଁକି  ସସ୍ମିତାଙ୍କୁ ହତ୍ୟାକଲା ତାହା ଜଣାପଡ଼ି ନଥିଲା । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିବା କମିଶନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଏଥିପାଇଁ ୩ଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇ ତନାଘନା ଚାଲିଥିଲା । ସବୁ ଦିଗକୁନେଇ ତଦନ୍ତ କରା ଯାଇଥିଲା । ହେଲେ କିଛି ବି ସୁରାକ୍‌ ମିଳି ନଥିଲା ।  

ଶେଷରେ ପୁଲିସ ଗାଁ ଲୋକ ଓ ସ୍ଥାନୀୟ  ଲୋକମାନଙ୍କୁ ପଚରାଉଚରା ଆରମ୍ଭ କରିଥିଲା । ସନ୍ଦେହରେ ବିଭିନ୍ନ ଲୋକଙ୍କୁ ଉଠାଇ ଆଣି ପଚରାଉଚରା କରୁଥିଲା । ମିଥୁନ ପରିବାର ଲୋକେ ଗୋଠପାଟଣା ଛକରେ ଫଳ ଦୋକାନ କରିଥିବା ବେଳେ ମିଥୁନ ମଝିରେ ମଝିରେ ଉକ୍ତ ଦୋକାନରେ ବସାଉଠା କରେ । ତେବେ ହତ୍ୟାକାଣ୍ଡ ଘଟାଇ କିଛିଦିନ ପାଇଁ ମିଥୁନ ଫେରାର୍‌ ହୋଇ ଯାଇଥିଲା । ମିଥୁନକୁ ପୁଲିସ ଖୋଜାଖୋଜି ନ କରିବାରୁ ତା’ ଉପରେ ପୁଲିସର ସନ୍ଦେହ ନଥିବା ଜାଣି ସେ  ଘରକୁ ଫେରିଥିଲା । ବଜାରରେ ଥିବା ଦୋକାନକୁ  ମଧ୍ୟ ଯିବା ଆସିବା କରୁଥିଲା । ସେପଟେ ସସ୍ମିତା ଭଡ଼ାରେ ଦୋକାନ ଘର ନେଇ ଦୋକାନ କରିଥିବା  ବେଳେ ମିଥୁନ ସେଦିନ ପ୍ରଥମେ ଉକ୍ତ ଘର ମାଲିକଙ୍କୁ ଫୋନ୍‌ କରି ସସ୍ମିତା ଘୁଗୁନି ପାଇଁ ତାଙ୍କୁ  ଅପମାନ କରିଥିବା ଓ ତାକୁ ସେ ଦେଖିଦେବ ବୋଲି  କହିଥିଲା । 

ସେହିପରି ହତ୍ୟାକାଣ୍ଡ ଦିନ ସନ୍ଧ୍ୟାରେ ମିଥୁନ ଉକ୍ତ ବଜାରରେ ସୁବାସ ସାହୁଙ୍କ ଦୋକାନରୁ  ଏକ ଛୁରି କିଣିଥିଲା । ରାତି ୯ଟାରେ ଟିଭିରେ ଏକ  ବ୍ରେକିଂ ନିଉଜ୍‌ ଦେଖିବୁ ବୋଲି କହି ଯାଇଥିଲା ।  ତେଣୁ ମିଥୁନ ଉପରେ ପୁଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ସସ୍ମିତାଙ୍କ ଦୋକାନ ଘରର ମାଲିକଙ୍କ ମୋବାଇଲ ସିଡିଆର ପୁଲିସ ମଗାଇ ଯାଞ୍ଚ କରିବା ବେଳେ ମିଥୁନ ଘଟଣାଦିନ ତାଙ୍କୁ ଫୋନ୍‌ କରିଥିବା ଜଣା ପଡ଼ିଥିଲା । ତେଣୁ ପୁଲିସ ଉକ୍ତ ଘରର  ମାଲିକଙ୍କୁ ଉଠାଇ ଆଣି ଜେରା କରିବା ବେଳେ  ତାଙ୍କୁ ମିଥୁନ ଫୋନ୍‌ କରି ସସ୍ମିତା କରିଥିବା ଅପମାନ ବିଷୟରେ ଜଣାଇବା ସହ ତାଙ୍କୁ ଦେଖିଦେବ ବୋଲି  କହୁଥିଲା ବୋଲି ସେ ପୁଲିସ ଆଗରେ ବୟାନ  ଦେଇଥିଲେ । ତେଣୁ ପୁଲିସ ଗତକାଲି ମିଥୁନକୁ  ଥାନାକୁ ଉଠାଇ ଆଣିଥିଲା । ଜେରାବେଳେ ସେ ପୁଲିସ ଆଗରେ ଯେଉଁ ବୟାନ ଦେଇଥିଲା, ତାହା  ଶୁଣି ପୁଲିସ ହତବାକ୍‌ ହୋଇ ଯାଇଥିଲା । ସାମାନ୍ୟ ଘୁଗୁନି ପାଇଁ ସେ ସସ୍ମିତାଙ୍କୁ ଛୁରି ଭୁସି ହତ୍ୟା  କରିଥିବା କହିଥିଲା । ଏହାପରେ ଅଭିଯୁକ୍ତ ମିଥୁନକୁ  ପୁଲିସ୍‌ ହତ୍ୟାସ୍ଥଳକୁ ନେଇଥିଲା । ସେଠାରେ  ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ମିଥୁନ । 

ମିଥୁନ ଦେଇଥିବା ବୟାନ ଆଧାରରେ ଆଜି  ପୁଲିସ ବଜାର ଠାରୁ କିଛି ଦୂରରେ ଥିବା ଏକ ବିଦ୍ୟୁତ୍‌  ଟ୍ରାନ୍ସଫର୍ମର ପରିସରରୁ ଛୁରିକୁ ଜବତ କରିଥିଲା ।  ଅପରାହ୍ଣରେ ମିଥୁନଙ୍କୁ କୋର୍ଟ ଚାଲାଣ କରା  ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ତେବେ ସାମାନ୍ୟ  ଘୁଗୁନି ପାଇଁ ଯେ, ଜଣେ ମଣିଷ ଜୀବନ ନେଇଯିବ  ଏହାକୁ ଲୋକେ ସହଜରେ ଗ୍ରହଣ କରୁନାହାନ୍ତି ।  

ସୂଚନା ଥାଉକି, ସସ୍ମିତା ସ୍ୱାମୀ ବିଶ୍ୱନାଥ ବେହେରାଙ୍କ  ଘର କଟକ ସଦର ଥାନା ଫୁଲନଖରାରେ ।  ଦୀର୍ଘ ୧୦ ବର୍ଷ ଧରି ମଳିପଡ଼ା କ୍ରିଷ୍ଣାପୁରୀରେ  ରହି ଆସୁଥିଲେ । ସ୍ୱାମୀ ସ୍ତ୍ରୀ ମିଶି ଗୋଠପାଟଣା  ଟ୍ରିପଲ ଆଇଟି ଛକରେ ଜଳଖିଆ ଦୋକାନ କରି  ଚଳୁଥିଲେ । ସେମାନଙ୍କର ୪ ବର୍ଷର ଏକ ଝିଅ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.