ଭୁବନେଶ୍ୱର ୦୩/୧୨: ଆଗେଇବ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରକଳ୍ପ । ଯଦି ସବୁ ପ୍ରକ୍ରିୟା ସ୍ୱାଭାବିକ ଭାବେ ଆଗେଇବ, ସମ୍ଭବତଃ ୨/୩ ମାସ ଭିତରେ ଏହି ମେଗା ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ ହେବ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫେବ୍ରୁଆରୀ ସୁଦ୍ଧା ଗ୍ଲୋବାଲ୍ ଟେଣ୍ଡର ଡକାଯିବ । ପିପିପି ମୋଡ୍ରେ ପୁରୀରେ ବିମାନବନ୍ଦର ନିର୍ମାଣ କରାଯିବ । ସରକାର ଜମି ଦେବେ, ଟେଣ୍ଡରଧାରୀ ଏଜେନ୍ସି ନିର୍ମାଣ କାର୍ଯ୍ୟ କରିବ।
ନିର୍ମାଣଜନିତ ସମସ୍ତ ଖର୍ଚ୍ଚ ସଂପୃକ୍ତ ଏଜେନ୍ସି ବହନ କରିବ । ନୋଏଡ଼ା ବିମାନବନ୍ଦର ଭଳି ଏହାକୁ ପିପିପି ମୋଡ୍ରେ ନିର୍ମାଣ କରିବାକୁ ଯୋଜନା ରହିଛି । ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ବର୍ତ୍ତମାନ ଆରଏଫପି (ରିକ୍ୟୁଏଣ୍ଟ ଫର ପ୍ରୋପୋଜାଲ୍) ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଏକ ସଂସ୍ଥା କନସଲଟାଣ୍ଟ ନିଯୁକ୍ତ ହୋଇଛି । ଆରଏଫପି ପ୍ରସ୍ତୁତ ହେବା ପରେ ପ୍ରକ୍ରିୟା ଆଗେଇବ ।
ଅପରପକ୍ଷରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ଗତ ସେପ୍ଟେମ୍ବର ୨୨ରେ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସାଇଟ୍ (ପ୍ରକଳ୍ପ ସ୍ଥାନ) କ୍ଲିଅରାନ୍ସ ଅନୁମୋଦନ ମିଳିଛି । ନିକଟରେ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟ ମଞ୍ଜୁରୀ ଦେଇଛି ।
ବର୍ତ୍ତମାନ କେନ୍ଦ୍ର ବେସମାରିକ ମନ୍ତ୍ରଣାଳୟରୁ ‘ଇନ-ପ୍ରିନ୍ସିପିଲ୍’ ଅନୁମୋଦନ ମିଳିବାକୁ ବାକି ଅଛି । ସମ୍ପୂର୍ଣ୍ଣ ନୂଆ କରି ନିର୍ମାଣ ହେଉଥିବା ବିମାନବନ୍ଦର ପାଇଁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନୀତି ଅନୁଯାୟୀ ରାଜ୍ୟ ସରକାର ଏଥିପାଇଁ ଆବେଦନ କରିଛନ୍ତି । ଏହି ପ୍ରକ୍ରିୟାରେ ବିଭିନ୍ନ ବିଭାଗର ମତାମତ ମଧ୍ୟ ନିଆଯାଇଥାଏ । ପ୍ରକଳ୍ପର ସବିଶେଷ ଦିଗକୁ ଏଥିରେ ଅନୁଧ୍ୟାନ କରାଯିବ ।
ଅନ୍ୟପକ୍ଷରେ ଭୁବନେଶ୍ୱର ବିମାନବନ୍ଦରରୁ ପୁରୀରେ ପ୍ରସ୍ତାବିତ ବିମାନବନ୍ଦରର ଦୂରତା ପ୍ରାୟ ୫୦-୭୦ କିମି ରହୁଛି । ନୂଆ ବିମାନବନ୍ଦର ହେଲେ ପୁରୁଣା ବିମାନବନ୍ଦରର ବ୍ୟାବସାୟିକ କାରବାର କମିବ । ଏଥିପାଇଁ ନିୟମାନୁସାରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)କୁ ନିର୍ଦ୍ଦିଷ୍ଟ ପରିମାଣରେ କ୍ଷତି ପୂରଣ ରାଶି ଦିଆଯିବ । ଏ ନେଇ ଏଏଆଇ ଭାରତ ସରକାରଙ୍କୁ ଆର୍ଥିକ କ୍ଷତିପୂରଣ ଦାବି କରିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରି ପ୍ରକଳ୍ପ ଆଗେଇବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏ ପ୍ରକ୍ରିୟା ସରିଲେ ହିଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ସୂତ୍ର ଅନୁସାରେ ଘରୋଇ ସଂସ୍ଥା ସହଭାଗିତାରେ ପିପିପି ମୋଡ୍ରେ ବିମାନବନ୍ଦର ନିର୍ମାଣ ହେବ । ପ୍ରସ୍ତାବିତ ବିମାନବନ୍ଦରର ରନ୍ ୱେ ଭୁବନେଶ୍ୱର ବିମାନବନ୍ଦରଠାରୁ ଯଥେଷ୍ଟ ବଡ଼ ହେବ । ଭୁବନେଶ୍ୱର ବିମାନବନ୍ଦରର ରନ୍ ୱେ ୨.୭ କିଲୋମିଟର ହୋଇଥିବାବେଳେ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ରନ୍ ୱେ ୩.୬ କିମି ହେବ ।
ବିମାନବନ୍ଦର ପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ ହେବ । ଯେଉଁ ଘରୋଇ ସଂସ୍ଥା ପ୍ରତି ଯାତ୍ରୀ ପିଛା ସରକାରଙ୍କୁ ଅଧିକ ଲାଭ ଦେବ, ସେଇ ସଂସ୍ଥାକୁ ନିୟୋଜିତ କରାଯିବ । ବର୍ତ୍ତମାନ ସ୍ଥିତି ଅନୁସାରେ, ଟେଣ୍ଡର ଆହ୍ୱାନ ପାଇଁ ଅତି ବେଶିରେ ଆଉ ୨ ମାସ ସମୟ ଲାଗିପାରେ । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ । ପୁରୀରେ ଏଭଳି ଏକ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ପାଇଁ ୨୦୨୧ ନୂଆବର୍ଷରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଆଗରେ ପ୍ରସ୍ତାବ ରଖିବା ସହ ଅନୁରୋଧ କରିଥିଲେ । ରାଜ୍ୟର ଏଭଳି ପ୍ରସ୍ତାବରେ ହଁ ଭରିଥିଲା କେନ୍ଦ୍ର ।
ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରାୟ ୫୬୩୧ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ୧୧୬୪ ଏକର ଜମିରେ ଏହି ବିମାନବନ୍ଦର ଛିଡ଼ା ହେବ । ଏଥିପାଇଁ ଆବଶ୍ୟକ ୨୨୧ ଏକର ଘରୋଇ ଜମି ଅଧିଗ୍ରହଣ ସରିଛି । ଜଙ୍ଗଲ ଜମି ଅନୁମତି ମଧ୍ୟ ମିଳିସାରିଛି । ଏହି ବିମାନବନ୍ଦର ପ୍ରତିଷ୍ଠା ହେଲେ ପୁରୀକୁ ଦେଶର ବିଭିନ୍ନ ପ୍ରମୁଖ ଅଞ୍ଚଳ ସହ ବିଶ୍ୱର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବା ସହ ବିଶ୍ୱ ଐତିହ୍ୟ ସହର ତାଲିକାରେ ପୁରୀର ନାମ ଚମକିବ ।