ନୂଆଦିଲ୍ଲୀ: ଟାଟା ଷ୍ଟିଲ ପକ୍ଷରୁ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଜଣାପଡ଼ିଛି । ବିଶ୍ବର ବହୁ ବଡ଼ ବଡ଼ କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି ଟାଟା ଷ୍ଟିଲ୍ । ନେଦରଲ୍ୟାଣ୍ଡସର ଇଜାମୁଦ୍ଦିନରେ ଥିବା ଟାଟା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏହି ଛଟେଇ କରାଯିବ । ଆମଷ୍ଟରଡାମ ଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ମୋଟ ୯୨୦୦ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ୮୦୦ କର୍ମଚାରୀଙ୍କୁ ବାହାର କରିବ ଟାଟା ଷ୍ଟିଲ ।
ଟାଟା ଷ୍ଟିଲର ଡଚ୍ ୟୁନିଟ୍ ପକ୍ଷରୁ କୁହାଯାଇଛି ଯେ, ବଜାରରେ ନିଜର ସ୍ଥିତିକୁ ସୁଦୃଢ କରିବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ କମ୍ପାନୀ ଅନେକ ଉଦ୍ୟମ କରିଛି । ଏସବୁ ସତ୍ତ୍ୱେ ଆଉ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ଏକ ସ୍ୱଚ୍ଛ ଓ ନିର୍ମଳ ପରିବେଶ ତିଆରି କରିବା ଲାଗି କମ୍ପାନୀରେ ବହୁ ନିବେଶ କରାଯାଇଛି ଏବଂ ଆଗକୁ ଆହୁରି ନିବେଶ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ନେଇ ରୟଟର୍ସରେ ରିପୋର୍ଟ ପ୍ରକାଶ ପାଇଛି ।
ଟାଟା ଷ୍ଟିଲର ଡଚ୍ ୟୁନିଟରେ ନୂତନୀକରଣର ପ୍ରଭାବ ମ୍ୟାନେଜର ପାଖରୁ କ୍ରୀଡା କର୍ମଚାରୀଙ୍କ ପର୍ଯ୍ୟନ୍ତ ପଡ଼ିବ । ସ୍ଥାୟୀ ଉତ୍ପାଦନ ପଦ୍ଧତି ଆଡକୁ ଗତି କରୁଥିବାରୁ ଏକ ପ୍ରତିଯୋଗିତାମୂଳକ ଧାରା ବଜାୟ ରଖିବା ପାଇଁ ଏହାର ଆବଶ୍ୟକତା ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ନେଦରଲ୍ୟାଣ୍ଡସରେ ମୋଟ ନିର୍ଗତ କାର୍ବନ ଡାଇଅକ୍ସାଇଡ୍ର ପ୍ରାୟ ୭ ପ୍ରତିଶତ ପାଇଁ ଦାୟୀ ଟାଟାର ଏହି ଇସ୍ପାତ କମ୍ପାନୀ । ଯେଉଁଥିପାଇଁ ଏହା ଦେଶର ସବୁଠାରୁ ବଡ ପ୍ରଦୂଷଣକାରୀ ୟୁନିଟ୍ ପାଲଟିଛି ।
ଇସ୍ପାତ ତିଆରି କରିବା କ୍ଷେତ୍ରରେ ପ୍ରଦୂଷଣ କମ୍ କରିବା ଲାଗି ଟାଟା ଷ୍ଟିଲ କାର୍ଯ୍ୟ କରୁଛି । ହେଲେ ଏହାକୁ ତ୍ବରାନ୍ବିତ କରିବା ଲାଗି ସରକାର ତତ୍ପରତା ଦେଖାଉନଥିବା ଜଣାପଡ଼ିଛି । ନୂଆ ଯୋଜନା ଅନୁସାରେ ୨୦୩୦ ସୁଦ୍ଧା କମ୍ପାନୀ କୋଇଲା ଏବଂ ଲୁହାପଥର ଉପରେ ଆଧାରିତ ଉତ୍ପାଦନକୁ ବନ୍ଦ କରି ହାଇଡ୍ରୋଜେନ ସାହାଯ୍ୟରେ ପ୍ରଡକ୍ସନ ଆରମ୍ଭ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।