ଟାଙ୍ଗ,୨୧।୧୧ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଭୁଷଣ୍ଡପୁର ଫାଣ୍ଡି ଅଞ୍ଚଳର ଉଜ୍ୱଳା-ଗୋପିନାଥପୁର ଗ୍ରାମର ସୁବାଷ ପ୍ରଧାନଙ୍କ ୪ ବର୍ଷର ଶିଶୁପୁତ୍ର ସୈ।ମ୍ୟ ରଞ୍ଜନ (ରାହୁଲ)ଙ୍କ ମୃତଦେହ ଏକ ପଥରଖଣି ଭିତରୁ ମିଳିଛି।
୪ ଦିନ ତଳେ ରାହୁଲ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ରାହୁଲଙ୍କ ପତ୍ତା ମିଳି ନ ଥିଲା। ଏ ନେଇ ପରିବାର ଲୋକ ଭୁଷଣ୍ଡପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଘର ଠାରୁ ୫ ଶହ ମିଟର ଦୂରରେ ଥିବା ପଥରଖଣିରେ ପାଣି ଜମି ରହିଥିଲା।ସେହି ପଥର ଖଣିରେ ରାହୁଲ ପଡିଯାଇଥିବା ଭାବି ପରିବାର ଲୋକେ ଓ ଦମକଳ ବାହିନୀ ସହିତ ଓଡ୍ରାଫ ଟିମ୍ ବାରମ୍ବାର ଖୋଜି ଖୋଜି ନିରାଶ ହୋଇଥିଲେ। ଶେଷରେ ସେହି ପଥରଖଣି ମଧ୍ୟରେ ନିଖୋଜ ଶିଶୁପୁତ୍ର ରାହୁଲଙ୍କ ମୃତଦେହ ଭାସିଥିଲା ।ଶିଶୁପୁତ୍ରର ମୃତଦେହକୁ ଏକ ଲୁଙ୍ଗି ଦ୍ୱାରା ବନ୍ଧା ଯାଇଥିଲା । ରାହୁଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷରେ ଟାଙ୍ଗୀ ଥାନା ପକ୍ଷରୁ ୪ ଜଣ ଯୁବକଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଇଛି ।ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଯାହାକୁ ନେଇ ଗାଁରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।