ବାରିପଦା, (ଆପ୍ର )ବସ ଚଳାଉଥିବା ଡ୍ରାଇଭରଙ୍କୁ ଥଣ୍ଡା ଯୋଗୁଁ ବାରମ୍ବାର ଛିଙ୍କ ହେଲା କାଳ l ଚାଲୁଥିବା ଅବସ୍ଥାରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ରୁ ସିଧା ବିଲ ଭିତରକୁ ମାଡିଗଲା ବସ । ଏଭଳି ଘଟଣା ଘଟିଛି ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜଛକ ନିକଟରେ l ଶ୍ରୀ ଜଗନ୍ନାଥ ନାମକ ଏକ ଘରୋଇ ଯାତ୍ରୀବାହୀବସ ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ବସର ୬/୭ଜଣ ଯାତ୍ରୀ ଆହତ ହୋଇଛନ୍ତି l
ସୂଚନା ମୁତାବକ ଓଆର-୧୧କେ- ୩୪୫୧ ନମ୍ବର ବିଶିଷ୍ଟ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଆସୁଥିଲା l ତେବେ ରାଗ୍ଧା କଲେଜ ଛକରୁ ବସ ଛାଡି କିଛି ବାଟ ଆସିବା ପରେ କୌଣସି କାରଣରୁ ବସ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ଭାରସାମ୍ୟ ହରାଇ ବସଟି ଜାତୀୟ ରାଜପଥରୁ ଯାଇ ସିଧା ବିଲ ଭିତରେ ପଶି ଏକି ନାଳରେ ଅଟକି ଯାଇଥିଲା l ଦୁର୍ଘଟଣା ଗ୍ରସ୍ତ ଯାତ୍ରୀଙ୍କ ମଧ୍ୟରେ ପାରିଆକୁଲି ଗ୍ରାମର ଠାକୁରାମ ଟୁଡୁଙ୍କ ପୁଅ ପିତାମ୍ବରଙ୍କ ଛାତିରେ ଜୋର ଆଘାତ ଲାଗିଥିବାରୁ ସେ ଗୁରୁତର ଥିବା ଜଣାଯାଇଛି l ତେବେ ଏହି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କର ପରିଚୟ ମିଳିପାରିନାହିଁ l ସମସ୍ତ ଆହତ ଏବଂ ଗୁରୁତରଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l
ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି l ତେବେ ଚାଳକଙ୍କୁ ବାରମ୍ବାର ଛିଙ୍କ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀ ସୂଚନା ଦେଇଛନ୍ତି l l ପୁଲିସ ଉଦ୍ଧାରକାର୍ଯ୍ୟ ସହିତ ତଦନ୍ତ ଜାରି ରଖିଛି l ଦୁର୍ଘଟଣା ପରେ ଚାଳକ ଫେରାର ଥିବା ଜଣାପଡିଛି।