ଭାପୁର,୨୦।୧୧ : ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ ପଞ୍ଚାୟତ ଗୋପୀନାଥ ସାହିରେ ମଶା ଧୂଆଁରୁ ନିଆଁ ଲାଗି ଏକ ଗୁହାଳ ଜଳିଯାଇଛି। ଏଥିରେ ଜଣେ ଯୁବକ ଓ ଗାଇ ବାଛୁରୀ ଆହତ ହୋଇଥିବା ସୂଚନା ମିଳିଛି।
ଗୁହାଳ ମଧ୍ୟରେ ମଶା ଘଉଡାଇବା ପାଇଁ ଅଳିଆରେ ଧୁଆଁ ଦେଇଥିଲେ। ଫଳରେ ନିଆଁ ଲାଗିଯିବାରୁ ଗୋପୀନାଥ ସାହିରେ କୈଳାସ ପ୍ରଧାନ ଓ ଅଭିମନ୍ୟୁ ପ୍ରଧାନଙ୍କ ଗୁହାଳ ଘରେ ନିଆଁ ଲାଗିଯାଇଥିଲା। ଗୁହାଳ ଭିତରେ ୧୨ରୁ ଉର୍ଦ୍ଧ୍ବ ଗାଇ ବାଛୁରୀ ବନ୍ଧା ହୋଇଥିଲେ। ଏହି ସମୟରେ ପ୍ରକାଶ ଚନ୍ଦ୍ର ପ୍ରଧାନ (୨୨)ଗୁହାଳ ଭିତରେ ପଶି ଦାଆ ମାଧ୍ୟମରେ ଗାଈ ଦଉଡ଼ି କାଟି ପକାଇଥିଲେ। ନିଆଁ ପ୍ରକୋପରେ ଆହତ ହୋଇ ପ୍ରକାଶ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଭାପୁର ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି। ଘଟଣାସ୍ଥଳରେ ଭାପୁର ତହସିଲଦାର ଲଗ୍ନଜିତ ବେହେରା ଓ ଭାପୁର ପ୍ରାଣୀ ଚିକିତ୍ସକ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ତିନି ଗାଈ , ତିନି ବାଛୁରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ କିଛି ଗାଈ ସାମାନ୍ୟ ଆହତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଆହୁରି ପଢନ୍ତୁ : ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା