ବାଙ୍ଗିରିପୋଷି, ୧୦/୧୧ : ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟୀ ରାସ୍ତାରେ ଏକ କଣ୍ଟେନର ଟ୍ରକରେ ନିଆଁ ଲାଗିଯାଇଛି। ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ତେବେ ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ଏନଏଲ ୦୧ଏଇ୨୭୮୪ ନମ୍ବର ବିଶିଷ୍ଟ ଏକ କଣ୍ଟେନର ଟ୍ରକ୍ ଦ୍ୱାରଶୁଣୀ ଘାଟୀ ଉପରକୁ ଚଢୁଥିବା ବେଳେ କୋୖଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଏ ବିଷୟରେ ଚାଳକ ଜଣକ ଜାଣିପାରି ଟ୍ରକ୍ ଠିଆ କରି ଓହ୍ଲାଇ ଯାଇଥିଲେ । ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଛି। ବାଙ୍ଗିରିପୋଷି ପୁଲିସ ତରଫରୁ ଗାଡି ଚଳାଚଳ ସ୍ୱାଭାବିକ ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି।