ଭୁବନେଶ୍ୱର,୨୯/୦୨: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଛି ୫୩ତମ ସମାବର୍ତ୍ତନ ଉତ୍ସବ । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଶ୍ୱବିଦ୍ୟାଳୟ । ରାଷ୍ଟ୍ରପତିଙ୍କ ଆଗମନ ଓ ସମାବର୍ତ୍ତନ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ରଙ୍ଗିନ ଆଲୋକମାଳାରେ ଝଲସୁଛି । ବୁଧବାର ରାତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରଙ୍ଗିନ ଆଲୋକରେ ବିଶ୍ୱବିଦ୍ୟାଳୟ କୋଠା ଓ କ୍ୟାମ୍ପସକୁ ସଜ୍ଜା ଯାଇଛି । ଯେଉଁମାନେ ସେ ବାଣୀବିହାର ରାସ୍ତାରେ ଯାଉଛନ୍ତି କ୍ଷଣିକେ ଅଟକିଯାଇ ବିଶ୍ୱବିଦ୍ୟାଳୟକୁ ଦେଖିବା ସହ ଫଟୋ ଉଠାଉଛନ୍ତି । ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଏହି ଚିତ୍ରକୁ ଉତ୍ତୋଳନ କରି ରିଲ୍ସ ବନାଇଛନ୍ତି ।
ସୂଚନା ଅନୁସାରେ, ସମାବର୍ତ୍ତନ ଉତ୍ସବ ପାଇଁ ଗୁରୁବାର ଅପରାହ୍ଣ ସାଢେ ୫ଟାରେ ରାଷ୍ଟ୍ରପତି ବାଣୀବିହାରରେ ପହଞ୍ଚିବେ । ତାଙ୍କ ଉପସ୍ଥିତିରେ ସମାବର୍ତ୍ତନ ସମାରୋହରେ ଜାତୀୟ ସଙ୍ଗୀତ ଗାନ କରାଯିବ । ରାଷ୍ଟ୍ରପତିଙ୍କ ସମେତ ଓଡ଼ିଶା ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ମଧ୍ୟରେ ୧୬୬ଜଣଙ୍କୁ ପିଏଚଡି ଓ ଡିଲିଟ୍ ଡିଗ୍ରୀ ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ପାଖାପାଖି ୧୦୦୦ ଛାତ୍ରଛାତ୍ରୀ, ଅତିଥି ଉପସ୍ଥିତ ରହିବେ । ପରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ସନ୍ଧ୍ୟା ୬ଟା ୩୫ରେ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟରୁ ଫେରିବେ । ବଡ଼କଥା ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ସଦସ୍ୟା ହୋଇଥିବା ବେଳେ ସେ ରାଷ୍ଟ୍ରପତି ହେବାପରେ ପ୍ରଥମ ଥର ପାଇଁ ଏଠାକୁ ଆସୁଛନ୍ତି । ତେଣୁ ତାଙ୍କୁ ସ୍ୱାଗତ ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ।