ନୂଆପଡ଼ା, ୧୨।୯ : ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଅନକାପୁର ଗାଁ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ସ୍ତ୍ରୀ ହେଲେ କୁମାରୀ ମାଲି (୪୫ ବର୍ଷ)। ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୋମବାର ସନ୍ଧ୍ୟାରେ ଅନକାପୁର ଗାଁର ସ୍ବାମୀ ଲାଲଚନ୍ଦ ମାଲି(୫୦ ବର୍ଷ) ଏକ ବାଇକରେ ଯାଉଥିଲେ । ଏହି ସମୟରେ ଅନ୍ୟ ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ସ୍ବାମୀ ଓ ସ୍ତ୍ରୀ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ପ୍ରଥମେ ବୋଡେ଼ନ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସୋମବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ସ୍ତ୍ରୀ କୁମାରୀଙ୍କ ମୃତ୍ୟୁ ହୋଇଥିଲା । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମଧ୍ୟାହ୍ନରେ ବୋଡେ଼ନ ପୁଲିସ ସ୍ତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ବୋଡେ଼ନ ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଥିବା ବୋଡେ଼ନ ଆଇଆଇସି ଗୋବିନ୍ଦ ମାଝି ସୂଚନା ଦେଇଛନ୍ତି ।