ମୁମ୍ବାଇ,୦୩/୧୨: ଆସନ୍ତା ୯ ତାରିଖରେ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍-୨) ପାଇଁ ଖେଳାଳି ନିଲାମ କରାଯିବ । ଏଥର ମୋଟ୍ ୧୬୫ ଜଣ ଖେଳାଳି ନିଲାମ ପାଇଁ ନାମ ଦାଖଲ କରିଛନ୍ତି । ଏଥିରେ ୧୦୪ ଜଣ ଭାରତୀୟ ଓ ୬୧ଜଣ ବିଦେଶୀ ଖେଳାଳି ରହିଛନ୍ତି । ୱେଷ୍ଟ ଇଣ୍ଡିଜର ଡିଣ୍ଡ୍ରା ଡଟିନ, ଶ୍ରୀଲଙ୍କାର ଚାମରି ଆଟାପଟୁ, ଇଂଲଣ୍ଡର ଡାନିଏଲା ୱାଟ୍, ଦକ୍ଷିଣ ଆଫ୍ରିକାର ସବନିମ ଇସମାଇଲ ପ୍ରମୁଖ ଫ୍ରାଞ୍ଚାଇଜଙ୍କ ନଜରରେ ରହିଛନ୍ତି । ସେହିପରି ଭାରତୀୟଙ୍କ ମଧ୍ୟରେ ବେଦା କ୍ରିଷ୍ଣମୂର୍ତ୍ତୀ, ମେଘନା ସିଂହ, ଦେବିକା ବୈଦ୍ୟ ଓ ଏସ୍ ମେଘନାଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି ।
୫ଟି ଯାକ ଫ୍ରାଞ୍ଚାଇଜଙ୍କ ନିକଟରେ ମୋଟ୍ ୩୦ଟି ସ୍ଥାନ ଖାଲି ପଡ଼ିଛି । ଏଥି ମଧ୍ୟରୁ ବିଦେଶୀ ଖେଳାଳିଙ୍କ ପାଇଁ ୯ଟି ସ୍ଥାନ ରହିଛି । ତାଲିକା ଭୁକ୍ତ ୧୬୫ ଖେଳାଳିଙ୍କ ମଧ୍ୟରୁ କେବଳ ଡଟିନ ଓ ଅଷ୍ଟ୍ରେଲିଆର କିମ୍ ଗାର୍ଥ ସର୍ବାଧିକ ବେସ ପ୍ରାଇସ (୫୦ଲକ୍ଷ ଟଙ୍କା)ରେ ନାମ ପଞ୍ଜୀକରଣ କରିଛନ୍ତି । ଗତ ସିଜନରେ ଗୁଜରାଟ ଜାଏଣ୍ଟ୍ସ ୬୦ଲକ୍ଷ ଟଙ୍କାରେ ଡଟନିଙ୍କୁ କିଣିଥିଲା । ମାତ୍ର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆହତ ସମସ୍ୟା ଦର୍ଶାଇ ତାଙ୍କୁ ବାଦ ଦେଇଥିଲା ।
ଅଷ୍ଟ୍ରେଲିଆର ଆନାବେଲ ସୁଦରଲାଣ୍ଡ, ଜର୍ଜିୟା ୱାରେହାମ, ଇଂଲଣ୍ଡର ଆମି ଜୋନ୍ସଙ୍କ ସମେତ ପେସ୍ ବୋଲର ଇସମାଇଲଙ୍କ ବେସ ପ୍ରାଇସ ୪୦ଲକ୍ଷ ଟଙ୍କା ରହିଛି । ଆଟାପଟୁଙ୍କ ବେସ ପ୍ରାଇସ୍ ୩୦ଲକ୍ଷ ଟଙ୍କା ରହିଛି । ଗତ ନିଲାମରେ ଆଟାପଟୁଙ୍କୁ କେହି କିଣି ନଥିଲେ। ମାତ୍ର ଏଥର ଡବ୍ଲ୍ୟୁବିବିଏଲ୍ରେ ସେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।
ଆଇସିସିର ଅସ୍ଥାୟୀ ସଦସ୍ୟ ଦେଶମାନଙ୍କ ମଧ୍ୟରୁ ୧୫ଜଣ ଖେଳାଳି ନିଲାମ ପାଇଁ ନାମ ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରେ ଥାଇଲାଣ୍ଡର ନଥକନ୍ ଚନଥମ୍, ଆମେରିକାର ତାରା ନରିସ ଚର୍ଚ୍ଚାରେ ରହିଛନ୍ତି । ବାମ ହାତି ପେସ ବୋଲର ନରିସ୍ ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ୭ଟି ୱିକେଟ୍ ନେଇଥିଲେ।