ବରେଲି,୦୯/୧୧: ଉତ୍ତର ପ୍ରଦେଶର ସମ୍ଭଲରେ ଜଣେ ୨୬ ବର୍ଷୀୟା ମହିଳା ୨୦୧୯ରେ ତାଙ୍କ ସ୍ୱାମୀଙ୍କୁ ପୋଡ଼ି ହତ୍ୟା କରିଥିଲେ । ଘଟଣାଟି ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ୪ ବର୍ଷ ପରେ ଅଭିଯୁକ୍ତ ମହିଳାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ସ୍ୱାମୀ ‘ଅସୁନ୍ଦର’ ଲାଗିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିଲେ ।
ଖବର ମୁତାବକ, ୨୦୧୭ରେ ପ୍ରେମଶ୍ରୀ ଫତେଗଡ଼ସ୍ଥିତ ବିଚେତା ନିବାସୀ ୨୫ ବର୍ଷୀୟ ସତ୍ୟବୀର ସିଂହଙ୍କୁ ବିବାହ କରିଥିଲେ । ସ୍ୱାମୀ କଳା ହୋଇଥିବାରୁ ତାଙ୍କର ପସନ୍ଦ ଆସି ନ ଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ପ୍ରେମଶ୍ରୀ ବାରମ୍ବାର ଛାଡ଼ପତ୍ର ଦାବି କରୁଥିଲେ । ବିବାଦ ସତ୍ତେ୍ୱ ସତ୍ୟବୀର ଛାଡ଼ପତ୍ର ଦେଇ ନ ଥିଲେ । ୨୦୧୮ ନଭେମ୍ବରରେ ପ୍ରେମଶ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ତଥାପି ସ୍ୱାମୀଙ୍କୁ ନେଇ ସବୁବେଳେ ତାଙ୍କ ମନରେ ଅବଶୋଷ ରହିଥିଲା । ସେ ପୁଣି ଛାଡ଼ପତ୍ର ଦାବି କରିଥିଲେ। ସବୁଥର ଭଳି ସତ୍ୟବୀର ଏହାକୁ ଏଡ଼ାଇ ଯାଇଥିଲେ । ଏମିତି ବାଦବିବାଦ ମଧ୍ୟରେ ଦୁଇବର୍ଷ ବିତିଯାଇଥିଲା । ସ୍ୱାମୀଙ୍କୁ ନେଇ ପ୍ରେମଶ୍ରୀଙ୍କ କ୍ରୋଧ ବଢ଼ିବାକୁ ଲାଗିଥିଲା ।
୨୦୧୯ ଏପ୍ରିଲ ୧୫ରେ ସତ୍ୟବୀର ଶୋଇଥିବା ବେଳେ ପ୍ରେମଶ୍ରୀ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସତ୍ୟବୀର ଛଟପଟ ହୋଇ ଚିଲ୍ଲାଇଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସତ୍ୟବୀରଙ୍କ ଭାଇ ହରବୀରଙ୍କ ଅଭିଯୋଗକ୍ରମେ ଆଇପିସି ଧାରା ୩୦୨ରେ ମାମଲା ଦାୟର ହୋଇଥିଲା । ପ୍ରେମଶ୍ରୀଙ୍କୁ ଗିରଫ କରାଯାଇଥିଲା । ୨୦୨୧ରେ ପୁଲିସ ଏହି ମାମଲାରେ ପ୍ରେମଶ୍ରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ୧୦ ଜଣ ପ୍ରେମଶ୍ରୀଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ।