ଭୁବନେଶ୍ୱର,୧୦/୦୯: କେହି ଜଣେ ଆତ୍ମହତ୍ୟା କଲେ, କାରଣ ଖୋଜାରୁ ପୁଲିସର ତଦନ୍ତ ଆରମ୍ଭ ହୁଏ । ଆତ୍ମହତ୍ୟାର କାରଣ ମିଳିଗଲେ, ତଦନ୍ତରେ ପୂର୍ଣ୍ଣଛେଦ ପଡ଼େ । ଏହି କାରଣ ଖୋଜା ଅଭିଯାନରେ ପୁଲିସ ପାତରଅନ୍ତର କରୁଥିବା ଅଭିଯୋଗ ଉଠୁଛି । ବଡ଼ବଡି଼ଆ ଓ ସେଲିବ୍ରିଟିଙ୍କ କ୍ଷେତ୍ରରେ ଜୋର୍ ଦେଉଥିବା ବେଳେ ଗରିବ, ଛାତ୍ର ଓ ଦିନମଜୁରିଆଙ୍କ ଆତ୍ମହତ୍ୟାକୁ ହେୟଜ୍ଞାନ କରୁଛି । ତଥାପି ଅଧିକାଂଶ ଆତ୍ମହତ୍ୟାର କାରଣ ଖୋଜିବାରେ ପୁଲିସ ଏବେ ବି ଅସଫଳ ।
ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ । ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ୨୦୧୬ଠୁ ପ୍ରତିବର୍ଷ ଆତ୍ମହତ୍ୟା ସଂଖ୍ୟା ବଢ଼ିଚାଲିଛି । ଗତ ୭ ବର୍ଷରେ ଓଡିଶାରେ ୩୪ ହଜାର ୩୮୯ଜଣ ଜୀବନ ହାରିଛନ୍ତି । ୨୦୧୬ରେ ୩୮୮୪ଜଣ, ୨୦୧୭ରେ ୪୧୫୧ଜଣ, ୨୦୧୮ରେ ୪୪୪୭ଜଣ, ୨୦୧୯ରେ ୪୬୩୬ଜଣ, ୨୦୨୦ରେ ୫୪୮୨ଜଣ, ୨୦୨୧ରେ ୫୬୪୯ଜଣ ଆତ୍ମହତ୍ୟା କରିଥିଲେ । ଗଲାବର୍ଷ ରାଜ୍ୟରେ ୬୧୪୦ଜଣ ଆତ୍ମହତ୍ୟା କରିଥିଲେ ।
କେବଳ ରାଜଧାନୀ ହିସାବକୁ ନେଲେ, ଗତ ୭ ବର୍ଷରେ ଭୁବନେଶ୍ୱର ୟୁପିଡିର ଥାନାଗୁଡିକ଼ରେ ୧୯୭୪ଟି ଆତ୍ମହତ୍ୟାଜନିତ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ୨୦୧୬ରେ ୧୬୫ଜଣ, ୨୦୧୭ରେ ୨୮୬ଜଣ, ୨୦୧୮ରେ ୨୨୪ଜଣ, ୨୦୧୯ରେ ୨୯୦ଜଣ ଆତ୍ମହତ୍ୟା କରିଥିଲେ । ୨୦୨୦ରେ କୋଭିଡ୍ ମହାମାରି ବେଳେ ବି ୩୧୦ଜଣ ଏହି ଚରମ ନିଷ୍ପତ୍ତି ନେଇଥିଲେ । ୨୦୧୬ଠୁ ଏହି ବର୍ଦ୍ଧିତ ଆତ୍ମହତ୍ୟା ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଥିଲା ୨୦୨୧ରେ । ମୋଟ ୨୮୨ଜଣ ନିଜ ଜୀବନ ହାରିଥିଲେ । ଗଲାବର୍ଷ ୪୧୭ଜଣ ଏହି ପନ୍ଥା ବାଛିଥିଲେ ।
ରାଜଧାନୀରେ ବିଗତ ଦିନରେ ଅନେକ ଚର୍ଚ୍ଚିତ ଆତ୍ମହତ୍ୟା ଘଟିଛି । ସିନେ ଖଳ ଅଭିନେତା ରାଇମୋହନ ପରିଡ଼ା, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ, ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳିକା, ଦିପାଳୀ ଇଣ୍ଟରନ୍ୟାସନାଲ ହୋଟେଲରେ କଲେଜ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ, ଡିଜେ ଆଜେକ୍ସ, ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା କୌଣସି ନା କୌଣସି କାରଣରୁ ଜୀବନ ହାରିଥିଲେ । ଏସବୁ ମାମଲାରେ ପୁଲିସ ତଦନ୍ତକୁ ଜୋର୍ ଦେଇଛି । ସମ୍ପର୍କୀୟଙ୍କୁ ପଚରାଉଚରା ସହ ମୋବାଇଲ୍, ଲାପଟପ୍ ଭଳି ଇ-ଗାଜେଟ୍ର ଯାଞ୍ଚ କରିଛି । ଏମିତିକି ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ ଆକାଉଣ୍ଟକୁ ଉଣ୍ଡାଳିଛି । ତଥାପି ଏସବୁ ଆତ୍ମହତ୍ୟାର ରହସ୍ୟ ଭେଦି ପାରିନି ।
ଏ ତ ଗଲା, ବଡ଼ ବଡି଼ଆ ଓ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ କଥା । ପୁଲିସର ତଥ୍ୟ ଅନୁସାରେ, ରାଜଧାନୀରେ ପ୍ରତିଦିନ ଜଣେ ଆତ୍ମହତ୍ୟା କରୁଛନ୍ତି । ଏଥିରୁ ଅଧିକାଂଶ ଗରିବ ଶ୍ରେଣୀୟ, ଦୋକାନୀ, ବ୍ୟବସାୟୀ ଓ ଛାତ୍ରଛାତ୍ରୀ ଅଛନ୍ତି । ଏମାନଙ୍କ କ୍ଷେତ୍ରରେ ପୁଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି କାମ ତୁଟାଇ ଦେଉଛି । ଆତ୍ମହତ୍ୟାର କାରଣ ଖୋଜିବାକୁ ପଛାଉଛି । କେହି ଆତ୍ମହତ୍ୟା ପାଇଁ ଉସ୍କାଇଥିଲେ କି ପ୍ରବର୍ତ୍ତାଇଥିଲେ, ପୁଲିସ ଆଇପିସି ଦଫା ୩୦୬ ଲଗାଇବାରେ ବି ପାତରଅନ୍ତର କରୁଛି ।
ଅତିରିକ୍ତ ପୁଲିସ କମିଶନର ଡ. ଉମାଶଙ୍କର ଦାଶ କହିଛନ୍ତି, ଆତ୍ମହତ୍ୟା ରୋକିବା ଓ ଏହାର କାରଣ ଖୋଜିବାକୁ ନେଇ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ଯାହାର ନାମ ‘ଷ୍ଟ୍ରାଇଡ୍ (ସୁଇସାଇଡ୍ ପ୍ରିଭେନ୍ସନ ଥ୍ରୋଗ୍ ଟାର୍ଗେଟେଡ୍ ପଲିସି ରିଫର୍ମ)’ ରଖାଯାଇଛି । ଏଥିରେ ୫ ସୂତ୍ରୀ ଦିଗକୁ ଗୁରୁତ୍ୱ ଦିଆଯାଉଛି । ସେଣ୍ଟର ଫର୍ ମେଣ୍ଟାଲ ହେଲ୍ଥ ଲ’ ଆଣ୍ଡ ପଲିସି (ସିଏମ୍ଏଚ୍ଏଲ୍ପି)ର ୨ ବିଶେଷଜ୍ଞଙ୍କ ସହ ମିଶି ଆତ୍ମହତ୍ୟାର କାରଣ ଖୋଜାଯିବ । ଆତ୍ମହତ୍ୟା ରୋକିବା ଦିଗରେ ସଚେତନତା ବାର୍ତ୍ତା ବଣ୍ଟାଯିବ । ଆତ୍ମହତ୍ୟାଜନିତ ମାମଲାର ତଦନ୍ତରେ ସମ୍ବେଦନଶୀଳ ହେବା ସହ ପୁଲିସ ଅଧିକାରୀଙ୍କୁ ଚାପମୁକ୍ତ ପାଇଁ ବାଟ ବତାଯିବ ।
ସମ୍ ହସ୍ପିଟାଲ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କହିଛନ୍ତି, ଜଣେ ବ୍ୟକ୍ତି ଗୋଟିଏ କି ଦୁଇଟି କାରଣ ଯୋଗୁଁ ଆତ୍ମହତ୍ୟା କରେନି । ଆତ୍ମହତ୍ୟା ପଛରେ (ମଲ୍ଟି ଫ୍ୟାକ୍ଟୋରିଆଲ୍) କାରଣ ରହୁଛି । ସେଲିବ୍ରିଟି କିମ୍ବା ଚର୍ଚ୍ଚିତ ବ୍ୟକ୍ତିଙ୍କ ଆତ୍ମହତ୍ୟାର ପଛର କାରଣ ଜାଣିବାକୁ ଉତ୍ସୁକତା ଆପେ ବଢ଼ିଯାଉଛି । ଗଣମାଧ୍ୟମର ନିରନ୍ତର ଖବର ପ୍ରକାଶନରୁ ପୁଲିସ ମଧ୍ୟ ଚାପରେ ରହୁଛି । ଏକ ହତ୍ୟାଠୁ ଆତ୍ମହତ୍ୟା ମାମଲାର ତଦନ୍ତ ଅଧିକ ସମ୍ବେଦନଶୀଳ । ପ୍ରେମ ବ୍ୟାପର ମାମଲାରେ ଅଧିକ ଯତ୍ନଶୀଳ ହେବାକୁ ପଡ଼େ ।