ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ସଙ୍କଟରେ ଆମ ସମ୍ବିଧାନ !

୧୯।୬/(ସୁରେନ୍ଦ୍ର ନାଥ କର): ଆମ ସମ୍ବିଧାନକୁ ଆମେ ଆମ ଦ୍ୱାରା, ଆମ ପାଇଁ, ଆମ ଉଦ୍ଦେଶ୍ୟରେ, ଦେଶକୁ ଅର୍ପଣ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧା-ନିଷ୍ଠା ସଂକଳ୍ପପୂର୍ବକ ଏହାକୁ ପାଳନ କରିବା ପାଇଁ ଶପଥ ନେଇଛନ୍ତି । ଏଥିସହ ଭାରତକୁ ଏକ ଶକ୍ତିଶାଳୀ ସାର୍ବଭୌମ ଓ ଧର୍ମନିରପେକ୍ଷ ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଗଢ଼ିତୋଳିବା ଲକ୍ଷ୍ୟ ନେଇ ଜନଗଣଙ୍କ ପାଇଁ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ନ୍ୟାୟ ପ୍ରତିଷ୍ଠା ସଙ୍ଗେ ସଙ୍ଗେ ଅଭିବ୍ୟକ୍ତି ସ୍ୱାଧୀନତା ଓ ଧର୍ମୋପଚାରରେ ସ୍ୱାଧୀନତା ବଜାୟ ରଖିବା ପାଇଁ ଆମେ ସଂକଳ୍ପବଦ୍ଧ । ରାଷ୍ଟ୍ର ଉପଲବ୍ଧ ସୁବିଧା ସୁଯୋଗରେ ସମସ୍ତଙ୍କ ସହଭାଗିତା ତଥା ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଦେଶର ଏକତା ଅଖଣ୍ଡତା ତଥା ସାର୍ବଭୌମତ୍ୱ ପ୍ରତି ଅନୁରକ୍ତି ଆନୁଗତ୍ୟ ପ୍ରକଟ କରିବା ପାଇଁ ମଧ୍ୟ ଆମେ ଘୋଷଣା କରିଛନ୍ତି । ଉପରୋକ୍ତ ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ଆମ ସମ୍ବିଧାନର ଭିତ୍ତି ପ୍ରସ୍ତାବନାରେ ବିଦ୍ୟମାନ ଏବଂ ଅନ୍ତଃନିର୍ମାଣ ସଂରଚନାରେ ମଧ୍ୟ ସଂପ୍ରସାରିତ ଭାବେ ପ୍ରତିବିମ୍ବିତ । ସମ୍ବିଧାନ ଜନଗଣଙ୍କର ଆଶା ଆକାଂକ୍ଷା, ଆବେଗ ଉଚ୍ଛ୍ୱାସର ଏକ ଅପୂର୍ବ ସମନ୍ୱିତ ସମାହାର, ଜୀବନ୍ତ ଦଲିଲ ତଥା ଦୃଢ଼ ସଂକଳ୍ପ ଇଚ୍ଛାପତ୍ର ଏବଂ ଜାତୀୟ ଜୀବନର ଆତ୍ମା ସଦୃଶ । 

ସାମାଜିକ ଜୀବନଧାରାକୁ ରୁଦ୍ଧିମନ୍ତ କରାଇବା, ସାମାଜିକ ନ୍ୟାୟ ପ୍ରତିଷ୍ଠା ତଥା ମାନବୀୟ ମୂଲ୍ୟବୋଧର ସୁରକ୍ଷା, ସ୍ୱାଧୀନତା ଉପଭୋଗ ସଙ୍ଗେ ସଙ୍ଗେ ସାମ୍ବିଧାନିକ କର୍ତ୍ତବ୍ୟବୋଧର ଏହା ଏକ ମାର୍ଗଦର୍ଶିକା । ସୁତରାଂ ଜନତା ଯେ ସର୍ବୋପରି³ ଏହା ଏକ ସାମ୍ବିଧାନିକ ସ୍ୱୀକାରୋକ୍ତି । ଉପରୋକ୍ତ ଲକ୍ଷ୍ୟର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ କ୍ଷେତ୍ରରେ ବିଧି ବ୍ୟବସ୍ଥା ପ୍ରଣୟନ ସକାଶେ ସଂଘୀୟ ଢାଞ୍ଚାରେ କେନ୍ଦ୍ର ତଥା ରାଜ୍ୟ ସ୍ତରରେ ବ୍ୟବସ୍ଥା ସଭାମାନ ରଖାଯିବା ସହ ଏପରି ବ୍ୟବସ୍ଥାକୁ ଗ୍ରାମପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ମଧ୍ୟ ସଂପ୍ରସାରିତ କରାଯାଇଛି । ଏହି ସଂସ୍ଥାଗୁଡ଼ିକରେ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତ୍ୟକ୍ଷ ତଥା କେତେକ କ୍ଷେତ୍ରରେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ଜନସାଧାରଣ ମୁକ୍ତ-ସ୍ୱଚ୍ଛ-ଅବାଧ ନିର୍ବାଚନ ଜରିଆରେ ଆଇନ ଅନୁଯାୟୀ ପ୍ରାଶାସନିକ କାର୍ଯ୍ୟ ସଂପାଦନ କରିଥାନ୍ତି । ଏହା ବ୍ୟତୀତ ଆମ ସାମ୍ବିଧାନିକ ବ୍ୟବସ୍ଥାରେ ନ୍ୟାୟପାଳିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟବସ୍ଥାସଭା ଦ୍ୱାରା ପ୍ରଣୀତ ଆଇନ ସମ୍ବିଧାନସମ୍ମତ କି ନୁହେଁ, ପ୍ରଶାସନ ଆଇନ ଅନୁଯାୟୀ ପଦକ୍ଷେପ ନେଉଛି କି ନାହିଁ ତାହା ପରୀକ୍ଷା କରି ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ନିର୍ଦ୍ଦେଶ ଦେବା, ଆବଶ୍ୟକ ହେଉଥିଲେ ଆଇନକୁ ଅସିଦ୍ଧ ଘୋଷଣା କରିବା, ଆଇନରେ ସଂଶୋଧନ ପାଇଁ ପରାମର୍ଶ ଦେବା ମଧ୍ୟ ନ୍ୟାୟପାଳିକାର କାର୍ଯ୍ୟ ପରିସରଭୁକ୍ତ । 

ବ୍ୟବସ୍ଥାସଭା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ପରସ୍ପର ମଧ୍ୟରେ ସୁସଂଗତି ରକ୍ଷାପୂର୍ବକ କାର୍ଯ୍ୟ ସଂପାଦନ କରିବା ସମ୍ବିଧାନର ନିର୍ଦ୍ଦେଶ । ସାମ୍ବିଧାନିକ ଅଙ୍ଗଗୁଡ଼ିକର ଏହି ସୁସଂଗତି ସୁସଂଯତ ଭାରସାମ୍ୟ ତତ୍ତ୍ୱ ଆଧାରରେ କାର୍ଯ୍ୟ କରିଥାଏ । ଏହାର ସାମ୍ବିଧାନିକ କ୍ଷମତା ଦୃଷ୍ଟିରୁ ନ୍ୟାୟପାଳିକାକୁ ସମ୍ବିଧାନର ସୁରକ୍ଷା କବଚ ତଥା ଜାଗ୍ରତ ପ୍ରହରୀ କୁହାଯାଇଥାଏ । ଉପରୋକ୍ତ ପୃଷ୍ଠଭୂମିରେ ସାଂପ୍ରତିକ ସାମ୍ବିଧାନିକ ସ୍ଥିତିକୁ ନିରୀକ୍ଷଣ କଲେ ଦେଖାଯାଏ, ସମ୍ବିଧାନର ମୌଳିକ ଭିତ୍ତିସ୍ତମ୍ଭମାନ ଏବେ ଦୋଦୁଲ୍ୟମାନ ପ୍ରାୟ ଏବଂ ସମ୍ବିଧାନ ଉଲ୍ଲଂଘନ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏଣୁ ଆଲୋଚ୍ୟ ପ୍ରସଙ୍ଗ ଦୃଷ୍ଟିରୁ ଏଠାରେ ଆମେ ସମ୍ବିଧାନର ପ୍ରମୁଖ ଭିତ୍ତିସ୍ତମ୍ଭ, ଗଣତନ୍ତ୍ର ସମାଜବାଦ ଧର୍ମନିରପେକ୍ଷବାଦ ଏବଂ ଏକ ସ୍ୱାଧୀନ ନ୍ୟାୟପାଳିକା କର୍ତ୍ତୃତ୍ୱର ମୁଖ୍ୟ ବିନ୍ଦୁ ପ୍ରତି ମୁଖ୍ୟତଃ ଆଲୋଚନାକୁ ନିବିଷ୍ଟ କରିବା । 

ପ୍ରଥମତଃ, ଗଣତାନ୍ତ୍ରିକ ସମାଜବାଦ ପ୍ରସଙ୍ଗକୁ ବିଚାରକୁ ନିଆଯାଉ । ସଂକ୍ଷେପରେ କହିଲେ, ଗାନ୍ଧିବାଦର ନ୍ୟାସତତ୍ତ୍ୱ ଏବଂ ମାର୍କସବାଦର ଉଦ୍‌ବୃତ୍ତ ମୂଲ୍ୟତତ୍ତ୍ୱ ବିଚାରଧାରାର ସମ୍ମିଶ୍ରିତ ଏକ ସୁଷମ ରସାୟନ । ଆମ ସମ୍ବିଧାନର ୧୪ ଓ ୧୬ ଧାରାରେ ଯେଉଁ ସମତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ତାହା ସାମ୍ବିଧାନିକ ସମାଜବାଦର ମୂଳଭିତ୍ତି । ଏହାକୁ ଆଉ ଟିକେ ବିସ୍ତାରିତ ଭାବେ ଦେଖିଲେ, ଏହାର ଅସଲ ଉଦ୍ଦେଶ୍ୟ ସମାଜର ନିମ୍ନବର୍ଗର ଲୋକଙ୍କ ଅର୍ଥନୈତିକ ଉତ୍‌ଥାନ, ସାମାଜିକ ସ୍ଥିତିରେ ଉନ୍ନତି ତଥା ସେମାନଙ୍କୁ ଦେଶର ରାଜନୈତିକ ମୁଖ୍ୟସ୍ରୋତ ସହିତ ସାମିଲ କରାଯିବା ଏହାର ଅସଲ ଲକ୍ଷ୍ୟ । ସମ୍ବିଧାନ ପ୍ରଣୟନ ଦିବସରୁ ଅଦ୍ୟାବଧି ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଯୋଜନାମାନ କରାଯାଇଆସୁଥିଲା । ବିଗତ କିଛି ବର୍ଷ ମଧ୍ୟରେ ଦେଶ ଏକ ପୁଞ୍ଜିବାଦୀ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଥିବାର ବ୍ୟତିକ୍ରମ ପରିଲକ୍ଷିତ । ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ, ରାଷ୍ଟ୍ର ଉପଲବ୍‌ଧ ସମ୍ବଳର ଅସମତୁଲ ବଣ୍ଟନ, ଅହେତୁକ ଭାବେ ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ କେନ୍ଦ୍ରୀଭୂତ ହେବା ପୁଞ୍ଜିବାଦୀ ବିଚାରଧାରାର ଅନ୍ୟତମ ଲକ୍ଷଣ । ପରିଣାମରେ ନିର୍ଦ୍ଧନ ମଧ୍ୟରେ ସ୍ପଷ୍ଟ ଅପେକ୍ଷାକୃତ ବୃହତ ତାରତମ୍ୟ ବୃଦ୍ଧିପାଇବା, ନିଯୁକ୍ତି କ୍ଷେତ୍ର ସଂକୁଚିତ ସହିତ ଉତ୍କଟ ବେକାରୀ ସମସ୍ୟା ଦେଖାଦେଇଛି । ସୁତରାଂ, ଏହାକୁ ସମ୍ବିଧାନ ମୌଳିକ ଲକ୍ଷ୍ୟର ଉଲ୍ଲଙ୍ଘନ ବୋଲି କାହିଁକି କୁହାନଯିବ । ଗଣତାନ୍ତ୍ରିକ ବ୍ୟବସ୍ଥାର ସାଂପ୍ରତିକ ସ୍ଥିତି ପ୍ରତି ଦୃଷ୍ଟି ନିକ୍ଷେପ କଲେ ଦେଖାଯାଏ, ଏହା ପ୍ରାୟ ଏକ ପ୍ରହସନରେ ପରିଣତ ହେବାରେ ଲାଗିଛି । 

ଗଣତନ୍ତ୍ର କେବଳ ନିର୍ବାଚନସର୍ବସ୍ୱ ନୁହେଁ, ଏହା ଏକ ବିଚାରଧାରା ଏବଂ ରାଷ୍ଟ୍ର ଶାସନ ବ୍ୟବସ୍ଥାର ପ୍ରତିଟି ସ୍ତରରେ ଏହି ବିଚାରଧାରାର ମୂଲ୍ୟବୋଧ ପ୍ରତିଫଳନ ଅସଲରେ ଗଣତନ୍ତ୍ର । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ଜରିଆରେ ପ୍ରତିନିଧି ଚୟନ ଏକ ନିରନ୍ତର ତଥା ସ୍ୱାଭାବିକ ପ୍ରକ୍ରିୟା । ଏହାକୁ ନିରପେକ୍ଷ ଭାବେ ଠିକଣା ମାର୍ଗରେ ପରିଚାଳିତ କରିବା ପାଇଁ ସମ୍ବିଧାନରେ ନିର୍ବାଚନ କମିଶନକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଛି । ଅଭିଜ୍ଞତାରୁ ଦେଖାଯାଇଛି, ଏହି ସଂସ୍ଥା ନିରପେକ୍ଷ ଭାବେ କାର୍ଯ୍ୟ କରିବା ପରିବର୍ତ୍ତେ ଅଧୁନା ଏକ ସରକାରୀ ଅଧୀନ ବିଭାଗ ଭାବେ ସରକାରୀ ନିର୍ଦ୍ଦେଶରେ କାର୍ଯ୍ୟ କରିଚାଲିଛି । ଯଦ୍ୱାରା ଏହି ସଂସ୍ଥା ସ୍ୱଚ୍ଛ, ମୁକ୍ତ ତଥା ଅବାଧ ନିର୍ବାଚନ ପରିଚାଳନାରେ ଏକପ୍ରକାର ବ୍ୟର୍ଥ ହେଉଥିବା ପରିଲକ୍ଷିତ । ଯାହାଫଳରେ ଜନସାଧାରଣଙ୍କର ଆସ୍ଥା ଏହି ସଂସ୍ଥାପ୍ରତି ପ୍ରାୟତଃ ତୁଟିଯାଇଛି । ନିକଟ ଅତୀତରେ କେତୋଟି ବିଶେଷ ଘଟଣା ଉଲ୍ଲେଖଯୋଗ୍ୟ । ନିର୍ବାଚନ କମିଶନ ସଭ୍ୟ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ମୁଖ୍ୟ ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ କମିଟି ଗଠନ ପାଇଁ ଶୀର୍ଷ ନ୍ୟାୟାଳୟର ପରାମର୍ଶ ସତ୍ତେ୍ୱ ଏହି କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦିଆଯାଇ ସେହି ସ୍ଥାନରେ କେନ୍ଦ୍ର ମନ୍ତ୍ରିସଭାର ଜନୈକ ସଦସ୍ୟଙ୍କୁ ନିଆଗଲା । 

ଏଥିରୁ ସ୍ପଷ୍ଟ ଅନୁମେୟ, ସରକାର ନିର୍ବାଚନ କମିଶନଙ୍କୁ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଚାହୁଁନାହାଁନ୍ତି । ଇଡି, ସିବିଆଇ, ଇନକମ ଟ୍ୟାକ୍ସ ବିଭାଗର ଦୁରୁପଯୋଗ କରାଯିବା ଭଳି ନିର୍ବାଚନ, କମିଶନଙ୍କୁ ମଧ୍ୟ ନିଜର କର୍ତ୍ତୃତ୍ୱାଧୀନ କରିବାକୁ ଆଗ୍ରହୀ । ନିର୍ବାଚନୀ ବଣ୍ଡ୍‌ ମାମଲାରେ ଶୀର୍ଷ ନ୍ୟାୟାଳୟରେ ତଥ୍ୟ ନଦେବା ଭଳି ନିର୍ବାଚନରେ ଇଭିଏମ ହେରାଫେରୀ ଠାରୁ ବୁଥୱାରୀ ମତଦାନ ତଥ୍ୟ ନଦେବା ଭଳି ଅସଂଖ୍ୟ ପ୍ରମାଣିତ ଅଭିଯୋଗର ତଥ୍ୟ ଲୋକଲୋଚନକୁ ଆସିବା ସତ୍ତେ୍ୱ ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଅନ୍ୟପକ୍ଷରେ ପୋଲିସ ଅଭିଯୋଗକାରୀକୁ ଜେଲ ପଠାଇଲା ଭଳି କେବଳ ବାଛି ବାଛି ବିରୋଧୀ ଦଳ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନମାନ ନିଆଯାଉଥିବା ଦେଖାଯାଉଛି । ପୁନଶ୍ଚ ସାଧାରଣ ନିର୍ବାଚନ ବିଭିନ୍ନ ଦଳର ଦେଶର ମୁଖ୍ୟ ସମସ୍ୟାଭିତ୍ତିକ ନିର୍ବାଚନୀ ଇସ୍ତାହାର ଆଧାରରେ ହେବାର ପରମ୍ପରା ରହିଆସିଥିଲେ ମଧ୍ୟ ଆଜିର ପରିବର୍ତ୍ତନ ସ୍ଥିତିରେ ଧର୍ମ-ସଂପ୍ରଦାୟ ଭିତ୍ତିରେ ନିର୍ବାଚନ ପ୍ରଚାର କରାଯାଉଛି, ଯାହାକି ସମ୍ବିଧାନର ଧର୍ମନିରପେକ୍ଷ ନୀତିର ସଂପୂର୍ଣ୍ଣ ବିରୁଦ୍ଧାଚରଣ । ନିର୍ବାଚନୀ ବଣ୍ଡ୍‌ ମାମଲାରେ ମହାଦୁର୍ନୀତିର ତଥ୍ୟ ଲୋକଲୋଚନକୁ ଆସିବା ପରେ ଦଳୀୟ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଅସାଧୁ ବ୍ୟବସାୟୀଙ୍କ ସହିତ ମଧୁଚନ୍ଦ୍ରିକା ଆହୁରି ସ୍ପଷ୍ଟ ହୋଇଛି । ନିର୍ବାଚନରେ ପ୍ରାର୍ଥୀର ଖର୍ଚ୍ଚସୀମା ଆଇନତଃ ନିର୍ଦ୍ଧାରିତ ହୋଇଥିବା ସତ୍ତ୍ୱେ ଭୋଟ ହାତେଇବା ପାଇଁ ହଜାର ହଜାର କୋଟି ବ୍ୟୟ କରାଯାଉଛି । ତେଣେ ନିର୍ବାଚିତ ପ୍ରତିନିଧି ଆୟା ରାମ ଗୟା ରାମ ରାଜନୀତି ତଥା ଖୋଲା ବଜାରରେ ଖର୍ଦ୍ଦିବିକ୍ରି ହେଉଥିବା କାହାରିକୁ ଅଛପା ନାହିଁ । ଅପରାଧୀଙ୍କ ରାଜନୀତିକରଣ ଓ ରାଜନୀତିର ଅପରାଧୀକରଣ ଚିନ୍ତାର ବିଷୟ । ଅଧିକନ୍ତୁ ଏପରି କୁକାର୍ଯ୍ୟରେ ଲିପ୍ତ ଥିବା ଦଳ ଓ ନେତାଙ୍କ ସଂପର୍କରେ ନକହିଲେ ଭଲ । 

ଦଳ ବଦଳ ନିର୍ବାଚନରେ ଏପରି ଅସ୍ୱସ୍ତିକର ବାତାବରଣ ସୃଷ୍ଟି କରିଛି, କେତେକ ବ୍ୟକ୍ତି ସକାଳେ ଗୋଟିଏ ଦଳର ତ ସନ୍ଧ୍ୟାରେ ଆଉ ଗୋଟିଏ ଦଳର, ପୁଣି ରାତି ପାହିଲା ବେଳକୁ ଆଉ ଗୋଟିଏ ଦଳରେ ଯୋଗଦେବା ବେଶ୍‌ କୌତୁହଳ । ସମ୍ବିଧାନର ଦଶମ ଅନୁଚ୍ଛେଦକୁ ଅଦରକାରୀ କରିଦେଇଛି । ସେହିପରି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହେଲେ ଯେଉଁ ହାତଗଣତି ନିରପେକ୍ଷ ପତ୍ରକାର ସରକାରଙ୍କ ଅସାମ୍ବିଧାନିକ କାର୍ଯ୍ୟକଳାପର ସମାଲୋଚନା କରୁଛନ୍ତି, ସେମାନଙ୍କୁ ମିଥ୍ୟା ମାମଲାରେ ଛନ୍ଦି ହଇରାଣ ହରକତ କରାଯାଉଛି ଏବଂ ନାନା ନିର୍ଯାତନାର ସାମ୍‌ନା କରିବାକୁ ପଡ଼ୁଛି । ନ୍ୟାୟପାଳିକାକୁ ଆମ ସମ୍ବିଧାନରେ ସ୍ୱତନ୍ତ୍ର ଦରଜା ଦିଆଯାଇଛି ଓ ଗଣତନ୍ତ୍ରର ସୁରକ୍ଷା କବଚ ଏବଂ ଏହାର ସାମ୍ବିଧାନିକ ବ୍ୟାଖ୍ୟା ୧୪୧ ଧାରା ଅନୁଯାୟୀ ଚୂଡ଼ାନ୍ତ, ଗ୍ରାହ୍ୟ ତଥା ପାଳନୀୟ । ପରନ୍ତୁ, ବିଗତ କିଛିବର୍ଷ ମଧ୍ୟରେ ଅବସ୍ଥାଚକ୍ରରେ ବିଚାରପତି ନିଯୁକ୍ତି ବଦଳି ତଥା ପଦୋନ୍ନତି କ୍ଷେତ୍ରରେ ଯେପରି ରାଜନୈତିକ ହସ୍ତକ୍ଷେପଜନିତ ଗୁରୁତର ତ୍ରୁଟିବିଚ୍ୟୁତି ଦେଖାଦେଇଛି କହିଲେ କୁଳ କୁଟୁମ୍ବକୁ ଲାଜ... । 

ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ନ୍ୟାୟରେ କିଛି କଥା କିଛି ବ୍ୟଥା ପ୍ରକାଶ କରିବା ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ମନେହୁଏ । ନ୍ୟାୟପାଳିକା ଆଜି ଚାପ ତଥା ଭୀତଗ୍ରସ୍ତ । ନିଷ୍ପତ୍ତି ସରକାର ବିରୋଧରେ ଗଲେ କାର୍ଯ୍ୟପାଳିକା, ନ୍ୟାୟପାଳିକା ଭର୍ତ୍ସନା କରିବାକୁ ପଛାଉ ନାହାଁନ୍ତି । ନିର୍ବାଚନୀ ବଣ୍ଡ୍‌ ମାମଲା ରାୟ ଏହାର ସତ୍ୟତମ ଉଦାହରଣ । ଶୀର୍ଷ ନ୍ୟାୟାଳୟ ବଣ୍ଡ ବିକ୍ରି-ଖର୍ଦ୍ଦିକୁ ବେଆଇନ ଘୋଷଣା କରିବା ସତ୍ତେ୍ୱ ଏହାକୁ ପୁନଃ ପ୍ରଚଳନ ପାଇଁ ସରକାରୀ ଦଳର ଦମ୍ଭୋକ୍ତି ଅତ୍ୟନ୍ତ ଅସ୍ୱସ୍ତିକର ବାତାରଣ ସୃଷ୍ଟି କରିଛି । ବସ୍ତୁତଃ ନ୍ୟାୟପାଳିକାକୁ ସଂପୂର୍ଣ୍ଣ ସରକାରୀ ନିୟନ୍ତ୍ରଣ କରାଯିବାର ସୁଚିନ୍ତିତ ଯୋଜନାର ଏହା ଏକ ଆଭାସ । ସେହିପରି ସମ୍ବିଧାନ ବଦଳାଇବାର ପ୍ରକାଶ୍ୟ ଦମ୍ଭୋକ୍ତି ମଧ୍ୟ ଆଉ ଏକ ଯୋଜନା । ଚାକିରି ହରାଇବା, ପଦୋନ୍ନତିରୁ ବଞ୍ଚିତ ହେବା, ବଦଳି ତଥା ନିର୍ଯାତନା ଭୟରେ ସରକାର ବିରାଧରେ ପାଟି ଫିଟାଇବା ତ ଦୂରର କଥା, ସରକାରଙ୍କୁ ଅନ୍ଧଭାବେ ସମର୍ଥନ କରାଯାଉଥିବା, ସାପ ନମରୁ ବାଡ଼ି ନଭାଙ୍ଗୁ ନୀତିରେ କାର୍ଯ୍ୟ ଚାଲୁଥିବା ପୀଡ଼ାଦାୟକ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.