ଭୁବନେଶ୍ୱର, ଶ୍ରୀ ସନ୍ନ୍ୟାସୀ/୭।୮: ଆପଣମାନଙ୍କ ଭିତରୁ ଅନେକ ବେଳେବେଳେ ନିଶ୍ଚୟ ଚିନ୍ତା କରୁଥିବେ ଦେବତା ମୂର୍ତ୍ତିମାନେ ମନ୍ଦିରରେ ଖୁଣ୍ଟ ପରି ବସିଛନ୍ତି । କିଛି କଥା ହୁଅନ୍ତି ନାହିଁ କାହିଁକି ? ସଂସାରର ଇତର ପ୍ରାଣୀ ଯଥା- ଶୁଆ, ଶାରୀ, କୁକୁର, ବିଲେଇ, ହାତୀ, ବାଘ, ନେଉଳ ଆଦି ପ୍ରାଣୀମାନେ ମଣିଷ ସହ ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ଆମେ ଯେଉଁ ମୂର୍ତ୍ତିଙ୍କୁ ଦିନରାତି ପୂଜା କରି ଲମ୍ବ ଲମ୍ବ ମୁଣ୍ଡିଆ ମାରୁଛୁ, ସେମାନେ କାହିଁକି କିଛି କିଛି ଉତ୍ତର ରଖନ୍ତି ନାହିଁ ? ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ସେଥିପାଇଁ ସାଧନ କିମ୍ବା ଉଚ୍ଚକୋଟୀର ଭକ୍ତି ଲୋଡ଼ା । ହେଲେ ଏହା ତ ଠିକ୍ । କିନ୍ତୁ ସାଧାରଣ ଭାବେ ଏହାର ଉତ୍ତର ଉପରେ ଟିକେ ବିଶ୍ଳେଷଣ କରାଯାଇପାରେ । ସେଥିପାଇଁ ପ୍ରଥମେ ଛୋଟିଆ ଏକ କଥାଟିଏ । ଭଗବାନ କାହିଁକି ଚୁପ୍ ହୋଇ ବସି ରହନ୍ତି ବୋଲି ପ୍ରଶ୍ନଟି ଜଣେ ମନ୍ଦିର ପୂଜକଙ୍କ ମନ ଭିତରେ ଥରେ ପଶିଗଲା । ସେଦିନ ରାତ୍ର ପହୁଡ଼ ସମୟରେ ନିଜ ମନ କଥା ପ୍ରଭୁଙ୍କୁ ସେ ଜଣାଇଲେ ।
ପ୍ରଭୁ ସେଦିନ ରାତ୍ରିରେ ସ୍ୱପ୍ନରେ ପୂଜକଙ୍କୁ କହିଲେ, ଚୁପ୍ ହାଇ ନବସିଲେ ମୁଁ ସଂସାର କାର୍ଯ୍ୟ କରିପାରିବି ନାହିଁ । ତୁମେ କ’ଣ ଭାବୁଛ ଯେ, ଗୋଟିଏ ଜାଗାରେ ଚୁପ୍ ହୋଇ ଘଣ୍ଟା ଘଣ୍ଟା ଧରି ବସି ରହିବା ଏକ ଛୋଟିଆ କାର୍ଯ୍ୟ ବୋଲି ? ଠିକ୍ ଅଛି । ତୁମେ କାଲି ଦିନଟି ପାଇଁ ମୋ ଆସନରେ ବସ । ମନ୍ଦିରକୁ ଭକ୍ତ ଆସିବେ । କିନ୍ତୁ, ସାବଧାନ ! କୌଣସି ପରିସ୍ଥିତିରେ ବି ମୁହଁ ଖୋଲିବ ନାହିଁ । ପୂରା ଚୁପ୍ ରହିବ । ତା’ପରେ ଜାଣିବ ଯେ ମୁଁ କାହିଁକି ସବୁବେଳେ ମୌନ ରୁହେ । ପରଦିନ ଭଗବାନଙ୍କ ଆସନରେ ଚୁପ୍ ହୋଇ ବସିଲେ ପୂଜକ । ମନ୍ଦିରକୁ ସେଦିନ ପ୍ରଥମେ ଜଣେ ଭକ୍ତ ଆସିଲେ । ଭକ୍ତଟି ମନ୍ଦିର ହୁଣ୍ଡୀରେ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ପକାଇବା ବେଳେ ତାହା ଭୁଲ୍ବଶତଃ ହୁଣ୍ଡୀ ତଳେ ଯାଇ ପଡ଼ିଗଲା ।
ଭକ୍ତଟି ଫେରିଯାଉଥିବା ବେଳେ ପୂଜକର ଇଚ୍ଛା ହେଉଥିଲା ଯେ, ସେ ଭକ୍ତଟିକୁ ଡାକି ତଳେ ପଡ଼ିଯାଇଥିବା ତା’ ଦାନ ବାବଦରେ କହିବ ବୋଲି । କିନ୍ତୁ ତାକୁ ଚୁପ୍ ରହିବା ପାଇଁ କୁହାଯାଇଥିବାର କଥା ମନେ ପକାଇ ଅଗତ୍ୟା ନିରବ ରହିଲେ । କିଛି ସମୟ ପରେ ଦ୍ୱିତୀୟ ଭକ୍ତ ଜଣେ ଆସିଲେ । ସେ ହୁଣ୍ଡୀରେ ପାହୁଲାଟିଏ ପକାଇ ଦେଇ ଏଡ଼େ ପାଟିରେ କହିଲା– ପ୍ରଭୁ ! ମୋତେ ଆଜି ସ୍ୱର୍ଣ୍ଣମୁଦ୍ରାଟିଏ ଦିଅନ୍ତୁ । ମାତ୍ର ପାହୁଲାଟିଏ ଦେଇ ସ୍ୱର୍ଣ୍ଣମୁଦ୍ରା ମାଗୁଥିବାର ଶୁଣି ପୂଜକର ରକ୍ତ ଗରମ ହୋଇଗଲେ ବି ସେ ଚୁପ୍ ରହିଲେ । ଭକ୍ତ ଜଣକ ଠାକୁରଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ହୁଣ୍ଡୀ ତଳେ ପଡ଼ିଥିବା ସ୍ୱର୍ଣ୍ଣମୁଦ୍ରା ପାଇ ଢେର୍ ଖୁସି ହୋଇ ‘ଆଜି ପ୍ରଭୁ ମୋ ଡାକ ଶୁଣିଲେ' ବୋଲି କହି ବେଶ୍ ଖୁସିରେ ଲମ୍ବା ପାହୁଣ୍ଡ ପକାଇ ବାହୁଡ଼ିଲା । ପୂଜକ ଏସବୁ ଦେଖି ମନେ ମନେ ସେ ଲୋକଟି ଉପରେ କ୍ରୁଦ୍ଧ ହେଉଥିଲେ ବି ସର୍ତ୍ତ ଅନୁସାରେ ଚୁପ୍ ରହିଲେ । କିଛି ସମୟ ପରେ ତୃତୀୟ ଭକ୍ତ ଜଣେ ନିଜ ପରିବାର ସହ ଆସିଲେ । ବେଶ୍ କିଛି ସମୟ ଧରି ପୂଜାର୍ଚ୍ଚନାରେ ଲାଗି ରହିଲେ ।
ରାତି ପାହିଲେ ଜଳଯାତ୍ରାରେ ବିଦେଶ ଯିବାର ଥିବାରୁ ସୁଖଦ ଯାତ୍ରା ନିମନ୍ତେ ପ୍ରାର୍ଥନା କରି ମନ୍ଦିର ଛାଡ଼ିଲେ । ଏଇ ସମୟ ମଧ୍ୟରେ ମନ୍ଦିରର ଜନୈକ କର୍ମକର୍ତ୍ତା ହୁଣ୍ଡୀରୁ ସ୍ୱର୍ଣ୍ଣମୁଦ୍ରାଟିକୁ ନେବାପାଇଁ ଆସିଲେ । କିନ୍ତୁ ହୁଣ୍ଡୀରେ ତାହା ନଥିବାରୁ ସେ ସ୍ଥାନୀୟ ପୁଲିସକୁ ଖବର ଦେଲେ । ପୁଲିସ ତୁରନ୍ତ ପହଞ୍ଚି ସନ୍ଦେହରେ ତୃତୀୟ ଭକ୍ତକୁ ଗିରଫ କରି ନେଇଯାଉଥିବା ସମୟରେ ଭଗବାନଙ୍କ ପାଖରେ ବସିଥିବା ପୂଜକ ଆଉ ଚୁପ୍ ହାଇ ବସିପାରିଲେ ନାହିଁ । ଦ୍ୱିତୀୟ ଭକ୍ତଟି ସ୍ୱର୍ଣ୍ଣମୁଦ୍ରା ନେଇଛି ବୋଲି ସାକ୍ଷ୍ୟ ପ୍ରମାଣ ଦେବାରୁ ତୃତୀୟ ଭକ୍ତକୁ ଛାଡ଼ି ପୋଲିସ ଦ୍ୱିତୀୟ ଭକ୍ତକୁ ଗିରଫ କରି ହାଜତକୁ ପଠାଇଦେଲା । ପରେ ଭଗବାନ ନିଜ ଅନୁଭବ ବାବଦରେ ପଚାରିବାରୁ, ପୂଜକ ବେଶ୍ ଖୁସି ହୋଇ ତୃତୀୟ ଭକ୍ତକୁ ପୁଲିସ କବଳରୁ ଉଦ୍ଧାର କରି ଦ୍ୱିତୀୟ ଚୋର ଭକ୍ତକୁ ଦଣ୍ଡ ଦେବା ପ୍ରସଙ୍ଗ କଥା ବେଶ୍ କୃତ୍ୟକୃତ୍ୟ ହୋଇ ବର୍ଣ୍ଣନା କଲେ ।
ଭଗବାନ କହିଲେ– ରେ ମୂର୍ଖ ପୂଜକ ! ତୁ କ'ଣ କଲୁ ! ପ୍ରଥମ ଭକ୍ତଟି ଥିଲା ଚୋର । ସେ ଯାହା ଚୋରି କରେ ଅଧା ମୋତେ ଦିଏ । ପୂର୍ବଦିନ ରାତ୍ରିରେ ଦୁଇଟି ସ୍ୱର୍ଣ୍ଣମୁଦ୍ରା ଚୋରି କରିଥିବାରୁ ଅତି ଖୁସିରେ ମୋତେ ଗୋଟିଏ ଦାନ କରିଥିଲା । ଦ୍ୱିତୀୟ ଗରିବ ଭକ୍ତର ସ୍ତ୍ରୀ ଅପରେସନ ପାଇଁ ସ୍ୱର୍ଣ୍ଣମୁଦ୍ରାଟି ନିହାତି ଦରକାର ଥିଲା । ତା’ ଭୁଲ୍ ପାଇଁ ସେ ଏବେ ଜେଲରେ । ତା’ ରୋଗାକ୍ରାନ୍ତ ସ୍ତ୍ରୀ ଡାକ୍ତରଖାନା ଖଟିଆରେ ଏବେ ଛଟପଟ ହେଉଛି । ତୃତୀୟ ଭକ୍ତ ଜଣକ ସନ୍ଦେହରେ ଜେଲ ଯାଇଥିଲେ ତା’ ଜୀବନ ବଞ୍ଚି ଯାଇଥାନ୍ତା । ଏବେ ସମୁଦ୍ରରେ ସୁନାମି । ତା’ ଜାହାଜଟି ଓଲଟିଯିବା ଉପରେ । ମରଣ ସହିତ ଏବେ ସେ ସଂଗ୍ରାମରତ । ଏସବୁ ଶୁଣି ପୂଜକର ହୋସ୍ ଉଡ଼ିଗଲା । ଭଗବାନ ଚୁପ୍ ହୋଇ ବସି ମଧ୍ୟ ସବୁ କାର୍ଯ୍ୟ ଠିକ୍ ଠିକ୍ କରାନ୍ତି । ସମସ୍ତଙ୍କ ଗୁହାରି ଶୁଣି ବିଧାନମତେ ସମାଧାନ କରାନ୍ତି । କଥା ନକହିଲେ କ'ଣ ହେଲା, କାମଟି ଠିକ୍ ଠିକ୍ ହେଉଛି । ଏଥିରୁ ଆନ ଏକ ଶିକ୍ଷା ମଧ୍ୟ ମିଳେ ।
ଏ ସଂସାରରେ ଯିଏ କଥା କମ୍ କହି କାମ ଅଧିକ କରେ ସେ ହିଁ ଭଗବାନ । ସବୁ କାର୍ଯ୍ୟରେ ଅଧିକ ଗପୁଥିବ, କିନ୍ତୁ ହଲିଲା ପାଣିକୁ ଗୋଡ଼ ବଢ଼ାଉନଥିବ । ସେଭଳି ଲୋକଙ୍କୁ ‘କୁହାମୁଣ୍ଡା କପିଳା' ବୋଲି କୁହାଯାଏ । ଏମାନେ ସବୁ କାର୍ଯ୍ୟରେ ବେଶୀ ଭଡ଼ ଭଡ଼ ହେଉଥିବେ, କିନ୍ତୁ ଅସଲ କାର୍ଯ୍ୟ ବେଳେ ଖୋଜା ପଡ଼ିଲା ବେଳେ ବାବୁ ଆଉ ନଥିବେ । ବାହାନା ଦେଖାଇ କୁଆଡେ ଛୁ । ଅଳ୍ପ କଥା କହି ଅଧିକ କାମ କରୁଥିବା ଭଦ୍ର ଲୋକମାନଙ୍କ ଅପେକ୍ଷା ଏମାନଙ୍କ ସଂଖ୍ୟା ସମାଜରେ ବେଶୀ । ଗାଁ ଗଣ୍ଡା, ସହର ବଜାର, ସଂଗଠନ, କାର୍ଯ୍ୟାଳୟ ସବୁଠି ଏମାନେ ଥାଆନ୍ତି । ତେବେ କଥା କମ୍, କାମ ଅଧିକା କରି ଆମେ ‘ଭଗବାନ' ହେବା ନା ‘କୁହାମୁଣ୍ଡା କପିଳା' ହେବା । ସେ ନିଷ୍ପତ୍ତି ନେବାର ସମୟ ଏବେ ଆପଣଙ୍କ ହାତରେ ।