ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅବସର ଓ ସୁଖୀ ଜୀବନର ସରଳ ସୂତ୍ର

ଆପଣ ଅବସର ଗ୍ରହଣ କଲେଣି କି? ଅବସର ନେବାକୁ ଦୁଇ ତିନି ବର୍ଷ, କେତେ ମାସ ଅଛି କି? ସେଥିପାଇଁ ଅବସାଦରେ ଅଛନ୍ତି, ଅବସର ପରେ କ'ଣ କରିବେ । ପରିବାରରେ ଆପଣ ଅଲୋଡ଼ା ହୋଇଯିବେ, ବୋରିଂ ଜୀବନ ବିତାଇବାକୁ ପଡ଼ିବ । ଏତେ ଘଣ୍ଟା ଅଫିସ୍‌ରେ କାମ କରୁଥିବା ବ୍ୟକ୍ତି ହଠାତ୍‌ କାମରୁ ଅବସର ନେଇ ଘରେ କିଛି କାମ ନକରି ନିକମା ହୋଇ ବଞ୍ଚି ରହିଲେ ନାନା ଚିନ୍ତା ମାଡ଼ିବସିବ, ରୋଗବ୍ୟାଧି ସୁଯୋଗ ଖୋଜି ଦେହରେ ପ୍ରବେଶ କରିବେ । ଶରୀର ଓ ମନ ଭାରାକ୍ରାନ୍ତ ହୋଇଯିବ । ପରିବାର ଉପରେ ବୋଝ ହେଲେ ସେମାନେ ନାନା ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବେ । ଜାତିସଂଘର ଏକ ରିପୋର୍ଟ ଅନୁସାରେ ଜଣାଯାଏ, ଭାରତରେ ୬୦ବର୍ଷ ବୟସରେ ପହଞ୍ଚିଥିବା ପୁରୁଷମାନେ ଆଉ ୧୭.୫ ବର୍ଷ ଓ ମହିଳାମାନେ ୧୯ ବର୍ଷ ବଞ୍ଚୁଛନ୍ତି । ହିମାଚଳ ଓ ମଧ୍ୟପ୍ରଦେଶରେ ସର୍ବାଧିକ ମହିଳାମାନେ ୨୩ ଓ ୨୨ ବର୍ଷ ବଞ୍ଚିବାର ସମ୍ଭାବନା ରହିଛି । ବିଶେଷ କରି ଭାରତୀୟ ମହିଳାମାନଙ୍କ ପାଖରେ ରୋଜଗାର ଉତ୍ସ ନଥାଏ । ସରକାରୀ ଓ ବେସରକାରୀ ଚାକିରିରେ ଅବସର ରହିଛି, କିନ୍ତୁ ଆମକୁ ମନେରଖିବାକୁ ହେବ ମୃତ୍ୟୁରେ ହିଁ ଆମକୁ ଅବସର ମିଳେ । ଜନ୍ମରୁ ଆମେ ହାତଗୋଡ଼ ହଲାଇ ଖେଳିବା, କାନ୍ଦିବା, ଆଦି ମଧ୍ୟରେ ଚାଲିବା, କଥା କହିବା ମଧ୍ୟରେ ଶୈଶବ, କୈଶୋର, ଯୌବନ, ପୌଗଣ୍ଡ ଓ ବାର୍ଦ୍ଧକ୍ୟରେ ଉପନୀତ ହେଉ । ଏସବୁ ଆମ ଜୀବନର ଗୋଟିଏ ଲେଖାଏଁ ଅବସ୍ଥା । 

ପ୍ରତ୍ୟେକ ଲୋକ ଏହି ଅବସ୍ଥା ଭୋଗ କରିବାର ସୌଭାଗ୍ୟ ଲାଭ କରିପାରନ୍ତିନି । ତେଣୁ ବାର୍ଦ୍ଧକ୍ୟର ଅନୁଭୂତି ତଥା ଜୀବନ ଯନ୍ତ୍ରଣା ମଧ୍ୟରେ ମଜା ଉଠାଇବା ଏକ ଉତ୍ତମ ଆଚରଣ ନିଶ୍ଚୟ । ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଚାଲୁଥାନ୍ତି, ସେମାନେ ଯଦି ଅବସର ନେଉନାହାଁନ୍ତି ଆମେ ଅବସର ନେଲେ କେମିତି, ଶଗଡ଼ ଗୁଳାରେ ଦୀର୍ଘବର୍ଷ ଧରି ଚାଲିବା ପରେ ଆମେ ଚକା ବଦଳେଇବା ଆନନ୍ଦର କଥା । ଦୀର୍ଘବର୍ଷ ହେବ ଗୋଟିଏ କାମ କରିବା, ଫାଇଲ ପଢ଼ିବା, ବଡ଼ ଅଫିସର, ନେତା, ମନ୍ତ୍ରୀଙ୍କ ତାଗିଦ୍‌ ଭିତରେ ଆମେ ନିଜର ବୁଦ୍ଧି, ପାରିବାପଣିଆ ହରାଇ ବଂଚିବା ପାଇଁ ସବୁ ତାଗିଦ୍‌ ସହି କାମ କରୁ ସିନା, କିନ୍ତୁ ସରସତ୍ତା ନଥାଏ । ବେସରକାରୀ ସଂସ୍ଥାରେ ଚାକିରି ପାଣିଫୋଟକା, ଆଜି ଅଛି ତ ବିନା ନୋଟିସ୍‌ରେ କାଲିକି ନାହିଁ । ଏହା ଏକ ବନ୍ଦୀ ଜୀବନ ନୁହେଁ କି? ଆମ ଓଡ଼ିଶା କ୍ୟାଡରର ଜଣେ ଆଇ.ଏ.ଏସ୍‌ ଅଫିସର ଯେଉଁଦିନ ଅବସର ନେଲେ ସେ ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ "ଦୀର୍ଘ ବର୍ଷର ବନ୍ଦୀ ଜୀବନରୁ ମତେ ମୁକ୍ତି ମିଳିଲା, ଅବଶିଷ୍ଟ ଜୀବନ ସମାଜ ସେବାରେ କଟାଇଦେବି' । ଅବସର ଦିନ ହିଁ ସରକାରୀ ବଙ୍ଗଳା ଛାଡ଼ିଲେ । ଚାକିରିରେ ଯୋଗଦେବା ବେଳେ ସଙ୍ଗରେ ଆଣିଥିବା ଏକମାତ୍ର ଟ୍ରଙ୍କ ଧରି ରିକ୍ସାରେ ଯାଇ ବସ୍‌ ଧରିଲେ ସିଧା ଗାଁକୁ । ଆମେ ଯେତେବେଳେ ମାନସିକ ସ୍ତରରେ ଦୁର୍ବଳ ହୋଇ କହିବା ଆମର ଅବସର ସମୟ ଆସିଲା, ସତେ କି ଆମର ମୃତ୍ୟୁ ହୋଇଗଲା । ଏତେବର୍ଷ କର୍ମକ୍ଷେତ୍ରରେ ରହି ପଇସା ରୋଜଗାର ପରେ ଆମର ଦକ୍ଷତା ହ୍ରାସ ପାଇବା ହେଉ କିମ୍ବା ଶାରୀରିକ ଦୁର୍ବଳତା ହେଉ, ଯୁବପିଢ଼ିମାନଙ୍କ ପାଇଁ ବାଟ ଛାଡ଼ିବା ଦରକାର । କେତେକ ବ୍ୟକ୍ତି ଚାକିରି କାଳ ସଂପୂର୍ଣ୍ଣ ପୂର୍ବରୁ ଇଚ୍ଛାରେ ଅବସର ନେଇ ଜୀବନର ପ୍ରତି ଗତିପଥ ବଦଳାଇ, ସମାଜ ସେବାରେ ମନଦେବା, ବ୍ୟବସାୟ ବାଣିଜ୍ୟ ଓ କ୍ଷୁଦ୍ର ମଧ୍ୟମ ଶିଳ୍ପ ବସାଇ ଅଧିକ ରୋଜଗାର କରି କିଛି ଲୋକଙ୍କୁ ବଞ୍ଚିବାର ରାହା ଦେଇ ଜୀବନସାରା ଅବସର ନେଇନଥାନ୍ତି । କୃଷକ, ଶ୍ରମିକ, ଦିନ ମଜୁରିଆ, ଡାକ୍ତର, ଓକିଲ, ସମାଜସେବୀଙ୍କର ଅବସର ବୟସ ନଥାଏ । 

ଚାକିରିରୁ ଅବସର ପରେ ଏକ ଦୀର୍ଘ କର୍ମମୟ ଜୀବନ ଆମକୁ ଅପେକ୍ଷା କରିଥାଏ । ତାହା ରୋଜଗାର ହୋଇପାରେ, ସମାଜସେବା, ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ଅବା ସାମାଜିକ ସଂପର୍କ ସୃଷ୍ଟିକରି ବିଷାଦମୁକ୍ତ ହେବା । ପଚାଶ ଦଶକରୁ ଅଧିକ ସମୟ ଧରି ରୋଗୀସେବା କରିଆସୁଛନ୍ତି ଡାକ୍ତର ହାୱାର୍ଡ ଟକର । ତାଙ୍କ ବୟସ ୧୦୧ ବର୍ଷ । ଏ ବୟସରେ ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରୋଗୀସେବା କରୁଛନ୍ତି । ଆମେରିକାର କ୍ଲିଭ୍‌ଲ୍ୟାଣ୍ଡରେ ଜନ୍ମିତ ଟକର କେବଳ ଡାକ୍ତରୀ ପେସାରେ ସୀମିତ ନୁହଁନ୍ତି । ୬୦ବର୍ଷ ବୟସରେ ସେ ଓହାୟୋ ବାର ପରୀକ୍ଷା ପାସ୍‌ କରିଥିଲେ । ଏହାପରେ ଲା’ ସ୍କୁଲରେ ନାମ ଲେଖାଇଥିଲେ । ଗିନିସ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡ଼ସ୍‌ ଟକରଙ୍କୁ ସବୁଠୁ ବୟସ୍କ ଡାକ୍ତର ସମ୍ମାନ ଦେଇଛି । ୮୯ବର୍ଷ ବୟସର ପତ୍ନୀଙ୍କ ସହିତ ରେସ୍ତୋରାଁ ଯିବା, ସାଙ୍ଗସାଥୀ ମେଳରେ ଭୋଜି କରିବା ଛଡ଼ା ସେ ଜଣେ ଉତ୍ସାହୀ ପାଠକ । ରହସ୍ୟମୟ ଉପନ୍ୟାସ ଓ ଜୀବନୀ ପଢ଼ିବାକୁ ଭଲ ପାଉଥିବା ଟକର କହନ୍ତି- ଏହା ମସ୍ତିଷ୍କକୁ କ୍ଷିପ୍ର ରଖିବାର ଚାବିକାଠି । ଏବେ ଅବସର ନେବାର କୌଣସି ଯୋଜନା ନାହିଁ । ଅବସର ଦୀର୍ଘ ଜୀବନର ବଡ଼ ଶତ୍ରୁ ବୋଲି ସେ କୁହନ୍ତି । ଅଧିକାଂଶ ଭାରତୀୟଙ୍କ ମନରେ ସର୍ବଦା ବୟସର ଛାପ ଥାଏ । ଏ ବୟସରେ କ’ଣ ଅଛି କରିହେବ? କାଳ ଗଲା, ବୟସ ଗଲା, ଉତ୍ସାହ ଗଲା, ସବୁକିଛି ଶେଷ ହେଲା । ମରିବା ପୂର୍ବରୁ କତରା ଘୋଡ଼ିହୋଇ ଶୋଇବା ଅନେକଙ୍କ କର୍ତ୍ତବ୍ୟ । ଏହା ଦୁର୍ବଳମନାଙ୍କର ପରିଚୟ । ମୃତ୍ୟୁ କେଉଁ ସମୟରେ, କେଉଁ ବୟସରେ ଆସିବ ତାହା ଅଗୋଚର । ସେଥିପାଇଁ ଆମେ ସର୍ବଦା ଦୀର୍ଘଜୀବନ କାମନା କରିଥାଉ । ତା' ଅର୍ଥ ନୁହେଁ, ଆମେ ସକ୍ଷମ ଥାଇ କାହା ଉପରେ ବୋଝ ହୋଇଯିବା । 

ଜୀବନକୁ ରଙ୍ଗହୀନ, ରସହୀନ ଭାବିବା । ପ୍ରଥମ ପିଢ଼ି ଓ ତୃତୀୟ ପିଢ଼ି ମଧ୍ୟରେ ଦ୍ୱିତୀୟ ପିଢ଼ି ଚାପି ହୋଇଯାଏ । ପ୍ରଥମଙ୍କ ଅବସର ତଥା ବାର୍ଦ୍ଧକ୍ୟରେ ନାନା ଅଭିଯୋଗ, ତୃତୀୟମାନଙ୍କ ପାଇଁ ଦ୍ୱିତୀୟ ପିଢ଼ି ପର୍ଯ୍ୟାପ୍ତ ସମୟ ନଦେବା ଯୋଗୁଁ ଏପରି ହୋଇଥାଏ । ତେଣୁ ପ୍ରଥମ ପିଢ଼ି ଓ ତୃତୀୟ ପିଢ଼ି ମଧ୍ୟରେ ସୁ-ସଂପର୍କ ସ୍ଥାପିତ ହେଲେ ଦ୍ୱିତୀୟ ପିଢ଼ି ମାନସିକ ଚାପରୁ ତ୍ରାହି ପାଇବ । ବୃଦ୍ଧ, ବୃଦ୍ଧାମାନେ ସେମାନଙ୍କ ନାତି, ନାତୁଣୀଙ୍କ ମେଳରେ ସମୟ କାଟିଲେ ଉଭୟ ମାନସିକ ଶାନ୍ତି ପାଇବେ ଓ ଦ୍ୱିତୀୟ ପିଢ଼ି ଚାପରେ ରହିବେନାହିଁ । ଯେଉଁମାନଙ୍କର ସାମାଜିକ ସଂପର୍କ ଦୁର୍ବଳ, ଯେଉଁମାନେ ବିଗତ ପଦ, ପଦବି, ମୋଟା ଅଙ୍କର ଦରମାକୁ ଗର୍ବ ଓ ହିଂସାରେ ବୁଡ଼ି ରୁହନ୍ତି ସେମାନେ ସମାନ୍ତର ସରଳରେଖା, ସମାନ୍ତର ସରଳରେଖା ବକ୍ର ନହେଲେ ଅନ୍ୟ ସରଳରେଖା ସହିତ ମିଶିପାରନ୍ତି ନାହିଁ । ତେଣୁ ଏଭଳି ବ୍ୟକ୍ତି ଅବସର ପାଇ ସାଧାରଣ ସମବୟସ ବ୍ୟକ୍ତିଙ୍କ ସହିତ ମିଶିପାରନ୍ତି ନାହିଁ । ଅନ୍ୟମାନେ ଏହାଙ୍କ ସହିତ ମିଶିବାକୁ ନାପସନ୍ଦ କରନ୍ତି । ଏହାର ହଜାର ହଜାର ଉଦାହରଣ ରହିଛି । ଆମେ ଯେତେ ବଡ଼ ବୃକ୍ଷ ହୋଇଥିଲେ ମଧ୍ୟ ବୋନସାଇ ପରି ତାଙ୍କ ସମକକ୍ଷ ହେଲେ ସାମାଜିକ ସଂପର୍କ ସୃଷ୍ଟିହେବ । କଠିନ ନହୋଇ ନମନୀୟ ହେବାକୁ ପଡ଼ିବ । 

ଏହାଛଡ଼ା ଦୀର୍ଘ ଜୀବନକୁ ନେଇ ନିସଙ୍ଗ ଜୀବନ ବିତାଇବା ସାର ହେବ । ଥରେ ଅବସାଦକୁ ଚାଲିଗଲେ ନିଦ୍ରାହୀନତାର ଶିକାର ହେବାକୁ ହୋଇଥାଏ । ବାର୍ଦ୍ଧକ୍ୟରେ ଏହା ବଡ଼ ସମସ୍ୟା । ପରିବାର, ପ୍ରିୟ ପରିଜନଙ୍କ ସହିତ ଆପୋସ ବୁଝାମଣା କଲେ ଜୀବନ ମଧୁମୟ ହୋଇଥାଏ । ଆଧ୍ୟାତ୍ମିକ ପୁସ୍ତକ ପଠନ, ଦାନ, ସେବା ଦ୍ୱାରା ବାର୍ଦ୍ଧକ୍ୟ ଲୁଚିଯାଇଥାଏ । ଲମ୍ବା ଜୀବନ ଅର୍ଥପୂର୍ଣ୍ଣ ହୋଇଯାଏ । ନୋବେଲ ବିଜେତା, ବୈଜ୍ଞାନିକ, ଡାକ୍ତର, ସାହିତ୍ୟିକ, ସମାଜସେବୀ ଜୀବନର ଅପରାହ୍ନରେ ଏ ପୁରସ୍କାର ପାଇଥାନ୍ତି । ଭାରତ ରତ୍ନ ଓ ଦାଦା ସାହେବ ଫାଲ୍‌କେ ପୁରସ୍କାର ମଧ୍ୟ ବୟସର ଅପରାହ୍ନରେ ପ୍ରାପ୍ତ ହୋଇଥାଏ । ପିଣ୍ଡରେ ଥିବାଯାଏ ପ୍ରାଣ, ଆମେ ହେବା କର୍ମପ୍ରବଣ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.