ମ.ରାମପୁର, ୧୫/୫ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନୀ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହେଇ ଜଣେ ଶିକ୍ଷକଙ୍କ ପରଲୋକ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ ପଡାର ବାସିନ୍ଦା ତଥା କର୍ଲାମୁଣ୍ଡା ବ୍ଲକ୍ ରେଗେଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମକରଧ୍ଵଜ ନାଗ(୫୩ ବର୍ଷ)। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ତେବେ ନିର୍ବାଚନ ସାରି ଧର୍ମଗଡ଼ରେ ନିର୍ବାଚନ ସାମଗ୍ରୀ ପ୍ରଦାନ କେନ୍ଦ୍ରରେ ନିର୍ବାଚନୀ କାଗଜ ପତ୍ର ଓ ସାମଗ୍ରୀ ପ୍ରଦାନ ପୂର୍ବରୁ ଅସୁସ୍ଥ ଅନୁଭବ କରିବା ସହିତ ସେଠାରେ ଚେତାଶୁନ୍ୟ ହୋଇ ପଡ଼ିଥିଲେ । ସେଠାରୁ ତୁରନ୍ତ ତାଙ୍କୁ ଜୁନାଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଗତକାଲି ସନ୍ଧ୍ୟାରେ ତାଙ୍କରି ପରଲୋକ ଘଟିଛି ।
ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ସ୍ବର୍ଗତ ନାଗ ଅବସରପ୍ରାପ୍ତ ଶିକ୍ଷକ ସୁଗ୍ରୀବ ନାଗଙ୍କ ଜେଷ୍ଠ ପୁତ୍ର ହେଇଥିବା ବେଳେ ପରିବାରରେ ପୁଅ,ଝିଅ ଓ ପତ୍ନୀ ରହିଛନ୍ତି। ଏହି ଖବର ପ୍ରଚାର ହେବାପରେ ମ.ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।