ଭୁବନେଶ୍ୱର: ମୋର ତ ପୁଣି ଗୋଟେ ମନ ଆଉ ମାନ ଅଛି । ସିଏ ପରା ସମସ୍ତଙ୍କ ମନ କୁଆଡ଼େ ବୁଝି ପାରନ୍ତି, କେବଳ ମତେ ଛାଡ଼ି । କାହିଁ କେବେହେଲେ ତ ପ୍ରଭୁ ଥରେମାତ୍ର ଡାକିନାହାଁନ୍ତି ତାଙ୍କ ସହ ରଥରେ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲି ଯିବା ପାଇଁ । ଭଉଣୀ ସୁଭଦ୍ରାଟା ଏଡ଼େ ଅଲାଜୁକୀ ଆଉ ସଣ୍ଠଣାବିହୀନ, ବିବାହଯୋଗ୍ୟା ହୋଇ ମଧ୍ୟ ସବୁବେଳେ ଭାଇମାନଙ୍କ ପାଖରେ । ସରମ ଲାଜ ବୋଲି କିଛି ନାହିଁ । କାରଣ ସେ ନିଜ ଭଉଣୀ, ଆଉ ମୁଁ ପର ଝିଅ ।
ଗୀତଗୋବିନ୍ଦ ଗାନ ସରିଗଲାଣି, ଗୀତଗୋବିନ୍ଦର ତାଳେ ତାଳେ ନୃତ୍ୟରତା କ୍ଳାନ୍ତ ଦେବଦାସୀ ଗୃହକୁ ଫେରିଯିବା ପାଇଁ ଉଦ୍ୟତ । ବଡ଼ ଠାକୁରଙ୍କ ଶ୍ରୀଅଙ୍ଗରେ ଅଳସ ଲାଗିଲାଣି । ଖୁଣ୍ଟିଆ ଡାକ ଦେଲାଣି ବଡ଼ ଠାକୁରଙ୍କୁ ପହୁଡ଼ିବା ପାଇଁ । "ମଣିମା ବେଳ ଉଛୁର ହେଲାଣି, ପହୁଡ଼ନ୍ତୁ, ପୁଣି ବଡି ସକାଳୁ ଉଠିଲେ ମଙ୍ଗଳ ଆଳତି ହେବ' । ବଡ଼ପଣ୍ଡା ପ୍ରଭୁଙ୍କୁ ରତ୍ନ ପଲଙ୍କରେ ଶୁଆଇ ଦେଇ ପ୍ରସ୍ଥାନ ପୂର୍ବରୁ ଗୁହାରି ପୂର୍ବକ କହିଲେ– ପ୍ରଭୁ! ଭକତଙ୍କ ଭିଡ଼ରେ କିଛି କହି ପାରୁନାହିଁ । କିଛି କଥା କହିବା ପାଇଁ ଚାହୁଁଛି । ଆଜ୍ଞା ହେଲେ କହିଥାନ୍ତି । ମହାପ୍ରଭୁଙ୍କ ସମ୍ମତି ପାଇ ବଡ଼ପଣ୍ଡା ହାତ ଯୋଡ଼ିକରି କହିଲେ– ମଣିମା! ଆପଣ କେବଳ ଏ ଜଗତ ଆଉ ଭକତଙ୍କ ଦୁଃଖ ଖାଲି ଶୁଣିବେ, ନା ଏଣେ ନିଜ ଘର ପରିବାର କଥା ଟିକେ ବୁଝିବେ, ସେ ବିଷୟରେ କେବେ ଚିନ୍ତା କରିଛନ୍ତି? ମହାପ୍ରଭୁ ଆଶ୍ଚର୍ଯ୍ୟ ହୋଇ କହିଲେ– ପଣ୍ଡାଏ! ତୁମେ ତ ମୋର ଏକାନ୍ତ ନିଜର, ମୁଁ କିଛି ବୁଝି ପାରୁନି, ଅଭୟ ଦେଲି, ମନ ଖୋଲି କୁହ ।
ବଡ଼ପଣ୍ଡା କହିଲେ– ପ୍ରଭୁ! ଆଉ ଦିନ ଦୁଇଟା ପରେ ଜ୍ୟେଷ୍ଠ ଶେଷ ହେବ । ପୂର୍ଣ୍ଣିମା ତିଥିରେ ଆପଣ ପରା ସ୍ନାନ ମଣ୍ଡପରେ ଭାଇ ଭଉଣୀଙ୍କୁ ଧରି ସ୍ନାନ କରିବା ପାଇଁ ବିଜେ କରିବେ । ତା’ପରେ ଅଣସର । ପକ୍ଷେ ପରେ ଆଷାଢ଼ ମାସ ଦ୍ୱିତୀୟା ତିଥିରେ ରଥଯାତ୍ରା ଯୋଗ ପଡୁଅଛି । ଆପଣ ପରା ସଂସାର କରିଛନ୍ତି । ହେଲେ ମାଆ ସାଆନ୍ତାଣୀଙ୍କ ବୁକୁରେ ଅନେକ କୋହ, ଆଉ ଆଖିରେ ଆଖିଏ ଲୁହ । ଜାଣନ୍ତି ମଣିମା! କାଲି ତାଙ୍କ ସେବା ବେଳେ ମୋତେ ନିଜର ଭାବି, ମନର ଦୁଃଖ ଜଣାଇ କହୁଥିଲେ– ପଣ୍ଡାଏ! ଯେତେବେଳେ ପ୍ରଭୁ ତ୍ରେତୟା ଯୁଗରେ ବଣରେ ଦୁଃଖରେ, ଦୁର୍ଦ୍ଦିନରେ ବୁଲୁଥିଲେ, ସେତେବେଳେ ମୁଁ ଅବଧର ମହାରାଣୀ ହୋଇ ମଧ୍ୟ ମହାପ୍ରଭୁଙ୍କ ସହ ବନରେ ବୁଲୁଥିଲି । ମୁଁ କି ସୁଖ ପାଇଲି? ସେତେବେଳେ ତାଙ୍କର ଅଲିଅଳି ଭଉଣୀ ସୁଭଦ୍ରା କୋଉଠି ଥିଲା? ହେଲେ ଆଜି ରଥଯାତ୍ରାରେ ଗଲାବେଳେ ମୋ କଥା ମନେ ପଡୁନି । ଦୁଃଖରେ ଲକ୍ଷ୍ମୀ, ସୁଖେ ସୁଭଦ୍ରା । ଶ୍ରୀମନ୍ଦିର, ରତ୍ନଭଣ୍ଡାର, ଛପନ ଭୋଗ ସବୁ ଥାଇ ମଧ୍ୟ ମୋର କିଛି ନାହିଁ ।
ମୋତେ ସେଥିରୁ କ’ଣ ମିଳିବ । ଦୁନିଆରେ ଜଣେ ନାରୀର ଶ୍ରେଷ୍ଠ ଧନ ତାର ସ୍ୱାମୀ । ହେଲେ ଦେଖୁଛି, ମହାପ୍ରଭୁ ସବୁବେଳେ ବଡ଼ଭାଇ, ଭଉଣୀ ସୁଭଦ୍ରାକୁ ଧରି ଗମ୍ଭୀରା ଭିତରେ ବସି ରହିଛନ୍ତି, ମୁଁ କ’ଣ କେବଳ ଏଠିକି ଆସିଥିଲି ତାଙ୍କ ପାଇଁ ଓ ତାଙ୍କ ଭକତଙ୍କର କ୍ଷୁଧା ନିବାରଣ କଥା ବୁଝି ରୋଷଶାଳାରେ ଦିନ କାଟିବା ପାଇଁ । ଏବେ ରଥଯାତ୍ରା ଆସୁଛି, ପ୍ରଭୁ ଭାଇ ଭଉଣୀଙ୍କୁ ଧରି ନଅ ଦିନ, ଆଉ ଯିବା ଆସିବା ତିନିଦିନ ମିଶାଇଲେ ପ୍ରାୟ ବାର ଦିନ ଚାଲିଯିବେ । ତାଙ୍କ ବିନା ବଞ୍ଚିବା ମୋ ପାଇଁ ଅସହ୍ୟ ହୋଇ ଉଠୁଛି, ହେଲେ ସେ କେବେ ମୋତେ ବା ମୋ ମନକୁ ବୁଝିବା ପାଇଁ ଚେଷ୍ଟା କରିନାହାଁନ୍ତି । ଆଉ ମୁଁ କେବଳ ଜଗୁଆଳି ହୋଇ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଜଗି ବସିଥିବି । ମୋତେ ସାଙ୍ଗରେ ରଥରେ ନେବାରେ ଅସୁବିଧା କେଉଁଠି?
ଏ ପରା କଳିଯୁଗ, ତାଙ୍କର ଲକ୍ଷ ଲକ୍ଷ ଭକତ ନିଜ ଭାଇ, ଭଉଣୀ, ବାପା ମାଆ, ପଡ଼ା, ପଡୋଶୀଙ୍କୁ ଧରି ସପତ୍ନୀକ ଦର୍ଶନ ପାଇଁ ଆସୁଥିଲା ବେଳେ, ଠାକୁରେ କ’ଣ ତାଙ୍କ ଭକତଙ୍କଠୁ କିଛି ଶିଖି ପାରୁନାହାଁନ୍ତି? ମୋର ତ ପୁଣି ଗୋଟେ ମନ ଆଉ ମାନ ଅଛି । ସିଏ ପରା ସମସ୍ତଙ୍କ ମନ କୁଆଡ଼େ ବୁଝି ପାରନ୍ତି, କେବଳ ମତେ ଛାଡ଼ି । କାହିଁ କେବେହେଲେ ତ ପ୍ରଭୁ ଥରେମାତ୍ର ଡାକିନାହାଁନ୍ତି ତାଙ୍କ ସହ ରଥରେ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲି ଯିବା ପାଇଁ । ଭଉଣୀ ସୁଭଦ୍ରାଟା ଏଡ଼େ ଅଲାଜୁକୀ ଆଉ ସଣ୍ଠଣାବିହୀନ, ବିବାହଯୋଗ୍ୟା ହୋଇ ମଧ୍ୟ ସବୁବେଳେ ଭାଇମାନଙ୍କ ପାଖରେ । ସରମ ଲାଜ ବୋଲି କିଛି ନାହିଁ । କାରଣ ସେ ନିଜ ଭଉଣୀ, ଆଉ ମୁଁ ପର ଝିଅ । ମୋର ପିତା ମହୋଦଧି ମହାରାଜ ମହାପ୍ରଭୁଙ୍କର ବଡ଼ ଘର, ଧନ, ମାନ, କ୍ଷମତା ଦେଖି ସିନା ମୋତେ ତାଙ୍କ ହାତରେ ଟେକି ଦେଇଥିଲେ ଝିଅ ତାଙ୍କର ଖୁସିରେ ରହିବ ବୋଲି । ହେଲେ ସିଏ କ’ଣ ଜାଣିଥିଲେ ଯେ, ମୁଁ ଏ ଘରର ରାନ୍ଧୁଣିଆଟିଏ ମାତ୍ର । ଭାଇ ଭଉଣୀ ତିନିଜଣ ଟିକେ ବୁଝିବା ଦରକାର କି, ମହାପ୍ରଭୁ ଜଣେ ପତ୍ନୀର ସ୍ୱାମୀ ଆଉ ତାଙ୍କର ସଂସାରଟିଏ ଅଛି । ହେଲେ ମୋର କ’ଣ ଅଧିକାର ଟିକିଏ ନାହିଁ, ଦିନ ଭିତରେ ଥରେ ନିଜର ସ୍ୱାମୀ ସହ ଏକାନ୍ତରେ ପଦୁଟିଏ କଥା ହେବା ପାଇଁ?
ଏଥିପାଇଁ ଥରେ ସିଏ କୁଆଡ଼େ ଆପଣଙ୍କୁ ଅଭିମାନରେ ଛାଡ଼ି ଚାଲି ଯାଇଥିଲେ ଶ୍ରୀୟା ଚଣ୍ଡାଳୁଣୀ ଘରକୁ । ମାଆ କହୁଥିଲେ, ଆପଣ କୁଆଡ଼େ କୌଣସି କଥାରୁ ଚ୍ୟୁତ ହୁଅନ୍ତି ନାହିଁ ବୋଲି ପରା ଆପଣ କୁଆଡ଼େ ଅଚ୍ୟୁତ । ହେଲେ ଭକତର ସଂସାର ରକ୍ଷା କରୁ କରୁ ନିଜେ ଏ ସଂସାର ଧର୍ମରୁ ବିଚ୍ୟୁତ ହେଲେ କିପରି? ଆପଣଙ୍କର ଯେପରି ନିଜ ଭାଇ, ଭଉଣୀ, ଭକତମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି ସେଭଳି ମାଆ ମହାଲକ୍ଷ୍ମୀଙ୍କ ପ୍ରତି କର୍ତ୍ତବ୍ୟ ରହିଛି । ଆପଣ ପରା ବିଭିନ୍ନ ଯୁଗରେ, ବିଭିନ୍ନ ପୁରାଣରେ କହି ଆସିଛନ୍ତି– ସଂସାର ଧର୍ମକୁ ଠିକ୍ ରୂପେ ପାଳନ କରି ସମସ୍ତଙ୍କ ପ୍ରତି ଉପଯୁକ୍ତ କର୍ତ୍ତବ୍ୟ କରୁଥିବା ବ୍ୟକ୍ତି ହିଁ ହିମାଳୟରେ ତପସ୍ୟା କରୁଥିବା ବ୍ୟକ୍ତିଠାରୁ ତ ବଡ଼ ସନ୍ନ୍ୟାସୀ । କିନ୍ତୁ ନିଜେ ଆପଣ ତ ଏହାର ବ୍ୟତିକ୍ରମ । ସାଆନ୍ତେ! ଘରେ ଗୃହିଣୀ ଆଖିରେ ଲୁହ ବା ମନରେ କଷ୍ଟ ଦେଇ କେହି ଗୃହସ୍ଥ ଖୁସିରେ ରହିପାରିଛି କି?
ପ୍ରଭୁ! ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି, ମନ ପୋଡ଼ିଗଲେ କିଏ ବା ଜାଣେ? ଏତିକି କହି ବଡ଼ପଣ୍ଡା କୋହଭରା କଣ୍ଠରେ ହାତଯୋଡ଼ି କହିଲେ– ମଣିମା! ରାତି ଦ୍ୱିତୀୟ ପ୍ରହର ସରିବା ଉପରେ, ଡେରି ହେଲାଣି ପହଡ଼ନ୍ତୁ, ଯଦି ଭୁଲ୍ କରିଥାଏ ତେବେ ଏ ଦାସକୁ କ୍ଷମା କରିବେ କହି ପ୍ରସ୍ଥାନ କଲେ । ହେଲେ ବଡ଼ ଠାକୁରଙ୍କର ଯାମିନି ପାହି ଯାଇଥିଲା, ମଲ୍ଲୀମାଳ ଝାଉଁଳି ଆସୁଥିଲା ବିନିଦ୍ର ଭାବରେ ବଡ଼ପଣ୍ଡା କହିଯାଇଥିବା କଥା ଭାବି ଭାବି । ବୋଧହୁଏ ସେହିଦିନୁ ମହାପ୍ରଭୁଙ୍କ ଚକ୍ଷୁର ପଲକ ପଡ଼ିପାରିନାହିଁ ବଡ଼ପଣ୍ଡାଙ୍କ କଥାରେ । ଧନ୍ୟ ପ୍ରଭୁ ତୁମେ ଅଚ୍ୟୁତ, ବିଚ୍ୟୁତ, ଅନନ୍ତ, ଅଜୟ, ଅକ୍ଷୟ, ଅମର, ଅନନ୍ୟ, ଅବିନାଶ, ଅଦ୍ୱିତୀୟ ।