ଭୁବନେଶ୍ୱର ୦୧/୦୨: ଏସି ଲାଗିନି କି ନାହିଁ ଫ୍ୟାନ । ଜଳୁନି ଲାଇଟ୍ । ଖାଇବା ପାଇଁ କିନ୍ତୁ ଲୋକେ ଧାଡ଼ି ଲଗାଉଛନ୍ତି । ଏ ହେଉଛି ରାସ୍ତା କଡ଼ର ‘ଆମ୍ମା ହୋଟେଲ’ । ମା’ ପରଶିଲା ଭଳି ଭୋଜନର ସ୍ୱାଦ କିନ୍ତୁ ନିଆରା । ଯାହାଙ୍କ ଜିଭରେ ଏହାର ସ୍ୱାଦ ଥରେ ବାଜିଛି ସେ ଛାଡ଼ିବାକୁ ନାରାଜ । ବଡ଼ ହୋଟେଲର ୪ଶହ ଟଙ୍କିଆ ମିଲ୍ ତୁଳନାରେ ଏଠାରେ ୬୦ଟଙ୍କିଆ ଥାଳି ଖୁବ୍ ଲୋକପ୍ରିୟ ହୋଇଛି । ଏହି ହୋଟେଲ ଚଳାଉଛନ୍ତି ୫୪ ବର୍ଷୀୟା ମହିଳା ହେମା ରାଓ । ତାଙ୍କ କଥା ଓ ହାତର ଯାଦୁ ବାନ୍ଧି ରଖିଛି ଗ୍ରାହକଙ୍କୁ ।
ବ୍ୟସ୍ତବହୁଳ ଛକ ବାଣୀବିହାର ରାସ୍ତା କଡ଼ରେ ରହିଛି ଏହି ହୋଟେଲ । ଏଠାରେ ସାଧା ଓ ମାଛ ଥାଳିର ଦାମ ୬୦ଟଙ୍କା, କୁକୁଡ଼ା ମାଂସ ଥାଳି ୭୦ଟଙ୍କା ରହିଛି । ଯିଏ ଯେତେଥର ମାଗି ଖାଇଲେ ତାଙ୍କୁ ଦେବାକୁ ମନା କରନ୍ତିନି ହେମା । ପ୍ରାୟ ୩୦ରୁ ୩୫ଜଣ ଗ୍ରାହକଙ୍କ ପାଇଁ ସେ ଖାଦ୍ୟ ପ୍ରସ୍ତୁତ କରି ଆଣନ୍ତି । ସେତକ ସରିଲେ ତାଙ୍କ ହୋଟେଲ ବନ୍ଦ ହୋଇଯାଏ । ଦିନ ୧୨ଟା ବାଜିଲେ ବାଣୀବିହାର ଛକ ନିକଟରେ ଖୋଲେ ଆମ୍ମା ହୋଟେଲ । ହେମା ଘରୁ ସମସ୍ତ ଖାଦ୍ୟ ପ୍ରସ୍ତୁତ କରି ଆଣି ଏଠାରେ ବିକ୍ରି କରନ୍ତି । ନିରାମିଷ, ଆମିଷର ବିଭିନ୍ନ ପ୍ରକାର ଆଇଟମ୍ ପ୍ରସ୍ତୁତ ହୋଇ ରହିଥାଏ ତାଙ୍କ ପାଖରେ । ଏହାରି ଭିତରେ ଆମ୍ମା ହୋଟେଲର ଦାମ୍ ସାଙ୍ଗକୁ ଖାଦ୍ୟର ସ୍ୱାଦ ଖୁବ ପସନ୍ଦ ଆସୁଛି ବୋଲି ସେଠାରେ ଭୋଜନ କରୁଥିବା ଗ୍ରାହକମାନେ କହିଛନ୍ତି ।
ନାରୀ ହେଲେ କୌଣସି ଗୁଣରେ କମ୍ ନୁହେଁ ବୋଲି ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ହେମା । ଆନ୍ଧ୍ରପ୍ରଦେଶରୁ ଆସି ଓଡ଼ିଶାରେ ରହିବା ତାଙ୍କର ପ୍ରାୟ ୩୦ ବର୍ଷରୁ ଉଦ୍ଧ୍ୱର୍ ହେଲାଣି । ସେ ଓଡ଼ିଆ ସହ ତେଲୁଗୁ ଭାଷା ମଧ୍ୟ କହିପାରନ୍ତି । ତିନି ବର୍ଷ ପୂର୍ବେ କ୍ୟାନସରରେ ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ କେବେ ଭାଙ୍ଗି ପଡ଼ିନାହାଁନ୍ତି । ତିନି ପୁଅ, ବୋହୂ ଓ ଶାଶୂଙ୍କୁ ନେଇ ତାଙ୍କ ପରିବାର । ହୋଟେଲ ବ୍ୟବସାୟକୁ ନେଇ ହେମା ରାଓ କହିଛନ୍ତି, ମୁଁ ସୁସ୍ଥ ଅଛି, ଘରେ ବସି କଣ କରିବି? ପରିବାରକୁ କିଛି ସାହାଯ୍ୟ କରିବି ବୋଲି ଚିନ୍ତା କରି ଏହି ହୋଟେଲ ଖୋଲୁଛି । ଘରୋଇ ଖାଇବା ମିଳୁଥିବାରୁ ଲୋକମାନେ ପସନ୍ଦ କରୁଛନ୍ତି । ଘରେ ମୋ ବୋହୂ ଖାଦ୍ୟ ପ୍ରସ୍ତୁତ କରିବାରେ ସହଯୋଗ କରନ୍ତି। ଏଥିରେ ଘର ଚଳିବାରେ ମଧ୍ୟ କିଛି ସାହାଯ୍ୟ ହେଉଛି । ରାସ୍ତା କଡ଼ରେ ଦୋକାନ ଖୋଲିଛି । ବେଳେବେଳେ ବିଏମ୍ସି ଉଠାଇ ଦେଉଛି । ସେଥିପାଇଁ ବିଏମ୍ସି ପକ୍ଷରୁ ଗୋଟିଏ ଘର ଭଡ଼ାରେ ମିଳିଲେ ଭଲ ହୋଟେଲଟିଏ କରିପାରନ୍ତି ।