ଭୁବନେଶ୍ୱର, ୪।୯: ରସିକିଆ ନକଲି ଇନ୍ସପେକ୍ଟର ସୁବାସ ଚନ୍ଦ୍ର କହଁରଙ୍କ ରଙ୍ଗିଲା ପେଡ଼ିର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । ନିଜକୁ ପୁଲିସ ଇନ୍ସପେକ୍ଟର ପରିଚୟ ଦେଇ ଅନେକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଛନ୍ତି । ଏପରିକି ଯୁବତୀମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ଚୂନ ଲଗାଇଛନ୍ତି । ସୁବାସଙ୍କ ଦ୍ୱାରା ଠକାମିର ଶିକାର ଅନ୍ୟଜଣେ ମହିଳା ଆଜି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ସୁବାସ ତାଙ୍କୁ ବିବାହ କରି ୨ ଲକ୍ଷ ଟଙ୍କା ଠକିଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସୁବାସ ତାଙ୍କ ପାଖକୁ ପ୍ରଥମେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ ପଠାଇଥିଲେ । ପୁଲିସ୍ ଅଫିସର ବୋଲି ଜାଣିବା ପରେ ସେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିଥିଲେ । ତା'ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା ।
ସେହି କଥାବାର୍ତ୍ତା ଭିତରେ ମନୋଜ ନିଜକୁ ରାଉରକେଲା ସେକ୍ଟର୧୫ରେ ରହୁଥିବା ଓ ଝାରସୁଗୁଡ଼ାରେ ପୁଲିସ ଇନ୍ସପେକ୍ଟର ଥିବା ପରିଚୟ ଦେଇଥିଲେ । ପୁଲିସ୍ ଡ୍ରେସ ପିନ୍ଧି ବିଭିନ୍ନ ପୋଜ୍ର ଫଟୋ ମଧ୍ୟ ତାଙ୍କ ପାଖକୁ ପଠାଇଥିଲେ । ଏପରିକି ନିଜ ଚାମ୍ବର ଓ ପୁଲିସ୍ ଗାଡ଼ିରେ ବସିଥିବା ଭିଡିଓ ପଠାଇଥିଲେ । ସେ ଅବିବାହିତ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ । ମନୋଜଙ୍କ ମିଠା ମିଠା କଥା ଓ ସେ ପୁଲିସ୍ ଅଫିସର ବୋଲି ଜାଣିବା ପରେ ଯୁବତୀଜଣଙ୍କ ତାଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ । ୪ ମାସ ତଳେ ସୁବାସଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କୁ ମଧ୍ୟ ସୁବାସ ଲକ୍ଷ୍ମୀସାଗରରେ ଭଡ଼ା ଘରେ ରଖି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ବିଭିନ୍ନ ବାହାନା ଦେଖାଇ ତାଙ୍କ ଠାରୁ ସୁବାସ ୨ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଏବେ ସୁବାସ ୩ ଜଣଙ୍କୁ ବିବାହ କରି ଖଣ୍ଡଗିରି ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ଜାଣିବା ପରେ ଏନେଇ ସେ ଆଜି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ସେପଟେ ସୁବାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢ଼ିବା ପରେ କମିଶନରେଟ୍ ପୁଲିସ ଏହାକୁ ଗୁରୁତ୍ୱର ସହ ନେଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ଆଜି ଖଣ୍ଡଗିରି ଥାନା ପୁଲିସ ସୁବାସଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟ ପୁଲିସକୁ ୨ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି ବୋଲି ଖଣ୍ଡଗିରି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସୂଚନା ଥାଉକି, ୫୫ ବର୍ଷର ସୁବାସଙ୍କ ଘର ଭଦ୍ରକ ରୁରାଲ ତୁମ୍ବାପଡ଼ି । ସେ ରାଉରକେଲା ସେକ୍ଟର-୧୫ରେ ରହୁଥିଲେ । ପୂର୍ବରୁ ସେ ପୁଲିସ ଇନ୍ସପେକ୍ଟର ପରିଚୟ ଦେଇ ଦୁଇଟି ବିବାହ କରିଥିବା ବେଳେ ତାଙ୍କର ୨୫ ବର୍ଷର ପୁଅ ଓ ୨୨ ବର୍ଷର ଝିଅ ଅଛନ୍ତି । ସୁବାସ ଇନ୍ସପେକ୍ଟର ମନୋଜ ମିଶ୍ର ବୋଲି ପରିଚୟ ଦେଇ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରି ତାଙ୍କୁ ଖଣ୍ଡଗିରି ସରକନ୍ତରାରେ ଘର ଭଡ଼ା ନେଇ ରଖିଥିଲେ । ସେ ଶାଶୂ ଘରକୁ ଯିବାକୁ ଚାହିଁବାରୁ ତାଙ୍କୁ ସୁବାସ ବିଭିନ୍ନ ପ୍ରକାର ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଥିଲେ । ଶେଷରେ ଯୁବତୀଙ୍କର ସନ୍ଦେହ ହେବାରୁ ସେ ସୁବାସ ଚଢ଼ୁଥିବା କାର୍ ନମ୍ବର ଯାଞ୍ଚ କଲାବେଳେ ସେ ସୁବାସ ଚନ୍ଦ୍ର କହଁର ବୋଲି ଜାଣିବାକୁ ପାଇଥିଲେ ।
ତେଣୁ ସେ ଗତମାସ ୩୧ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସୁବାସଙ୍କୁ ୧ ତାରିଖରେ ଗିରଫ କରିବା ସହ ତାଙ୍କ ଠାରୁ ନକଲି ପୁଲିସ ପୋଷାକ, ପୁଲିସ ଡ୍ରେସ ପିନ୍ଧା ଫଟୋ ଓ ନକଲି ଆଧାରକାର୍ଡ ଆଦି ଜବତ କରିଥିଲା । ତାଙ୍କୁ ଜେଲ୍ ପଠାଇବା ପରେ ଏବେ ସୁବାସଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ସୁବାସ ୪ ଜଣଙ୍କୁ ବିବାହ କରିଥିବା ଜଣା ପଡ଼ିଥିବା ବେଳେ ସେ ଆଉ କେତେ ଯୁବତୀଙ୍କୁ ଏଭଳି ପ୍ରେମ ଜାଲରେ ଫସାଇ ବିବାହ କରି ଚୂନ ଲଗାଇଛନ୍ତି ସେ ନେଇ କମିଶନରେଟ୍ ପୁଲିସ ତନାଘନା ଆରମ୍ଭ କରି ଦେଇଛି । ରସିକିଆ ସୁବାସଙ୍କ ରଙ୍ଗିଲା ପେଡ଼ିର ଅଧିକ ଗୁମର ଖୋଲିବାକୁ ତାଙ୍କୁ ରିମାଣ୍ଡରେ ଆଣି ମାରାଥନ ଜେରା କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି । ୫ ତାରଖରୁ ସୁବାସଙ୍କୁ ୨ ଦିନିଆ ରିମାଣ୍ଡ ଅନୁମତି ମିଳିଛି ।